ଗ୍ରୀଷ୍ମ ପ୍ରବାହ ବୈଠକ ମାର୍ଚ୍ଚ ୧୫ରୁ କାର୍ଯ୍ୟକାରୀ ହେବ ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ସଦଭାବନା ସଭାଗୃହରେ ଆଗାମୀ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମପ୍ରବାହରେ ଯେପରି ଧନଜୀବନ ବିପର୍ଯ୍ୟସ୍ତ ନ ହୁଏ, ଜନସାଧାରଣ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ ବିଷୟରେ ଆଲୋଚନା କରି ଜିଲ୍ଲାପାଳ ଗ୍ରାମ୍ୟ ଜଳଯୋଗାଣ, ଜନସ୍ୱାସ୍ଥ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପରିବହନ ବିଭାଗ, ରାଜସ୍ୱ ବିଭାଗ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକୁ ଜାଗତୟାର ରହିବାକୁ ପରାମର୍ଶ ଦେଇଛନ୍ତି । ପ୍ରଚଣ୍ଡ ରୌଦ୍ରରେ ଯେପରି ଯାନବାହାନରେ ଯାତ୍ରୀ ଯାତ୍ରା କରି ଅଂଶୁଘାତର ଶିକାର ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ଆଂଚଳିକ ପରିବହନ ଅଧିକାରୀଙ୍କୁ ବସଗୁଡିକର ସମୟ ସାରଣୀରେ ସାମାନ୍ୟ ପରିବର୍ତନ କରିବାକୁ କୁହାଯାଇଛି । ଅଂଶୁଘାତ ସୂଚନା ନିମନ୍ତେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ, ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ, ତହସିଲଦାର କାର୍ଯ୍ୟାଳୟର ଟେଲିଫୋନ ୨୪ ଘଂଟିଆ ଭାବେ ଖୋଲା ରହିବ । ତା ଛଡା ୧୯୧୬ ନିଃଶୁଳ୍କ ଟେଲିଫୋନ ଏହି ସେବା ଯୋଗାଇବା ପାଇଁ ପ୍ରସ୍ତୁତ ରହିବ । ଖରାଦିନେ ଜଳକ୍ଲିଷ୍ଟ ସ୍ଥାନଗୁଡିକରେ ବାଟୋଇ, ଯାତ୍ରୀ ତଥା ସାଧାରଣ ଜନତାଙ୍କ ତୃଷ୍ଣା ମେଂଟାଇବା ସକାଶେ ଜଳଛତ୍ରଗୁଡିକ ସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ବିଡିଓମାନେ ନିଜ ନିଜ ବ୍ଲକ ଅଂଚଳର ଜନଗହଳି ସ୍ଥାନ ଚିହ୍ନଟ କରି ଏ ଦିଗରେ ପଦକ୍ଷେପ ନେବେ । ସେହିପରି ସହରାଂଚଳଗୁଡିକ ପାଇଁ ନିର୍ବାହୀ ଅଧିକାରୀମାନଙ୍କୁ ତା’ର ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଗାଈ, ଗୋରୁ ତଥା ଅନ୍ୟାନ୍ୟ ପାଳିତ ପଶୁପକ୍ଷୀମାନଙ୍କ ପାଇଁ ଚହଳା ତଥା ନଳକୂପଗୁଡିକ ନିକଟରେ ବୋହିଯାଉଥିବା ଜଳ ସଂରକ୍ଷଣ କରିବା ବନ୍ଦୋବସ୍ତ କରିବାକୁ କୁହାଯାଇଛି । ବନଖଣ୍ଡ ଅଧିକାରୀଙ୍କୁ ସଂରକ୍ଷିତ ଜଙ୍ଗଲ ଅଂଚଳରେ କ୍ଷୁଦ୍ର ଜଳାଶୟ ସୃଷ୍ଟି କରିବା ପାଇଁ କୁହାଯାଇଛି । ଏଥିପାଇଁ ଆବଶ୍ୟକସ୍ଥଳେ ସ୍ୱୟଂସେବୀ ଅନୁଷ୍ଠାନଙ୍କୁ ମଧ୍ୟ ସାମିଲ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ପୂର୍ବରୁ ରହିଥିବା ସରକାରୀ ନିର୍ଦ୍ଦେଶ ପ୍ରକାରେ ସ୍କୁଲ, କଲେଜ ସକାଳ ୬.୩୦ମିନିଟରୁ ୧୦.୩୦ମିନିଟ୍ ମଧ୍ୟରେ ଖୋଲିବାକୁ ଏବଂ କଳକାରଖାନାର ଶ୍ରମିକଙ୍କ କାର୍ଯ୍ୟ ସମୟ ପରିବର୍ତନ ପାଇଁ ପଦକ୍ଷେପ ନେବାକୁ ଡି.ଏଲ.ଓ.ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ କାର୍ଯ୍ୟସ୍ଥଳୀରେ ପାନୀୟ ଜଳର ସୁବିଧା, ବିଶ୍ରାମସ୍ଥଳୀ କରିବାକୁ କୁହାଯାଇଛି । ଗ୍ରାମାଂଚଳରେ ଥିବା ଅଚଳ ନଳକୂପଗୁଡିକୁ ହାଇଡ୍ରୋଫାକଚର କରି ଅଧିକ ଜଳ ଅମଳ କରିବା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ପାଇଁ ଆଗୁଆ ଭାବେ ବରାଦ କରିବାକୁ ବିଡିଓମାନଙ୍କୁ କୁହାଯାଇଛି । ତତ୍ବ୍ୟତୀତ ପଂଚାୟତ ଅଧିନରେ କାର୍ଯ୍ୟ କରୁଥିବା ଆତ୍ମନିଯୁକ୍ତ କାରିଗରମାନଙ୍କୁ ନଳକୂପ ମରାମତି କାର୍ଯ୍ୟରେ ନିୟୋଜନ କରିବାକୁ କୁହାଯାଇଛି । ଏଥି ସହ ପ୍ରତି ବ୍ଲକରେ ନିୟନ୍ତ୍ରଣ କକ୍ଷ ସ୍ଥାପନ କରି ଏକ ସ୍ଥାୟୀ ଯୋଗାଯୋଗ ନମ୍ବର ଜନସାଧାରଣଙ୍କୁ ଜଣାଇଲେ ଆବଶ୍ୟକସ୍ଥଳେ ନିୟନ୍ତ୍ରଣ କକ୍ଷ ସହ ଲୋକେ ଯୋଗାଯୋଗ କରି ଜଳ ସମସ୍ୟାଜନିତ ଅଭିଯୋଗ କରିପାରିବେ ବୋଲି ପରାମର୍ଶ ଦିଆଯାଇଛି । ଅଂଶୁଘାତ ମୃତ୍ୟୁ ଘଟଣାର ତଦନ୍ତ ଯୁଗ୍ମ ଭାବେ ତହସିଲଦାର ଓ ମେଡିକାଲ ଅଫିସରଙ୍କ ଦ୍ୱାରା କରାଯାଇ ତାହାର ଅନୁସନ୍ଧାନ ରିପୋର୍ଟ ଜିଲ୍ଲାପାଳଙ୍କୁ ୨୪ ଘଂଟା ମଧ୍ୟରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାର୍ଚ୍ଚ ୧୫ରୁ ଜିଲ୍ଲାସ୍ତରୀୟ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରୀ ନେଇ ବୈଠକରେ ନିଷ୍ପତି ହୋଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯଥେଷ୍ଟ ପରିମାଣରେ ଓ.ଆର.ଏସ., ଔଷଧ ମହଜୁଦ ରଖିବା ଏବଂ ଅଂଶୁଘାତରୁ ରକ୍ଷା ପାଇଁ କଣ କରିବା ଏବଂ ନ କରିବା ଉଚିତ ସେ ସମ୍ପର୍କରେ ସ୍ୱାସ୍ଥ୍ୟ କାନ୍ଥ ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ଏହି ବୈଠକରେ ପିଡି ତ୍ରିଲୋଚନ ପ୍ରଧାନ, ବାଲେଶ୍ୱର ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ନୀଳଗିରି ଉପଜିଲ୍ଲାପାଳ ବିଶାଲ ସିଂହ, ଜରୁରୀକାଳୀନ ଅଧିକାରୀ ଅଭୟ କୁମାର ନାୟକଙ୍କ ସମେତ ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।