ଗ୍ୟାସ୍ କର୍ମଚାରୀଙ୍କୁ ମାଡ ମାରି ଟଙ୍କା, ମୋବାଇଲ ଛଡାଇ ନେଲେ
ବନ୍ତ,(ଚାନ୍ଦିନୀ ମହାନ୍ତି) : ସୋମବାର ବନ୍ତ ବ୍ଲକ ଆଗରପଡା ଥାନା ଅଧିନ ବିଶଲକଣା ଛକ ଠାରେ ୩ ଜଣ ଯୁବକ ଏକ ଗ୍ୟାସ୍ ବିତରଣ ପିକ୍ ଅପ୍ ଭ୍ୟାନ୍କୁ ଅଟକାଇ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଓ ମୋବାଇଲ ଫୋନ୍ ଛଡାଇ ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ଆଗରପଡା ଅଞ୍ଚଳର ଏକ ଗ୍ୟାସ୍ ବିତରଣ ପିକ୍ ଅପ୍ ଭ୍ୟାନ୍ ବରପଦା ଯାଉଥିବା ବେଳେ ୩ ଜଣ ଯୁବକ ଏକ ବାଇକ୍ ଯୋଗେ ପିଛା କରି ପିକ୍ ଅପ୍ ଭ୍ୟାନ୍କୁ ଅଟକାଇ ଥିଲେ । ଜଣେ ଯୁବକ ଚାଳକଙ୍କ ବେକରେ ଭୁଜାଲି ଲଗାଇ ପିକ୍ ଅପ୍ ଭ୍ୟାନକୁ ଗଣ୍ଡକୋରାସ୍ଥିତ ଏକ ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ଗ୍ୟାସ୍ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଓ ମୋବାଇଲ୍ ଫୋନ୍ ଛଡାଇ ନେଇଥିଲେ । କୌଣସି ସୂତ୍ରରୁ ପୋଲିସ ଖବର ପାଇ ସଂପୃକ୍ତ ଗାଡି, ଚାଳକ ଓ କର୍ମଚାରୀଙ୍କୁ ଉଦ୍ଧାର କରିବା ସହିତ ଏଥିରେ ସଂପୃକ୍ତ ୨ ଜଣଙ୍କୁ କାବୁ କରି ଥାନାକୁ ଆଣିଥିଲେ । ଅନ୍ୟ ଜଣେ ଯୁବକ ଫେରାର ହୋଇଯାଇଥିବା ଜଣାଯାଇଛି । ଏନେଇ ଗ୍ୟାସ୍ କର୍ମଚାରୀ କାର୍ତ୍ତିକ ଚନ୍ଦ୍ର ରାଉତଙ୍କ ଅଭିଯୋଗ କ୍ରମେ ପୋଲିସ କେସ ନଂ-୮୧/୨୦ ମୂଳେ ମାମଲା ରୁଜ୍ଜୁ କରି ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି ।