ଗ୍ରାମସଭାକୁ ଗୋଟିଏ ଗାଁରେ ହଁ ,ଗୋଟିଏ ଗ୍ରାମରେ ନାଁ
ଯୋଡ଼ା ,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ବ୍ଲକ ବିରିକଳା ଗ୍ରାମପନଚାୟତର ଭାଗଲପୁର ପ୍ରାଥମିକ ବିଦ୍ୟାଳୟଠାରେ ଗୁରୁବାର ସକାଳ ୧୦ ଘଟିକା ସମୟରେ ମେସର୍ସ ଜେ.ଏସ୍ . ଡବ୍ଲୁ. ପକ୍ଷରୁ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ମେସର୍ସ ଜେ.ଏସ୍.ଡବ୍ଲୁ. ଉତ୍କଳ ଷ୍ଟିଲ ଲିମିଟେଡ୍ ପକ୍ଷରୁ ଦେଓଝର ଗ୍ରାମପନଚାୟତର ଗୋବର୍ଦ୍ଧନପୁରଠାରେ ପ୍ରତିଷ୍ଠା କରାଯାଉଥିବା ୩୦ ଏମ.ଟି.ପି.ଏ. ଲୌହ ପଥର ଚୂର୍ଣ୍ଣ ଓ ଡିସ୍ଲିମିଂ ପ୍ଲାନ୍ଟ ନିର୍ମାଣ ନିମନ୍ତେ ଆବଶ୍ୟକ ହେଉଥିବା ଯୋଡା ବ୍ଲକ ବିରିକଳା ଗ୍ରାମପନଚାୟତର ଭାଗଲପୁର ମୌଜାରୁ ଏରିଆ ୯.୫୯(ଏକର) ଜଙ୍ଗଲ ଜମିର ଅଣଜଙ୍ଗଲ ଭାବେ ବ୍ୟବହାର କରିବା ପାଇଁ ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର ଆଇନ୍ ୨୦୦୬ ଓ ସଂଶୋଧନ ନିୟମ ୨୦୧୨ ପରିଚାଳନା ଅନୁଯାୟୀ ଏହି ଗ୍ରାମସଭାର ଆୟୋଜନ କରାଯାଇଥିଲା । ଏଥିରେ ଯୋଡା ବ୍ଲକ ଦାୟିତ୍ୱରେ ଥିବା ଚମ୍ପୁଆ ମଙ୍ଗଳ ସଂପ୍ରସାରଣ ଅଧିକାରୀ ରବିନ୍ଦ୍ର ସାମନ୍ତରାୟ , ବିରିକଳା ଭିଏଲଡବ୍ଲୁ ଯାଜ୍ଞସେନୀ ବେହେରା, ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କର ମତାମତ ଓ ଅଭିଯୋଗ ଶୁଣାଣି କରିଥିଲେ । ଦୀର୍ଘ ୧୨ ବର୍ଷ ପୂର୍ବରୁ କ୍ରାକର୍ସ ଇଣ୍ଡିଆ ନାମକ ଏକ କମ୍ପାନୀ ପକ୍ଷରୁ କାରଖାନା ସ୍ଥାପନ ପାଇଁ ଜମି ଅଧିଗ୍ରହଣ ହୋଇଥିଲା । ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ କରାଯିବାର କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ସେଠାରେ କୌଣସି କାରଖାନା ସ୍ଥାପନ କରାଯାଇନଥିଲା । ଏଣୁ ଉକ୍ତ କମ୍ପାନୀ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିର ପାଳନ କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ନିଜନିଜର ମତାମତ ଦେଇଥିଲେ । ମିଶ୍ର ପ୍ରତିକ୍ରିୟା ମଧ୍ୟରେ ଅର୍ଦ୍ଧାଧିକ ଗ୍ରାମବାସୀ କମ୍ପାନୀର ଉକ୍ତ ଗ୍ରାମସଭାକୁ ସମର୍ଥନ ଦେଇଥିଲେ । ଅପରାହ୍ନ ପ୍ରାୟ ୨.୩୦ ମିନିଟ ସମୟରେ ଲହଣ୍ଡା ମା ବାସନ୍ତୀ ଖେଳ ପଡିଆଠାରେ ମଧ୍ୟ ଉକ୍ତ କମ୍ପାନୀ ପକ୍ଷରୁ ଗ୍ରାମସଭା ଆୟୋଜନ କରାଯାଇଥିଲା । ଜଙ୍ଗଲଜମିକୁ ଅଣଜଙ୍ଗଲରେ ରୂପାନ୍ତରିତ କରିବା ଉଦ୍ଦେଶ୍ୟରେ ହୋଇଥିବା ଏହି ଗ୍ରାମସଭାକୁ ସ୍ଥାନୀୟ ଗ୍ରାମବାସୀ ସମ୍ପୂର୍ଣ୍ଣ ବିରୋଧ କରିଥିଲେ । କାରଖାନା ସ୍ଥାପନ ହେଲେ ଗ୍ରାମବାସୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାର କାରଣ ଦର୍ଶାଇ ଏହି ଗ୍ରାମସଭାକୁ ବିରୋଧ କରୁଥିବା ନେଇ ଲିଖିତ ଭାବେ ବିରିକଳା ସରପନଚଙ୍କୁ ଏକ ଚିଠି ପ୍ରଦାନ କରିଥିଲେ । ବଡବିଲ ତହସିଲଦାର ସ୍ଥାନୀୟ ଗ୍ରାମବାସୀଙ୍କୁ ଏନେଇ ବୁଝାସୁଝା କରୁଥିବା ଦେଖିବାକୁ ମିଳିଥିଲା ।