ଗ୍ରାମାଞ୍ଚଳ କୌଶଳ ବିକାଶ କ୍ଷେତ୍ରରେ ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟଭାବେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ୱୀକୃତି
ଭୁବନେଶ୍ୱର,୧–୧୦–୨୦୧୯ ଗ୍ରାମାଞ୍ଚଳରେ କୌଶଳ ବିକାଶ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ଗୁଣାତ୍ମକ ବିକାଶ ପାଇଁ ଅଭିନବ ଉପାୟ ଅବଲମ୍ବନ ନିମନ୍ତେ ଓଡ଼ିଶାକୁ ଜାତୀୟସ୍ତରରେ ସର୍ବଶ୍ରେଷ୍ଠ ରାଜ୍ୟଭାବେ ଭାରତ ସରକାର ସ୍ୱୀକୃତି ଦେଇଛନ୍ତି । ଏହାସହ ଗୁଣାତ୍ମକ ବିକାଶ ଯୋଗୁ ରାଜ୍ୟକୁ ଜାତୀୟ ସାଧନ କେନ୍ଦ୍ରଭାବେ ମଧ୍ୟ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି । ପ୍ୟାରିସ୍ ରେ ଆୟୋଜିତ ‘‘ଗ୍ଲୋବାଲ୍ ସ୍କିଲ୍ ମିଟ୍ଦଦ ରେ ମଧ୍ୟ ଓଡ଼ିଶାକୁ ଗ୍ରାମାଞ୍ଚଳରେ କୌଶଳ ବିକାଶ କ୍ଷେତ୍ରରେ ସର୍ବୋକୃଷ୍ଟ (ବେଷ୍ଟ୍ ସ୍କିଲିଂ ଷ୍ଟେଟ୍ ଇନ୍ ରୁରାଲ୍ ସ୍କିଲ୍ ଡେଭେଲପ୍ମେଣ୍ଟ୍ ) ର ଆନ୍ତର୍ଜାତିକ ମାନ୍ୟତା ମିଳିଛି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଅସୀତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓର୍ମାସ୍ର ଏକ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାପଡିଛି । ରାଜ୍ୟ ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ ଏ ବିଷୟରେ ସବିଶେଷ ସୂଚନା ଦେଇଥିଲେ । ଦିନ୍ ଦୟାଲ୍ ଉପାଧ୍ୟାୟ ଯୋଜନାରେ ନିଯୁକ୍ତି ସଂଯୋଜିତ କୌଶଳ ବିକାଶ ଯୋଜନା କାର୍ଯ୍ୟାନ୍ୱୟନର ଅଗ୍ରଗତି ବିଷୟରେ ବୈଠକରେ ସମୀକ୍ଷା ହୋଇଥିଲା । ଗ୍ରାମାଞ୍ଚଳରେ ୧୮ ରୁ ୩୫ ବର୍ଷ ଯୁବକ ଯୁବତୀ ମାନଙ୍କ ମଧ୍ୟରେ କୌଶଳ ବିକାଶ ପାଇଁ ଦୃଢ଼ ଅନୁପ୍ରେରଣା ସୃଷ୍ଟି କରିବା, ପ୍ରତିଟି ଘରେ ଏ ବାର୍ତ୍ତା ପହଞ୍ଚାଇବା ଏବଂ ତାଲିମ ସମୟରେ ଯେମିତି କେହି ଅଧାରୁ ଛାଡି ଚାଲିନଯାଆନ୍ତି ସେଥିପ୍ରତି ଯନିବାନ ହେବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଓରମାସ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଓରମାସ୍ ଏହି ଯୋଜନାର ରାଜ୍ୟ ନୋଡାଲ୍ ସଂସ୍ଥା ଭାବେ କାର୍ଯ୍ୟ କରୁଛନ୍ତି । ଓଡ଼ିଶାରୁ ତାଲିମପ୍ରାପ୍ତ ଯୁବକ ଯୁବତୀମାନଙ୍କ ନିମନ୍ତେ ନିଯୁକ୍ତି ପରବର୍ତ୍ତୀ ସହାୟତା ପାଇଁ ବଡ ବଡ ସଦର ମାନଙ୍କରେ ୩ଟି ନୂଆ ସ୍ଥାନାନ୍ତର ସହାୟତା କେନ୍ଦ୍ର (ମାଇଗ୍ରେସନ୍ ସପୋଟ୍ର୍ କେନ୍ଦ୍ର ) ପ୍ରତିଷ୍ଠା କରିବାକୁ ବୈଠକରେ ସ୍ଥିର ହୋଇଥିଲା । ହାଇଦ୍ରାବାଦ, ପୁନେ ଏବଂ ଭୁବନେଶ୍ୱରଠାରେ ଏହି କେନ୍ଦ୍ର ଖୋଲିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ, ବର୍ତ୍ତମାନ ତାମିଲନାଡୁର ତିରିପୁର, କଣ୍ଣ ର୍ାଟକର ବେଙ୍ଗାଲୁର ଏବଂ ରାଜସ୍ଥାନର ଭିୱାଡିଠାରେ ଓଡ଼ିଶା ସରକାରଙ୍କର ଏହି ସହାୟତା କେନ୍ଦ୍ରମାନ କାର୍ଯ୍ୟ କରୁଛି । ଏହି କେନ୍ଦ୍ର ଗୁଡିକ ମାଧ୍ୟମରେ ଓଡ଼ିଶାରୁ ତାଲିମପ୍ରାପ୍ତ ଯୁବକ ଯୁବତୀ ମାନଙ୍କୁ ପଂଜୀକରଣଠାରୁ ଆରମ୍ଭ କରି ନିଯୁକ୍ତି ଦାତାଙ୍କ ସହ ଯୋଗାଯୋଗ, ଆଇନ୍ ସହାୟତା, ଅଭିଯୋଗ ପ୍ରଶମନ ଆଦି ସହାୟତା ଯୋଗାଇଦିଆଯାଉଛି । ସେମାନଙ୍କ ପାଇଁ ମଧ୍ୟ ସ୍ୱାସ୍ଥ୍ୟ ଶିବିର ଏବଂ ସାପ୍ତାହିକ ଓ ମାସିକ ବନ୍ଧୁ ମିଳନ ଆଦି ଆୟୋଜନ କରାଯାଉଛି । ବୈଠକରେ ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ୩ ବର୍ଷିଆ କାର୍ଯ୍ୟ ଯୋଜନା ବିଷୟରେ ସମୀକ୍ଷା ହୋଇଥିଲା । ଏହି ୩ ବର୍ଷରେ ୧,୫୦,୦୦୦ ଯୁବକ ଯୁବତୀଙ୍କୁ ପ୍ରାୟ ୧୫୪୬ କୋଟି ଟଙ୍କା ବିନିଯୋଗରେ ତାଲିମ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଓରମାସ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସ୍ମୃତି ରଂଜନ ପ୍ରଧାନ ଜଣାଇଥିଲେ ଯେ ଚଳିତ ୨୦୧୯– ୨୦ ବର୍ଷ ପାଇଁ ଧାର୍ଯ୍ୟ ହୋଇଥିବା ୫୦,୦୦୦ ମଧ୍ୟରୁ ସେପେଫମ୍ବର ମାସ ୨୭ ତାରିଖ ସୁଦ୍ଧା ୨୦,୨୧୩ ଜଣଙ୍କୁ ତାଲିମ ଦିଆଯାଇଛି । ୨୦୧୮–୧୯ ବର୍ଷରେ ସମୁଦାୟ ୪୧,୩୦୮ ଜଣଙ୍କୁ ତାଲିମ ଦିଆଯାଇ ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩୧,୬୮୯ ଜଣଙ୍କୁ ନିଯୁକ୍ତି ମିଳିସାରିଛି । ୨୦୧୮–୧୯ ବର୍ଷରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ଏହି ତାଲିମ ପାଇଁ ଯୁବକ ଯୁବତୀମାନଙ୍କୁ ମାଗଣାରେ ଖାଦ୍ୟ, ରହଣୀ ଏବଂ ଆନୁସଂଗିକ ସୁବିଧା ଯୋଗାଇ ଦିଆଯାଏ । ବିଭିନ୍ନ ପାଠ୍ୟକ୍ରମ ପାଇଁ ତଲିମ ଅବଧି ୩ ମାସରୁ ୧୨ ମାସ ମଧ୍ୟରେ ହୋଇଥାଏ । ଓଡ଼ିଶା କୌଶଳ ବିକାଶ କର୍ତ୍ତୁପକ୍ଷ ଅଧ୍ୟକ୍ଷ ଶ୍ରୀ ସୁବ୍ରୋତୋ ବାଗ୍ଚୀ, ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶକ ଶ୍ରୀ ସ୍ମୃତି ରଂଜନ ପ୍ରଧାନଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଉମାକାନ୍ତ ମହାପାତ୍ର, ସୂଚନା ଅଧିକାରୀ, ମୁଖ୍ୟ ଶାସନ ସଚିବ