ଗ୍ରାମାଞ୍ଚଳର ବିପର୍ଯ୍ୟୟ ପରିଚାଳନା ପାଇଁ ଆଭିମୁଖ୍ୟ ନିରୂପଣ ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଯେ କୌଣସି ବିପର୍ଯ୍ୟୟକୁ ସଫଳତାର ସହିତ ମୁକାବିଲା କରିବା ପାଇଁ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ । ଏଥିରେ ଗ୍ରାମର ନିର୍ବାଚିତ ପ୍ରତିନିଧି ଆବାହକ ରହିବେ । ଆଶାକର୍ମୀ, ଅଙ୍ଗନବାଡିକର୍ମୀ, ଗ୍ରାମର ଆଗ୍ରହ ଯୁବକଯୁବତୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ସଂପୃକ୍ତ କରାଯିବ । ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମୀ ଏମାନଙ୍କୁ ତାଲିମ ଦେବେ । ପ୍ରତ୍ୟେକ ବିପର୍ଯ୍ୟୟ ପାଇଁ ସଂପୃକ୍ତ ଗ୍ରାମର ଭିନ୍ନ ଭିନ୍ନ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯିବ । ନିରାପଦ ସ୍ଥଳ ନିରୂପଣ, ସେ ସ୍ଥାନକୁ ଯିବା ପାଇଁ ବିକଳ୍ପ ରାସ୍ତା ସେଠାରେ ରହିବା ବ୍ୟବସ୍ଥା, ଖାଦ୍ୟ ପେୟ, ଆଲୋକୀ କରଣ ଆଦି ସବୁ ବିଷୟ ଉପରେ ତର୍ଜମା କରି କାର୍ଯ୍ୟ ଖସଡାରେ ଉଲ୍ଲେଖ କରାଯିବ । ଏବାବଦରେ ଗାଁ ଲୋକଙ୍କ ଅଭିମତ ନିଆଯିବ । ସମୟାନ୍ତରେ ଏହାର ପ୍ରାକ୍ ଅଭ୍ୟାସ କରାଯିବ । ପ୍ରାକ୍ ଅଭ୍ୟାସ୍ କେତେ ସଫଳ ହେଉଛି ତାର ଗତିବିଧି ନିରୀକ୍ଷଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୭ ଗୋଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ୨୨ ଗୋଟି ବ୍ଲକର ୧୦୫୦ଗୋଟି ଗ୍ରାମରେ ଏହା କାର୍ଯ୍ୟକାରୀ ହେବ । ପରବର୍ତୀ ପର୍ଯ୍ୟାୟରେ ବ୍ଲକ ମାନଙ୍କର ଅନ୍ୟାନ୍ୟ ଗ୍ରାମକୁ ଏହା ସଂପ୍ରସାରିତ ହେବ । ଯେଉଁ ଗ୍ରାମ ମାନଙ୍କରେ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ଅଛି ସେଠାରେ ଭିନ୍ନ କମିଟି କରାନଯାଇ ତାକୁହିଁ ପରିବର୍ଦ୍ଧିତ କରାଯିବ । ଛତ୍ରପୁର ସ୍ଥିତ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଆଭିମୁଖ୍ୟ ନିରୂପଣ ବୈଠକରେ ଅଧ୍ୟକ୍ଷତା କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଜିରୋ-କାଜୁଆଲିଟୀ ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବିପର୍ଯ୍ୟୟ ପରିଚାଳନା କମିଟି ଜିରୋ-କାଜୁଆଲିଟୀ ଆଭିମୂଖ୍ୟ ନେଇ ଅଗ୍ରସର ହେବାକୁ କହିଥିଲେ । ଓଡିଶାରେ ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟ ପରିଚାଳନାକୁ ଅଧିକ ସଶକ୍ତିକରଣ କରାଯାଇଛି । ଓଡିଶାର କାର୍ଯ୍ୟଶୈଳୀ ଆନ୍ତର୍ଜାତିକ ସ୍ତରରେ ଅନୁସୃତ ହେଉଛି । ରାଜ୍ୟରେ ପ୍ରାଥମିକ ପର୍ଯ୍ୟାୟରେ ଦଶହଜାର ଗ୍ରାମରେ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ ହେବ । ପରେ ଏହା ୫୦ ହଜାର ଗ୍ରାମକୁ ପରିବର୍ଦ୍ଧିତ ହେବ । ପ୍ରତ୍ୟେକ ଗ୍ରାମର ୨୫ ବର୍ଷ ପୂର୍ବର ବିପର୍ଯ୍ୟୟକୁ ତର୍ଜମା କରି ଭିବଷ୍ୟତ ନୀତି ନିର୍ଧାରଣ ହେବ । ଅତ୍ୟଧିକ ସମ୍ବେଦନଶୀଳ ଗ୍ରାମ ଗୁଡିକରେ ବିକଳ୍ପ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯିବ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓସଡୋମାର ମୁଖ୍ୟ ପରିଚାଳକ ଡ.ପ୍ରଦୀପ କୁମାର ନାୟକ, ରାଜ୍ୟ ପ୍ରକଳ୍ପ ଅଧିକାରୀ ସୁତନୁ ଠାକୁର, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଲକାନ୍ତ ସେଠୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରେୟ ଭାଉସାହେବଙ୍କ ସମେତ ଅନ୍ୟାନ୍ୟ ବିଭାଗୟୀ ଅଧିକାରୀ ଯୋଗଦେଇଥିଲେ । ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ପ୍ରଜ୍ଞାପରମିତା ଥାଟୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ପ୍ରକଳ୍ପ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା ସଂପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ ।