ଗ୍ରାମାଞ୍ଚଳର ଗଣମାଧ୍ୟମ ପ୍ରତିନିଧିଙ୍କ ସମସ୍ୟା ପ୍ରତି ସରକାର ଗୁରୁତ୍ୱ ଦେବାକୁ ଦାବୀ
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ମହାବିପତ୍ତି ସମୟରେ ଗ୍ରାମାଞ୍ଚଳରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ବନ୍ତ ପ୍ରେସ୍ କ୍ଲବ ବୈଠକରେ ଦାବୀ ହୋଇଛି । ଶୁକ୍ରବାର ବନ୍ତସ୍ଥିତ ଜଳସେଚନ କାର୍ଯ୍ୟାଳୟ ଡାକବଙ୍ଗଳା ଠାରେ ଅନୁଷ୍ଠିତ ବୈଠକରେ ସଭାପତି ପତଞ୍ଜଳୀ କରଶର୍ମା ସଭାପତିତ୍ୱ କରିଥିଲେ । ଏଥିରେ ସାମ୍ବାଦିକ ହରି ନାରାୟଣ ମହାନ୍ତି, ସଂଗ୍ରାମ କେଶରୀ ଜେନା, ଜ୍ଞାନଦା କରଶର୍ମା, ସନାତନ ରାଉତ, ମାର୍କଣ୍ଡ ବେହେରା, ମାର୍କଣ୍ଡ ଧଡା, ରମେଶ ଚନ୍ଦ୍ର ପତି, ରବିନ୍ଦ୍ର ଓଝା, ହରେକୃଷ୍ଣ ପତି, ପ୍ରଫୁଲ୍ଲ ଦାଶ ଯୋଗ ଦେଇଥିଲେ । ବର୍ତ୍ତମାନ କରୋନା ଲକ୍ ଡାଉନ୍ ପରିସ୍ଥିତି ବେଳେ ଗ୍ରାମାଞ୍ଚଳର ଗଣମାଧ୍ୟମ ପ୍ରତିନିଧି ମାନେ ନିଜ ଜୀବନକୁ ବିପନ୍ନ କରି ଖବର ସଂଗ୍ରହ କରୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କରୋନା ଯୋଦ୍ଧା ଭାବେ ପରିଗଣିତ କରୁଥିବା ବେଳେ ସେମାନଙ୍କ ପାଇଁ କୌଣସି ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ନାହିଁ । ଫଳରେ ଏହି ମହାବିପତ୍ତି ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ଅତିଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି । ରାଜ୍ୟ ସରକାର ଏଭଳି ପରିସ୍ଥିତିରେ ସେମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା କରିବାକୁ ବୈଠକରେ ଦାବୀ ହୋଇଥିଲା ।