ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାକୁ ନେଇ ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ
ଭୁୁବନେଶ୍ୱର, (ୱାଇଏନ୍ଏସ୍):ଗ୍ୟାଙ୍ଗଷ୍ଟର ହାଇଦର ଏସସିବି ମେଡିକାଲ କଲେଜ ଓ ହସପିଟାଲରୁ ଫେରାର ଘଟଣାରେ ଡିଜିପିଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ପରେ କ୍ରାଇମବ୍ରାଂଚ ଏଡିଜି ସୂଚନା ଦେଇଥିଲେ ଯେ ସମସ୍ତ ସୀମାନ୍ତବର୍ତୀ ଅଂଚଳରେ ନଜର ରଖାଯାଇଛି । ସବୁ ଜିଲ୍ଲାର ଏସ୍ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଷ୍ଟେସନ, ବିମାନ ବନ୍ଦର ଓ ବସ୍ଷ୍ଟାଣ୍ଡ ଉପରେ ବି ନଜର ରଖାଯାଇଛି । ୫ରୁ ୬ଟି ଟିମ୍ ଗଠନ କରାଯାଇଛି । ସିସିଟିଭି ଫୁଟେଜ ଦେଖୁଛୁ । ଖୁବଶୀଘ୍ର ହାଇଦରକୁ ଗିରଫ କରାଯିବ ବୋଲି ସେ କହିଛନ୍ତି । ଏହି ବୈଠକ ପରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ, ସର୍ଭେଲାନ୍ସକୁ କଡ଼ାକଡ଼ି କରାଯାଇଛି । ଯଥାଶୀଘ୍ର ହାଇଦରକୁ ଗିରଫ କରିବାକୁ ପ୍ରକ୍ରିୟା ଜାରି ରହିଥିବା ସେ ପ୍ରକାଶ କରିଛନ୍ତି । ଉଲ୍ଲେଖନୀୟ େ ଯ କଟକ ବଡ଼ ଡାକ୍ତରଖାନାରେ ହାଇଦର ଚିକିତ୍ସାଧୀନ ଥିବା ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ସେ ସେଠାରୁ ଫେରାର ହୋଇଯାଇଥିଲା । ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା ପୁଲିସକୁ ମଧ୍ୟ ଆଲର୍ଟ କରାଯାଇଛି। ତଥାପି ହାଇଦରକୁ ଧରିବାରେ ସକ୍ଷମ ହୋଇପାରିନି ପୁଲିସ।ଗତକାଲି କଟକ ଡିସିପି ପ୍ରତୀକ ସିଂଙ୍କ କାର୍ଯ୍ୟାଳୟରେ ମଧ୍ୟ କମିଶନରେଟ୍ ପୁଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବଛାବଛା ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ହାର୍ଡକୋର କ୍ରିମିନାଲ ହାଇଦରକୁ ଖୁବ୍ ଶୀଘ୍ର ଠାବ କରାଯିବ ବୋଲି ଆଶା ରଖିଛନ୍ତି ପୁଲିସ କମିଶନର। ସେପଟେ ଗ୍ୟାଙ୍ଗଷ୍ଟର ହାଇଦର ଅଲ୍ଲୀ କଟକ ବଡ଼ ମେଡିକାଲରୁ ଫେରାର ହୋଇଯିବା ପରେ ହାଇଆଲର୍ଟରେ କେନ୍ଦ୍ରାପଡ଼ା। କେନ୍ଦ୍ରାପଡ଼ା ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚାଲିଛି କଡା ଚେକିଂ। ରାଜ୍ୟ ରାଜପଥ ଓ ଜାତୀୟ ରାଜପଥର ଉଭୟ ପଟରୁ ଆସୁଥିବା ଗାଡିଗୁଡିକୁ ପୁଲିସ ଅଟକାଇ ତନତନ କରି ଯାଞ୍ଚ କରୁଛି। ସୂଚନା ଅନୁଯାୟୀ, ୨୦୦୫ରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ନିକଟରେ ଗ୍ୟାଙ୍ଗଷ୍ଟର ସେକ୍ ସୁଲେମାନର ଭାଇ ସେକ୍ ଚୁନା ଓରଫ ମାଲିକ ହନନ୍କୁ ହତ୍ୟା ଘଟଣାରେ ହାଇଦର ସମେତ ଅନ୍ୟ ସାତଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ପରେ ୨୦୧୪ରେ ହାଇଦର ପାରୋଲରେ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଖଣି ମାଲିକ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ହାଇଦର୍ର ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ପୁଲିସ ତାକୁ ଗିରଫ କରିଥିଲା। ୨୦୧୫ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ଏହି ୨ଟି ମାମଲାରେ ହାଇଦରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେ ଝାରପଡା ଜେଲ୍ରେ ସଜା କାଟୁଥିଲା। ପରେ ୨୦୧୭ରେ ହାଇଦରକୁ ସମ୍ବଲପୁର ସର୍କଲ ଜେଲ୍କୁ ପଠାଇ ଦିଆଯାଇଥିଲା।