ଗ୍ରାମ ପଞ୍ଚାୟତର ବିକାଶ ଯୋଜନା ପାଇଁ ତାଲିମ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସିସିଡି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପରିସରରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଆନୁକୁଲ୍ୟରେ ଏକ ତିନିଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁମ୍ମା ବ୍ଲକର ନାମନଗଡ, ଜୀବା, ଝାମୀ, ଉଖୁରା ଓ କୁଜାସିଂ ଇତ୍ୟାଦି ପଞ୍ଚାୟତର ପଞ୍ଚାୟତ ପ୍ଲାନିଂ ସଦସ୍ୟ ସଦସ୍ୟାମାନେ ତଥା ସରପଞ୍ଚ, ୱାର୍ଡ ସଭ୍ୟ ସଭ୍ୟା, ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖଙ୍କ ସହ ମୋଟ ୫୦ଜଣ ଉପସ୍ଥିତ ରହି ତାଲିମ ହାସଲ କରିଥିଲେ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଦ୍ୱାରା ମନୋନିତ ଦୁଇଜଣ ପ୍ରଶିକ୍ଷକ ମନୋଜ କୁମାର ସାବତ, ଦେବୀ ମିଶାଲ ପ୍ରମୁଖ ତାଲିମଦାତା ଭାବେ ଯୋଗଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ମହିଳାମାନଙ୍କ ସକ୍ରିୟ ଅଂଶ ଗ୍ରହଣ ଓ ମହିଳାମାନଙ୍କ ବିଭିନ୍ନ ସମସ୍ୟାକୁନେଇ ଯୋଜନା ପ୍ରସ୍ତୁତ କରିବାକୁ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କ ଭୂମିକା ଉପରେ ଆଲୋକପାତ କରାଯାଇଥିଲା । ସିସିଡି ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂପାଦକ ଏ.ଜଗନ୍ନାଥରାଜୁ ଉପସ୍ଥିତ ରହି ପଞ୍ଚାୟତ ବିକାଶ ଯୋଜନା ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ମହିଳାମାନଙ୍କ ସକ୍ରିୟ ଅଂଶ ଗ୍ରହଣକୁ ଗୁରୁତ୍ୱଦେଇଥିଲେ । ସେହିପରି ଦ୍ୱିତୀୟ ଦିନରେ ସମସ୍ତ ସଦସ୍ୟ ସଦସ୍ୟା ଗୁମ୍ମା ବ୍ଲକର ଝାମୀ ଗ୍ରାମକୁ ପରିଭ୍ରମଣରେ ଯାଇ ସେଠାରେ ପଞ୍ଚାୟତ ବିକାଶ ଯୋଜନା ଉପରେ ଅନୁଧ୍ୟାନ କରିଥିଲେ । ଝାମୀ ଗ୍ରାମରେ ସମ୍ବଳମାନଚିତ୍ର, ସାମାଜିକ ମାନଚିତ୍ର ଓ ଗ୍ରାମର ବିଭିନ୍ନ ସମସ୍ୟାକୁ ଅନୁଧ୍ୟାନକରି ତାହା କିପରି ପଞ୍ଚାୟତ ଯୋଜନାରେ ସ୍ଥାନପାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସିସିଡିର ସଂଯୋଜକ ତପନ କୁମାର ପାଣିଗ୍ରାହୀ ପ୍ରମୁଖଙ୍କ ସହ ଅନ୍ୟମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ