ଗ୍ରାମାଞ୍ଚଳରେ ନିର୍ମାଣ ହେବ କୋଭିଡ ହସ୍ପିଟାଲ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ଏବେ ଗ୍ରାମାଞ୍ଚଳ ମାନଙ୍କରେ କୋଭିଡ ହସ୍ପିଟାଲ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଗ୍ରାମାଞ୍ଚଳରେ ଥିବା ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କୋଭିଡ ହସ୍ପିଟାଲ ନିର୍ମାଣ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସମେତ ମଞ୍ଜୁରୀରୋଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ରଣଜିତ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଓ ରହଣିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କୋଭିଡ ହସ୍ପିଟାଲ ନିର୍ମାଣ ହେବ ବୋଲି ଜଣାପଡିଛି। ଜିଲ୍ଲାର ୧୭ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପ୍ରଥମେ ଫାଇବର ଷ୍ଟିକରେ ହସ୍ପିଟାଲ ନିର୍ମାଣ ହେଉଥିବା ବେଳେ ଏଥିରେ ପାଖାପାଖି ଦୁଇ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି। ନିର୍ମାଣ କାର୍ଯ୍ୟ ଦାୟିତ୍ବ ନେଇଥିବା ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅମ୍ବିକା ବହ୍ଲବ ସ୍ୱାଇଁ ଆଜି ବ୍ଲକର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି।


