ଗ୍ରୀଷ୍ମ ପ୍ରବାହକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ

ବାଲେଶ୍ୱର : ପ୍ରାୟ କେତେ ଦିନ ଧରି ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି । ଯାହା ଫଳରେ ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନତ୍ ସମସ୍ତଙ୍କର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ରହୁଛଥିବା ବେଳେ ବାଲେଶ୍ୱର ମଧ୍ୟ ସେଥିରୁ ବାଦ୍ ପଡିନି । ଦିନ ୧୦ଟା ପରେ ରାସ୍ତାକୁ ବାହାରିବା କଷ୍ଟକର ହୋଇପଡିଛି । ବିଭିନ୍ନ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନସାଧାରଣଙ୍କୁ ଅତିଷ୍ଠ କରିଦେଇଛି । ସହରର ବିଭିନ୍ନ ସ୍ଥାନରେ ଆଖୁ ଦୋକାନ, ତରବୁଜ ଦୋକାନ, ଲସି ଦୋକାନମାନଙ୍କରେ ପ୍ରବଳ ଭିଡ ଲାଗିଥିବାର ଦେଖିବାକୁ ମିଳୁଛି । ଏତେ ଗରମ ସତ୍ତେ୍ୱ ପେଟ ଚାଖଣ୍ଡେ ପାଇଁ ଦିନ ମଜୁରିଆମାନେ କାମକୁ ଆସି ଦିନ ୨ଟା ପରେ ଫେରୁଥିବାର ଦେଖିବାକୁ ମିଳୁଛି । ସେତେବେଳେ ସେମାନଙ୍କର ପରିସ୍ଥିତି ଦେଖିଲେ କେହି ବି ଜଣେ ଦୁଃଖରେ ତରଳିଯିବ । ବୃଦ୍ଧ, ଛୋଟ ପିଲାମାନେ ଅସହ୍ୟ ଗରମରେ ଛଟପଟ ହେଉଛନ୍ତି । ଯଦିଓ ଏ.ସି. ଓ ଫ୍ୟାନ୍ ଦୋକାନରେ ଭିଡ ଲାଗିରହୁଛି, ଅଧିକାଂଶ ଘରେ ଏ.ସି ଲାଗିଛି କିନ୍ତୁ ତାଙ୍କର ଦାଉ ସାଜୁଛି ବିଜୁଳି ବିଭାଗ । ଘନ ଘନ ବିଜୁଳି କାଟ୍ ସାଧାରଣ ଜୀବନଯାପନକୁ ଅଧିକ ଜଟିଳ ଆଡକୁ ନେଇଯାଉଛି । ବିଦ୍ୟୁତ୍ ବିଭାଗର ମନମୁଖୀ କାର୍ଯ୍ୟ ପାଇଁ ଘନ ଘନ ବିଜୁଳି କାଟ୍ ଯୋଗୁଁ ଲୋକମାନେ ଦିନ କିମ୍ବା ରାତିରେ ଶାନ୍ତିରେ ଶୋଇପାରୁନାହାନ୍ତି । କେତେକ ସ୍ଥାନରେ ବାରମ୍ବାର ବିଦ୍ୟୁତ୍ କାଟ୍କୁ ନେଇ ଜନ ଅସନ୍ତୋଷ ଦେଖାଯାଉଛି । ଆଗାମୀ ଦିନରେ ତାହା ଅଣାୟତ ହୋଇପାରେ ବୋଲି କେହି କହିନପାରନ୍ତି । ବିଦ୍ୟୁତ୍ ବିଭାଗ କର୍ତ୍ତୃପକ୍ଷଙ୍କ କହିବା କଥା ବିଦ୍ୟୁତ୍ ବ୍ୟବହାର ପାଇଁ ଯେତିକି ପରିମାଣରେ ବିଦ୍ୟୁତ୍ ଅଣାଯାଉଛି ତାଠାରୁ ଅଧିକ ପରିମାଣରେ ବିଦ୍ୟୁତ୍ ବ୍ୟବହାର ହେଉଥିବାରୁ ଲୋଡ ସହିନପାରି ଲାଇନ ଆପେ ଆପେ ଚାଲିଯାଉଛି । ଲୋକମାନେ ସେମାନଙ୍କ ଘରେ ଏ.ସି. ଓ କୁଲର ଓ ଅଧିକ ପଙ୍ଖା ବ୍ୟବହାର କରୁଥିବାରୁ ଏଭଳି ପରିସ୍ଥିତି ଉପୁଜୁଥିବା କୁହାଯାଉଛି । ବାସ୍ତବରେ ଏହି କଥାକୁ ଜନସାଧାରଣ ମାନିବାକୁ ନାରାଜ । ଏପରିକି ସାମାନ୍ୟ ବର୍ଷା ବା ପବନ ଟିକେ ହେଲେ ଲାଇନ୍ କଟାଯାଉଛି କାହିଁକି ବୋଲି ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି । ଏହିପରି ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ଆଗକୁ ପରିସ୍ଥିତି ଅଧିକ ଭୟଙ୍କର ହେବା ଘଟଣାକୁ ଅସ୍ୱୀକୀର କରାଯାଇନପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ