ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଆଜି ଗ୍ରୀଷ୍ମପ୍ରବାହ ମୁକାବିଲା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ ଆନୁକୂଲ୍ୟରେ ପରିଚାଳିତ ଏହି ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ଅଂଶୁଘାତ ସମସ୍ୟା ଓ ତାହାର ସଫଳ ମୁକାବିଲା ପାଇଁ ଆବଶ୍ୟକ ଆଗୁଆ ପଦକ୍ଷେପ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ କ’ଣ ନେଇଛନ୍ତି ତାହା ସୁନିଶ୍ଚିତ କରିବା ସହ ଜିଲ୍ଲାପାଳଙ୍କୁ ଏବଂ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଅବଗତ କରିବା ପାଇଁ ସେ ଆଦେଶ ଦେଇଥିଲେ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରଦତ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ ସମସ୍ତ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜନସଚେତନତା ସୃଷ୍ଟି ପାଇଁ ସ୍ୱେଚ୍ଛାସେବୀ ସଂଗଠନ, ଜନପ୍ରତିନିଧି ଓ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏଥିପାଇଁ ବ୍ଲକ, ଗ୍ରାମପଞ୍ଚାୟତସ୍ତରରେ ଜନପ୍ରତିନିଧି, ସଂପୃକ୍ତ କ୍ଷେତ୍ର କର୍ମଚାରୀ ଓ ସ୍ଥାନୀୟ ଏନ୍‌ଜିଓ ସଂସ୍ଥାକୁ ନେଇ ସଚେତନତାମୂଳକ ବୈଠକ ଆୟୋଜନ କରିବାକୁ ପ୍ରତ୍ୟେକ ବ୍ଲକ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଦିନ ୧୧ଟାଠାରୁ ଅପରାହ୍ନ ୩ଘଟିକା ମଧ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତର ଆଶଙ୍କା ଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ସମୟ ସୀମା ମଧ୍ୟରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନକରିବା ସହ ଶ୍ରମିକମାନଙ୍କ ପାଇଁ ଛାୟାର ବ୍ୟବସ୍ଥା ଏବଂ ପ୍ରଚୁର ପାନୀୟ ଜଳର ବ୍ୟବସ୍ଥା କରିବାକୁ ଠିକା ସଂସ୍ଥାମାନଙ୍କୁ ଶ୍ରମ ଅଧିକାରୀ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ନିର୍ଦ୍ଦେଶ କିପରି କାର୍ଯ୍ୟକାରୀ ହେଉଛି ତାହା ମଧ୍ୟ ଶ୍ରମ ଅଧିକାରୀ ତଦାରଖ କରି ରିପୋର୍ଟ ପ୍ରଦାନ କରିବାକୁ ସେ ଆଦେଶ ଦେଇଥିଲେ । ଅଙ୍ଗନୱାଡି କେନ୍ଦ୍ର ଓ ସ୍କୁଲ ସମୟର ପରିବର୍ତ୍ତନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କରିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସେଠାରେ ପାନୀୟ ଜଳର ସୁବିଧା ଓ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ୍ ବିଭାଗୀୟ ଅଧିକାରୀମାନେ ମହଜୁତ କରାଇବେ । ପାଇପ୍ ଓ ନଳକୂପ ଜରିଆରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରାଇବା ସହ ଜଳକ୍ରିଷ୍ଟ ଅଞ୍ଚଳକୁ ଚିହ୍ନଟ କରାଯାଇ ଟ୍ୟାଙ୍କର ଯୋଗେ ଜଳ ଯୋଗାଇବାକୁ ଜନସ୍ୱାସ୍ଥ୍ୟ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ହାଟ, ଜନଗହଳି ସ୍ଥାନ ଓ ଛକ ଜାଗାମାନଙ୍କରେ ବ୍ଲକ ଓ ପୌର ପ୍ରଶାସନ ଦ୍ୱାରା ପରିଷ୍କାର, ପରିଚ୍ଛନ୍ନ ଓ ସ୍ୱାସ୍ଥ୍ୟକର ଜଳଛତ୍ର ବ୍ୟବସ୍ଥା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସଡକ ପରିବହନ ବ୍ୟବସ୍ଥାରେ ବସମାନଙ୍କରେ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଓଆରଏସ ପ୍ୟାକେଟ ଆଦି ମହଜୁଦ୍ ରଖିବା, ଖୋଲାଗାଡିରେ ଶ୍ରମିକ ପରିବହନ ନ କରିବା, ଓଭର ଲୋଡିଂ ନ କରିବା ଆଦି ଦିଗରେ ତଦାରଖ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସମସ୍ତ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଂଶୁଘାତ ଚିକିତ୍ସା ପାଇଁ ସ୍ୱତନ୍ତ୍ର କୋଠରୀ ଶଯ୍ୟା, ଡାକ୍ତର ଓ ନର୍ସ ନିଯୁକ୍ତ କରାଇବା, ନିରବଚ୍ଛିନ୍ନ ବିଦ୍ୟୁତ ପ୍ରବାହ, ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ ମହଜୁଦ ରଖିବା ସହ ୨୪ଘଣ୍ଟିଆ ଚିକିତ୍ସା ନିୟନ୍ତ୍ରଣ କକ୍ଷ ଖୋଲିବା, ଜିଲ୍ଲା ନିୟନ୍ତ୍ରଣ କକ୍ଷ, ତହସିଲ, ବ୍ଲକ, ଜନସ୍ୱାସ୍ଥ୍ୟ ବିଭାଗ, ପୌରାଞ୍ଚଳ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଆଦି ସଂପୃକ୍ତ ଅଫିସରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା, ଗୃହପାଳିତ ପଶୁମାନଙ୍କ ପାଇଁ ପୋଖରୀ ଓ କେନାଲରେ ପାଣି ଯୋଗାଇବା ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଅଂଶୁଘାତ ଆଶଙ୍କା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବାକୁ ଟିପିସିଓଡିଏଲ୍ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା । ଅଂଶୁଘାତ ଜନିତ ମୃତ୍ୟୁ ଖବର ୨୪ ଘଣ୍ଟା ମଧ୍ୟରେ ପ୍ରଶାସନକୁ ଜଣାଇବା ସହ ଡାକ୍ତର ଓ ସ୍ଥାନୀୟ ତହସିଲଦାରଙ୍କ ଦ୍ୱାରା ଯୁଗ୍ମ ତଦନ୍ତ କରାଯାଇ ଶବ ବ୍ୟବଚ୍ଛେଦ ରିପୋର୍ଟ ୩୬ ଘଣ୍ଟା ମଧ୍ୟରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଅବଗତ କରାଇବା ପାଇଁ ଥିବା ଉଦ୍ଦିଷ୍ଟ ନିୟମ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରସ୍ତୁତି ବୈଠକର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପିତାମ୍ବର ସାମଲ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ସହଯୋଗ ଓ କର୍ତ୍ତବ୍ୟନିଷ୍ଠ ଯୋଗୁଁ ଜିଲ୍ଲାରେ ଗତବର୍ଷ ଅଂଶୁଘାତ ମୃତ୍ୟୁ ସଂଖ୍ୟା ଶୂନ୍ୟ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପଣ୍ଡା, ଡେପୁଟି କଲେକ୍ଟର ପଲ୍ଲବୀ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନିତା ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଦୀପ୍ତି ମହାପାତ୍ର, ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାର, ବିଭିନ୍ନ ବିଦ୍ୟୁତ୍ ବିଭାଗର ବିଭାଗୀୟ ନିର୍ବାହୀ ଯନ୍ତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆର ସିଂହ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଜରୁରୀକାଳୀନ ବିଭାଗର କର୍ମଚାରୀମାନେ ବୈଠକର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ