ଘଡଘଡାପଲ୍ଲୀ ଗ୍ରାମ ଏବଂ ନରେନ୍ଦ୍ରପୁର ପଂଚାୟତ ସଟ ଡାଉନ ଘୋଷଣା କଲେ ସରପଞ୍ଚ

ଛତ୍ରପୁର, (ଓ୍ବାଇଏନ୍ଏସ୍) : ସାରା ଦେଶ ଏବେ କରୋନା ଭଳି ମହାମାରି ସହ ଲଢେଇ କରୁଛି । ସାରା ଦେଶ କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଦିନ ରାତି ଏକ କରି କାର୍ଯ୍ୟ କରିଆସୁଛନ୍ତି । ରାଜ୍ୟର ସମସ୍ତ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରି ପୂର୍ବରୁ ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି । ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଏବଂ ନରେନ୍ଦ୍ର ପୁର ଗ୍ରାମ ପଂଚାୟତ ର ସରପଂଚ ନିଜ ଅଞ୍ଚଳର ଲୋକଙ୍କୁ ଏହି ମହାମାରି ରୁ ରକ୍ଷା କରିବା ପାଇଁ ଶନିବାର ଠାରୁ ୫ଦିନ ପାଇଁ ସଟଡାଉନ ଘୋଷଣା କରି ଜିଲ୍ଲାପାଳଙ୍କ କ୍ଷମତାର ବ୍ୟବହାର କରିଛନ୍ତି । ସଂକ୍ରମଣରୁ ନିଜ ଅଂଚଳର ବାସିନ୍ଦାଙ୍କୁ ରକ୍ଷା କରିବା ପାଇଁ ଦୁଇ ସରପଂଚ ୫ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଶ୍ରୀରାମପୁର ଗ୍ରାମ ପଂଚାୟତର ସରପଞ୍ଚ ରେବତୀ ପ୍ରଧାନ ଘଡଘଡାପଲ୍ଲୀ ଗ୍ରାମକୁ ପାଞ୍ଚ ଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି l ଏହା ସହ ଗ୍ରାମକୁ ସଂଯୋଗ ଥିବା ସମସ୍ତ ପ୍ରବେଶ ପଥ କୁ ମଧ୍ୟ ସିଲ କରାଯାଇଛି ଏବଂ ଗ୍ରାମର କୌଣସି ଲୋକ ବାହାରକୁ ନଯିବା ପାଇଁ ସେ କହିଛନ୍ତି l ଏହା ସହ ପଂଚାୟତର ସମସ୍ତ ଗ୍ରାମକୁ ଧେଣ୍ଡୁରା ମାରି ସଚେତନ କରିବା ସହ ସମସ୍ତେ ସୁରକ୍ଷିତ ରହିବା ନିମନ୍ତେ ସରପଂଚ ଶ୍ରୀମତୀ ପ୍ରଧାନ କହିଛନ୍ତି । ସୂଚନା ଯୋଗ୍ୟ ଯେ ପୂର୍ବରୁ ଘଡ଼ଘଡ଼ାପଲ୍ଲୀ ଗ୍ରାମର ୫ଜଣଙ୍କ ବ୍ୟକ୍ତିଙ୍କର ସ୍ୱାବ୍ ଟେଷ୍ଟ କରିବା ନିମନ୍ତେ ପଠାଯାଇଥିବା ବେଳେ ଗତକାଲି ୩ଜଣଙ୍କ ପଜିଟିଭ୍ ଥିବା ଜଣାପଡ଼ିଥିଲା । ଏନେଇ ଗତକାଲି ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ଘଡ଼ଘଡ଼ାପଲ୍ଲୀ ଗ୍ରାମକୁ ସିଲ୍ କରିବା ସହ ସମସ୍ତ ଲୋକଙ୍କୁ ବାହାରକୁ ନବାହାରିବା ନିମନ୍ତେ ପ୍ରଶାସନ ଅଧିକାରୀମାନେ ଲୋକ ମାନଙ୍କୁ ସଚେତନା କରିଥିଲେ । ଏଥିରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଅତିରିକ୍ତ ତହସିଲଦାର ଜଶ୍ମିନ ପ୍ରଧାନ, ଛତ୍ରପୁର ବିଡିଓ ତଥା ଏପିଡି ଅମ୍ବିକା ପ୍ରସାଦ ଦାସ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଓ ତାଙ୍କ ଟିମ୍ ଏବଂ ଚମାଖଣ୍ଡି ଥାନା ଅଧିକାରୀ ସୀତଂଶୁ ଶେଖର ମାନ୍ଦାତା ପ୍ରମୁଖ ଉପସ୍ଥିତ ଥିଲେ । ଶନିବାର ଏହାର ସୁଚନା ପାଇ ଶ୍ରୀରାମଚନ୍ଦ୍ରପୁର ସରପଂଚ ରେବତୀ ପ୍ରଧାନ, ନୋଡାଲ୍ ଅଫିସର ତଥା ଚମାଖଣ୍ଡି ଆରଆଇ ସ୍ୱପ୍ନେଶ୍ୱର ପାଳ, ଅଙ୍ଗନବାଡ଼ି କର୍ମୀ ଗାୟତ୍ରୀ ମହାନ୍ତି, ଅଶାକର୍ମୀ ଦମୟନ୍ତି ସାହୁ, ଗ୍ରାମ କମିଟି ସଭାପତି ଡି. ରାଜା ରାଓ ପାତ୍ର, ସାମାଜିକ କର୍ମୀ ଜି. ଦିଲେଶ୍ୱର ରେଡ୍ଡି, ଲିଙ୍ଗରାଜ ପ୍ରଧାନ, ଜିଆରଏସ୍ ଦାମୋଦର ସାହୁ, ନାୟବ ସରପଂଚ ଏମ୍‌. ରଘୁନାଥ ରେଡ୍ଡି, ୱାର୍ଡ ମେମ୍ବର ପି. କ୍ରିଷ୍ଣା ପ୍ରମୁଖ ଯାଇ ଲୋକମାନଙ୍କୁ ସଚେତନା କରିବା ସହ ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଲୋକମାନେ କିପରି ସୁରକ୍ଷିତ ରହିବେ ସେଥି ନିମନ୍ତେ ସମସ୍ତ କାର୍ଯ୍ୟ କରୁଛନ୍ତି । ସେହିପରି ନରେନ୍ଦ୍ରପୁର ସରପଂଚ ବାବୁଲା କୁମାର ବେହେରା ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଶନିବାର ନରେନ୍ଦ୍ରପୁର ଗ୍ରାମ ପଂଚାୟତକୁ ୫ଦିନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏହା ସହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସାହିକୁ ମଧ୍ୟ ଯାଇ ସମସ୍ତ ଯାତାୟତ ପ୍ରବେଶ ପଥ ସିଲ୍ କରିବା ସହ ଲୋକାମାନେ ଭୟଭୀତ ନହୋଇ ସୁରକ୍ଷାରେ ରହିବା ନିମନ୍ତେ କହିଛନ୍ତି । ଏହାକୁ ସମର୍ଥନ କରି ପଂଚାୟତର ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ ମଧ୍ୟ ସଟ୍ ଡାଉନ ଘୋଷଣାକୁ ସରପଂଚଙ୍କ ଉତମ କାର୍ଯ୍ୟ ବୋଲି କହିବା ସହ ପଂଚାୟତର ସମସ୍ତ ପ୍ରତିନିଧିଙ୍କୁ ଧରି ନରେନ୍ଦ୍ରପୁର ଗ୍ରାମରେ ପରିକ୍ରମା କରି ସମସ୍ତଙ୍କୁ ସଚେତନା କରାଇଛନ୍ତି l ଏହା ସହ ବିଭିନ୍ନ ଗାଁ ର ସମସ୍ତ ପ୍ରବେଶ ପଥ ମଧ୍ୟ ପଂଚାୟତ ପକ୍ଷରୁ ସିଲ୍ କରାଯାଇଛି । ଏଥିରେ ନରେନ୍ଦ୍ରପୁରର କାର୍ଯ୍ୟନିର୍ବାହୀ ଅଧିକାରୀ ଦଣ୍ଡପାଣି ପ୍ରଧାନ, ନରେନ୍ଦ୍ରପୁର ଆରଆଇ ତଥା ନୋଡାଲ୍ ଅଧିକାରୀ ଜି. ଦୁର୍ବାସା, ଜି.ଆର୍‌.ଏସ୍ ବସନ୍ତ କୁମାର ରାଉଳ, ଅଙ୍ଗନବାଡ଼ି କର୍ମୀ ମମତା ମଲ୍ଲିକ, ଆଶା କର୍ମୀ, ସଙ୍ଗିତା ବାଡ଼ତ୍ୟା, କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଵସରରେ ନରେନ୍ଦ୍ରପୁର ଗ୍ରାମପଂଚାୟତ ପକ୍ଷରୁ ଘରକୁ ଘର ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରକାର ପଡ଼ିଲେ ପହଂଚାଯିବ ବୋଲି ସରପଂଚ ଶ୍ରୀ ବେହେରା କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ