ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାର ସମୀକ୍ଷା କଲେ ଜିଲ୍ଲାପାଳ
କେନ୍ଦ୍ରାପଡା – କେନ୍ଦ୍ରାପଡା ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଶନିବାର କେନ୍ଦ୍ରାପଡା ଓ ଡେରାବିଶି ବ୍ଲକର ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ । ସମୀକ୍ଷାରୁ ଜଣାପଡିଥିଲା ଯେ କେନ୍ଦ୍ରାପଡା ବ୍ଲକରେ ୯୦୩ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୭୩ଜଣ ହିତାଧିକାରୀଙ୍କ ଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ସେହିଭଳି ୪୯୬ଜଣ ହିତାଧିକାରୀଙ୍କୁ ୨ୟ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଶ୍ରୀ ବର୍ମା ଆସନ୍ତା ସପ୍ତାହକ ମଧ୍ୟରେ କାର୍ଯ୍ୟାଦେଶର ୭୫ ପ୍ରତିଶତ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ଡେରାବିଶି ବ୍ଲକ ନିମନ୍ତେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୩୪ ଟାର୍ଗେଟ ଥିବା ବେଳେ ୯୬ ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ୩୭ଜଣ ହିତାଧିକାରୀ ଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା ସପ୍ତାହକ ମଧ୍ୟରେ ୭୫ପ୍ରତିଶତ ଗୃହର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଥିବା ସହିତ ଏ କ୍ଷେତ୍ରରେ କୈାଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଉଭୟ ବ୍ଲକର ଅଧିକାରୀ ଓ କର୍ମଚାରୀମାନଙ୍କୁ ତାଗିଦ କରିଦେଇଥିବା ଜଣାପଡିଛି । ଏହି ସମୀକ୍ଷା ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା,ଏପିଡି(ଗ୍ରାମ୍ୟ ଗୃହ ନିର୍ମାଣ)ପୁଷ୍ପା ରାଉଳ, କେନ୍ଦ୍ରାପଡା ବିଡିଓ ସୁଧିର କୁମାର ସିଂ, ଡେରାବିଶି ବିଡିଓ ଗୋପବନ୍ଧୁ ଭୋସାଗର,କେନ୍ଦ୍ରାପଡା ବ୍ଲକ ସହକାରୀ ଯନ୍ତ୍ରୀ ପରମାନନ୍ଦ ନାୟକଙ୍କ ସମେତ ଉଭୟ ବ୍ଲକର ପଂଚାୟତ ନିର୍ବାହୀ ଅଧିକାରୀ,ଗ୍ରାମ୍ୟ ଗୃହ ନିର୍ମାଣ ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀମାନେ ଉପସ୍ଥିତ ଥିଲେ ।