ଗ୍ରାମୀଣ ପାନୀୟ ଜଳ ଯୋଗାଣ ନେଇ ସମୀକ୍ଷା ବୈଠକ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବା ବେଳେ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ବିଷୟକୁ ନେଇ ପୋଲସରା ବ୍ଲକ ସମିତି ସଭା ଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ବୈଠକରେ ଯୋଗଦେଇ ସମୀକ୍ଷା କରିଥିଲେ। ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ ତୁଷାର କୁମାର ସାହୁ , ପୋଲସରା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା ଓ ସହକାରୀ ଯନ୍ତ୍ରୀ ଇଂ ପ୍ରଦୀପ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ପୋଲସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ନଳକୂପ ସମ୍ପର୍କରେ ବିଶଦ ଭାବେ ଆଲୋଚନା ହୋଇଥିଲା। ଯେଉଁ ସବୁ ନଳକୂପ ଅଚଳ ଅଛି ତୁରନ୍ତ ମରାମତି କରିବା ପାଇଁ ସ୍ଥିର କରାଗଲା । ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ ବିଷୟ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଯେଉଁ ପ୍ରକଳ୍ପ ଗୁଡିକ ବିଶେଷ ଅସୁବିଧା ଅଛି ସେହି ଗୁଡିକ ବିଷୟରେ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅବଗତ କରିବାକୁ ପରାମର୍ଶ ଦିଆଗଲା। କେଉଁ ସ୍ଥାନରେ ନୂତନ ନଳକୂପ ଆବଶ୍ୟକ ତାଲିକାଭୁକ୍ତ କରାଯାଇଥିଲା। ଖରାଦିନେ ଜନସାଧାରଣ ପାନୀୟ ଜଳ ପାଇଁ ଯେପରି ଅସୁବିଧା ର ସମ୍ମୁଖୀନ ହେବେନାହିଁ ସେଥି ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ଇଂ ସ୍ୱରୂପ ତ୍ରିପାଠୀ, ବିଭିନ୍ନ ପଞ୍ଚାୟତ ସରପଞ୍ଚ ଓ ସମିତି ମେମ୍ବର ଏବଂ ପଞ୍ଚାୟତ କର୍ମଚାରୀ ବୃନ୍ଦ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ