ଗ୍ରାମରେ ମୌଳିକ ସମସ୍ୟା ସୁଧୁରୁନି : ଭୋଟ ବର୍ଜନ ପାଇଁ ଚେତାବନୀ
ପାରଳାଖେମୁଣ୍ଡି, : (ତାରିଣୀ ପ୍ରସାଦ ପଣ୍ଡା) :-ଦେଶ ସ୍ଵାଧୀନ ହେବାର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଗଜପତି ଜିଲ୍ଲା ମୋହନା ବ୍ଲକର ବହୁ ଦୁର୍ଗମ ଅଞ୍ଚଳର ଆଦିବାସୀ ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି । ନିର୍ବାଚନ ଆସିଲେ ନେତା, ମନ୍ତ୍ରୀମାନେ ଆସି ଭୋଟରଙ୍କୁ ସମସ୍ତ ସମସ୍ୟାର ସମାଧାନ ଶୀଘ୍ର କରାଯିବ କହି ଧୂଆଁବାଣ ଛାଡି ଚାଲିଯାନ୍ତି । ଯଥା ପୂର୍ବଂ ତଥା ପରଂ ହୋଇ ରହିଯାଏ ଗ୍ରାମର ସମସ୍ୟା।ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଠାରୁ ମାତ୍ର ୪ କିମି ଦୂରରେ ରହିଛି ଚାଞ୍ଚଡ଼ା ଗୁଡା ଗ୍ରାମ। ଏଠାରେ ବସବାସ କରନ୍ତି ୧୮ଘରର ୧୦୦ରୁ ଉର୍ଦ୍ଧ୍ଵ ଲୋକ। ଗାଁରେ କାହାରି ମଧ୍ୟ ନାହିଁ ପକ୍କା ଘର । ଲୋକେ ଝାଟିମାଟିର ଟିଣ ଛପର ଘରେ ଦହନୀୟ ଅବସ୍ଥାରେ ବାସ କରନ୍ତି । ଗ୍ରାମକୁ ଯିବାପାଇଁ ନାହିଁ ଭଲ ରାସ୍ତା । ଘାଟି ପାହାଡିଆ ଜଙ୍ଗଲୀ ପାଦ ଚଲା ରାସ୍ତାରେ ଗାଁ ଲୋକେ ପଞ୍ଚାୟତକୁ ଓ ବଜାର ସଉଦା କରିବାକୁ ସର୍ବଦା ଯିବା ଆସିବା କରିଥାନ୍ତି। କୌଣସି ଗର୍ଭବତୀ ମହିଳା ଓ ଜରୁରୀ ଚିକିତ୍ସା ପାଇଁ ରୋଗୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ହେଲେ ଦୋଳା କରି ୪ କିମି ନେବାପରେ ମୁଖ୍ୟ ରାସ୍ତାକୁ ଆସିଲେ ସେଠାରୁ ଗାଡିର ସୁବିଧା ମିଳିଥାଏ । ପାଠ ପଢିବା ପାଇଁ ଶିକ୍ଷାର୍ଥୀମାନେ ସର୍ବଦା ଚାଲିଚାଲି ୪କିମି ଦୂରରେ ଥିବା ଗୋବିନ୍ଦପୁର ବିଦ୍ୟାଳୟକୁ ଆସିଥାନ୍ତି । ଜଙ୍ଗଲରେ ହିଁସ୍ରଜନ୍ତୁଙ୍କ ଭୟ ଥିବାରୁ ଅଭିଭାବକମାନେ ଛୋଟ ଛୁଆଙ୍କୁ ପାଠପଢ଼ିବା ପାଇଁ ଛାଡ଼ୁ ନ ଥିବା କହିଛନ୍ତି। ରାସ୍ତା ପାଇଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାନୀୟ ପାଣିର ଅବସ୍ଥା ଗୁରୁତର । ଗ୍ରାମର ଉପକଣ୍ଠରେ ରହିଛି ଏକମାତ୍ର ପରିତ୍ୟକ୍ତ ଚୁଆଁ। ତାହାରି ଦୁଷିତ ଜଳକୁ ଗ୍ରାମବାସୀ, ଗାଇ, ଗୋରୁ, ଛେଳି,ମେଣ୍ଢା ପାନୀୟ ଭାବେ ବ୍ୟବହାର କରନ୍ତି।ଏହି ଦୂଷିତ ଜଳକୁ ବ୍ୟବହାର କରି ଗ୍ରାମର ବହୁ ଲୋକ ବିଭିନ୍ନ ସମୟରେ ଝାଡାବାନ୍ତି ଓ ପେଟଜନିତ ରୋଗର ଶୀକାର ହେଉଥିବା ନଜିର ରହିଛି।ମୌଳିକ ସୁବିଧା ଟିକେ ପାଇବାପାଇଁ ଗ୍ରାମବାସୀ ବିଡିଓଙ୍କୁ ୧୬ / ୧୨ରେ, ଗଜପତି ଜିଲ୍ଳାପାଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ଅଧିକାରୀଙ୍କୁ ୧୮ / ୧୨ରେ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଭୁବନେଶ୍ଵର ଅତିରିକ୍ତ ଶାସନ ସଚିବଙ୍କୁ ୧୨ / ୧୨ / ୨୦ରେ ଲିଖିତ ଅଭିଯୋଗ ଜଣାଇ ଥିଲେ ମଧ୍ୟ ୧ବର୍ଷ ମଧ୍ୟରେ କୌଣସି ସମସ୍ୟାର ସମାଧାନ ହୋଇପାରିନି।ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ଏଣୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ଭୋଟ ବର୍ଜନ କରିବା ପାଇଁ ନିଷ୍ଠତି ନେଇଥିବା କହିଛନ୍ତି ।


