ଗ୍ରାମାଞ୍ଚଳରେ ଅନ୍‌ଲାଇନ ପାଠ ପଢାରୁ ବଞ୍ଚିତ ହେଉଛନ୍ତି ଶିକ୍ଷାର୍ଥୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ । କରୋନା ଯେ କେବଳ ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି ତାହା ନୁହେଁ ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡ଼ିଛି । ଏଥିରୁ ବାଦ୍ ପଡ଼ିନାହିଁ ଆମ ଦେଶ କି ଆମ ରାଜ୍ୟ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଉଚ୍ଚ ଶିକ୍ଷା ସକାଶେ ଶିକ୍ଷାବର୍ଷ ଆରମ୍ଭ ସେପ୍ଟମ୍ବର ମାସରୁ ଆରମ୍ଭ କରିବାକୁ ଦିଆଯାଇଥିବା ପ୍ରସ୍ତାବକୁ ରାଜ୍ୟ ସରକାର ମୋହର ମାରିଛନ୍ତି । ଅନ୍ୟପକ୍ଷରେ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ସ୍କୁଲ, କଲେଜର ବାର୍ଷିକ ପରୀକ୍ଷା ସ୍ଥଗିତ ରଖାଯାଇଥିବା ବେଳେ, ସୁରକ୍ଷା ଦୃଷ୍ଟିରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆସନ୍ତା ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ସଂକ୍ରମିତ ଅଂଚଳରୁ ପ୍ରବାସୀ ମାନେ ଓଡ଼ିଶା ରାଜ୍ୟକୁ ଫେରୁଥିବା ଯୋଗୁଁ ଦିନକୁ ଦିନ ଓଡ଼ିଶାରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବୁଧବାର ସୁଦ୍ଧା ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ୫୩୮ରେ ପଂହଚି ଥିବା ବେଳେ ୧୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ଜଣଙ୍କ ମୃତ୍ୟୁ ଘଟିଛି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ କରୋନା ଭୁତାଣୁ ସଂକ୍ରମଣରେ ୨୧୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସ୍ଥିତିରେ ୨୦୨୦-୨୧ ଶିକ୍ଷାବର୍ଷରେ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେବାକୁ ଥିବା ଶିକ୍ଷାର୍ଥୀ ପାଠପଢାକୁ ନେଇ ଆଶା ଓ ଆଶଙ୍କାରେ ସମୟ କାଟୁଛନ୍ତି । ଦିନକୁ ଦିନ କରୋନା ଭୁତାଣୁ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ବିଦ୍ୟାଳୟ କେବେ ଖୋଲିବ ସେ ନେଇ ଶିକ୍ଷାର୍ଥୀ ଓ ଅଭିଭାବକ ଚିନ୍ତାରେ ରହିଛନ୍ତି । ଅନ୍ୟପକ୍ଷରେ କରୋନା ଯୋଗୁଁ ଟିୟୁସନ୍ ମଧ୍ୟ ଖୋଲାଯାଉ ନାହିଁ, ଟିୟୁସନ ଖୋଲିଥିଲେ ମଧ୍ୟ ଶିକ୍ଷାର୍ଥୀ ମାନେ ଟିୟୁସନରେ ଶିକ୍ଷା ଅଧ୍ୟୟନ କରି କିଛିଟା ଜ୍ଞାନ ଆହରଣ କରି ପାରିଥାନ୍ତେ । କିଭଳି ପାଠ ପଢିବେ ଓ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଭଲ ନମ୍ବର ରଖି କିଭଳି ଉତୀର୍ଣ୍ଣ ହେବେ ସେ ନେଇ ଉଭୟ ଶିକ୍ଷାର୍ଥୀ ଓ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ ସୂଚନା ପ୍ରକାରେ ବିଦ୍ୟାଳୟ ଗୁଡ଼ିକ ଆସନ୍ତା ଜନ୍ ୧୭ ତାରିଖରେ ଖୋଲିବ ନା ଉଚ୍ଚ ଶିକ୍ଷା ବିଭାଗ ସହିତ ମିଶି ସେପ୍ଟମ୍ବର ମାସରୁ ଶିକ୍ଷାବର୍ଷ ଆରମ୍ଭ ହେବ ସେମାନଙ୍କ ପାଇଁ ଜାଣିବା ମୁସ୍କିଲ ହୋଇ ପଡ଼ିଛି । ଏଭଳି ପରିସ୍ଥିତିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଦ୍ୟାଳୟ ଖୋଲିବା ନେଇ କି ପଦକ୍ଷେପ ଗ୍ରହଣ କରିବେ ତାହାକୁ ନେଇ ଶିକ୍ଷାର୍ଥୀ ମାନେ ଚାତକ ପରି ଚାହିଁ ରହିଛନ୍ତି । ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଗଠନ ପାଇଁ ୧୦ମ ଶ୍ରେଣୀ ପାଠପଢା ଓ ପରୀକ୍ଷା ଫଳାଫଳ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଥାଏ । ଏଥିସକାଶେ ଶିକ୍ଷାର୍ଥୀଙ୍କ ସମେତ ଅଭିଭାବକ. ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା ବିଭାଗ ସମସ୍ତେ ଯତ୍ନବାନ ଓ ତତ୍ପର ହୋଇଥାନ୍ତି । ଳ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ କରୋନାର ଅଶୁଭ ଦୃଷ୍ଟି ଶିକ୍ଷା ବ୍ୟବସ୍ଥା ଉପରେ ପଡ଼ିଛି । ଗୋଟାଏ ପଟେ କରୋନା ମୁକାବିଲା ବେଳେ ୧୦ମ ଶ୍ରେଣୀ ପାଠ୍ୟ ପୁସ୍ତକ ପରିବର୍ତନ ଶିକ୍ଷାର୍ଥୀଙ୍କ ସମେତ ଅଭିଭାବକ. ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ବର୍ତମାନ ସୁଦ୍ଧା ନୂତନ ପାଠ୍ୟ ପୁସ୍ତକ ଉପଲବ୍ଧ ହୋଇନଥିବା ବେଳେ ତାହା କେବେ ଉପଲବ୍ଧ ହେବ ତାହା ମଧ୍ୟ ସଠିକ୍ ଭାବେ କହିହେବ ନାହିଁ । ଉପୋରକ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଦୂରଦର୍ଶନ ମାଧ୍ୟମରେ ସୋମବାର ଠାରୁ ଶୁକ୍ରବାର ପ୍ରତ୍ୟେହ ସକାଳ ୧୧ ଟାରୁ ୧୨ ଟା ଏବଂ ଅପରାହ୍ନ ସାଢେ ୩ ରୁ ସାଢେ ୪ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ପାଠପଢା ସାଙ୍ଗକୁ ସ୍ମାର୍ଟ ମୋବାଇଲ ସେତୁ ସଫ୍ଟୱେର ମାଧ୍ୟମରେ ମଧ୍ୟ ଶିକ୍ଷାର୍ଥୀ ମାନେ ଘରେ ରହି ଶିକ୍ଷା ଅଧ୍ୟୟନ କରିପାରିବେ ବୋଲି ବ୍ୟବସ୍ଥା କରାଯାଇଛି । ତେବେ ଗ୍ରାମାଂଚଳର ଶିକ୍ଷାର୍ଥୀ ମାନେ ଏହି ସୁବିଧାରୁ ବଂଚିତ ହେଉଛନ୍ତି । ବାରମ୍ବା ଅଘୋଷିତ ବିଦ୍ୟୁତ୍ କାଟ ସାଙ୍ଗକୁ ସମସ୍ତ ଶିକ୍ଷାର୍ଥୀଙ୍କ ନିକଟରେ ସ୍ମାର୍ଟ ମୋବାଇଲ ନଥିବାରୁ ଶିକ୍ଷା ଅଧ୍ୟୟନ କରିବା କଷ୍ଟକର ହୋଇପଡ଼ିଛି ବୋଲି ବହୁ ଗ୍ରାମାଂଚଳର ଶିକ୍ଷାର୍ଥୀ କହିଛନ୍ତି । ଏପରିକି ପୁରୁଣା ପାଠ୍ୟ ପୁସ୍ତକ ହୋଇଥିଲେ ଗତବର୍ଷ ୧୦ମ ଶ୍ରେଣୀ ପରୀକ୍ଷା ଦେଇ ସାରିଥିବା ବନ୍ଧୁଙ୍କ ଠାରୁ ମାଗି ଆଣି ଅଧ୍ୟୟନ କରିବାର ସୁଯୋଗ ମିଳି ପାରିଥାନ୍ତା । ଏଦିଗରେ ଶିକ୍ଷା ବିଭାଗ ଓ ରାଜ୍ୟ ସରକାର ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ହିଞ୍ଜିଳିକାଟୁ ବ୍ଳକ ଅଧିନସ୍ଥ ବହୁ ଗ୍ରାମାଂଚଳର ଶିକ୍ଷାର୍ଥୀ ଓ ଅଭିଭାବକ ମାନେ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ