ଘରଭଡ଼ା ସମ୍ପୂର୍ଣ୍ଣ ମାଗଣା
ବର୍ତ୍ତମାନ ସମୟରେ ମଣିଷ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ମୁଣ୍ଡ ଉପରେ ଛାତଟିଏ। ଖାଦ୍ୟ, ପୋଷାକ ଓ ବାସଘର ମଣିଷର ସବୁଠାରୁ ବଡ଼ ଆବଶ୍ୟକତା ଥିବା ବେଳେ ବର୍ତ୍ତମାନର ମହରଗ ଦୁନିଆରେ ଘରଟିଏ ମିଳିବା ସବୁଠାରୁ ବଡ଼ କଷ୍ଟକର ବ୍ୟାପାର। ବିଶେଷ କରି ସହରାଞ୍ଚଳରେ ଏହି ସମସ୍ୟା ଅଧିକ ଗୁରୁତର ରୂପ ଧାରଣ କରିବାରେ ଲାଗିଛି। ଘର ଖଣ୍ଡିଏ ଭଡ଼ାରେ ପାଇବା ପାଇଁ କେତେ ଯେ ହଇରାଣ ହରକତ ହେବାକୁ ପଡ଼ୁଛି, ତାହା ଅଙ୍ଗେ ନିଭାଇଥିବା ଲୋକଠାରୁ କେହି ଅଧିକ ବୁଝିପାରିବେ ନାହିଁ। ତେବେ ସାମ୍ପ୍ରତିକ ସମୟର ମହଙ୍ଗା ଯୁଗରେ ଏପରି ଏକ ଜାଗା ରହିଛି, ଯେଉଁଠି ଭଡ଼ାରେ ନେବା ସକାଶେ ଘର ବେଶ୍ ସହଜରେ ମିଳିଯାଏ। ଅଧିକନ୍ତୁ ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡ଼େ ନାହିଁ। ବରଂ ଘରେ ଭଡ଼ାରେ ରହିବା ସକାଶେ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯାଏ। କିନ୍ତୁ ଘର ଭଡ଼ା ନେବାକୁ ଚାହୁଁଥିବା ଲୋକକୁ ଗୋଟିଏ ସର୍ତ୍ତ ପୂରଣ କରିବାକୁ ପଡ଼ିବ। ଏପରି ଏକ ଖବର ବୋଧହୁଏ ଆପଣଙ୍କ ପାଇଁ ହଜମ କରିବା ସହଜ ହେବନାହିଁ। କିନ୍ତୁ ଏଥିରେ ସାମାନ୍ୟତମ ମିଥ୍ୟା ନାହିଁ ଓ ଏହା ନିରାଟ ସତ୍ୟ।
ଆମେ ଯେଉଁ ଜାଗା ବିଷୟରେ କହୁଛୁ, ତାହା ସୁଦୂର ଇଟାଲୀର କାମାରାଟା ସହର। ଏଠାରେ ବେଶ୍ ସହଜରେ ଘର ଭଡ଼ାରେ ମିଳିଯାଏ ଓ ଏଥିପାଇଁ ସମ୍ପୃକ୍ତ ଦମ୍ପତିକୁ କ୍ୟାଶ୍ ବୋନସ୍ ମଧ୍ୟ ମିଳିଥାଏ। କିନ୍ତୁ ଉକ୍ତ ଦମ୍ପତିଙ୍କର ଅତି କମ୍ରେ ଗୋଟିଏ ପିଲା ଥିବା ଜରୁରୀ। ତେବେ ଏଠାରେ ଏପରି ବ୍ୟବସ୍ଥା କାହିଁକି ହୋଇଛି, ତାହା ଜାଣିବା ପାଇଁ ନିଶ୍ଚିତ ଭାବେ ଆପଣଙ୍କ ମନରେ ଉତ୍କଣ୍ଠା ପୁଞ୍ଜୀଭୂତ ହୋଇସାରିବଣି। ତେଣୁ ଆମେ ଆପଣଙ୍କୁ ଆଉ ବେଶି କିଛି ନ କହି ସିଧାସଳଖ ଏହାର କାରଣ ବିଷୟରେ କହୁଛୁ। ଏଠାରେ ଘର ମାଲିକ ଭଡ଼ାଟିଆଠାରୁ କୌଣସି ଅର୍ଥ ନ ନେବାର କାରଣ ହେଲା, ଏହି ସହରରେ ଜନସଂଖ୍ୟା ଅପେକ୍ଷାକୃତ କମ୍ ରହିଛି। ଫଳସ୍ବରୂପ ଅନେକ ଘର ବର୍ତ୍ତମାନ ଖାଲି ପଡ଼ିଛି। ତେଣୁ ଏସବୁ ଘରକୁ ଖାଲି ନ ପକାଇ ଆର୍ଥିକ ପ୍ରୋତ୍ସାହନ ପୂର୍ବକ ଭଡ଼ାଟିଆମାନଙ୍କୁ ରଖିବାର ବନ୍ଦୋବସ୍ତ କରାଯାଇଛି। ଏହା ପଛରେ ଦମ୍ପତିମାନଙ୍କୁ ସନ୍ତାନ ଜନ୍ମ କରିବା ପାଇଁ ପ୍ରୋତ୍ସାହିତ କରାଯିବାର ଉଦ୍ଦେଶ୍ୟ ରହିଛି। ସିସିଲିର ଭୂମଧ୍ୟସାଗରୀୟ ଦ୍ବୀପରେ ସୂର୍ଯ୍ୟାସ୍ତର ଆକର୍ଷଣୀୟ ଦୃଶ୍ୟ ସ୍ଥାନୀୟ ଅଞ୍ଚଳର ସବୁଠାରୁ ବଡ଼ ଆକର୍ଷଣ। ତା’ଛଡ଼ା ଏହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସହର। ସମୁଦ୍ର ପତ୍ତନଠାରୁ ୩ ହଜାର ୨ ଶହ ଫୁଟ ଉଚ୍ଚରେ ରହିଥିବା ଏହି କାମାରାଟା ସହରର ଇତିହାସ ମଧ୍ୟ ବେଶ୍ ସମୃଦ୍ଧ। କିନ୍ତୁ ଦିନକୁ ଦିନ ଏଠାକାର ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଫଳସ୍ବରୂପ ଏଠାରେ ଘରସବୁ ଖାଲି ପଡ଼ିଛି। ଏପରି ଏକ ସମସ୍ୟାରୁ ମୁକ୍ତି ତଥା ଦମ୍ପତିଙ୍କୁ ସନ୍ତାନ ଜନ୍ମ କରିବା ପାଇଁ ପ୍ରୋତ୍ସାହିତ କରିବା ସକାଶେ ସହରର ମେୟର୍ ଭିନ୍ସେଞ୍ଜୋ ଜିୟାମ୍ବୋନ୍ ଏପରି ଏକ ମହତ୍ତ୍ବାକାଂକ୍ଷୀ ଯୋଜନାର ଶୁଭାରମ୍ଭ କରିଛନ୍ତି। ସେ ସହରରେ ଖାଲି ପଡ଼ିଥିବା ଘରର ମାଲିକମାନଙ୍କୁ ସେମାନଙ୍କ ଘରର ଚାବି ତାଙ୍କ ନିକଟରେ ଜମା କରିବାକୁ ମେୟର୍ ଅନୁରୋଧ କରିଛନ୍ତି। ଯୋଜନାନୁସାରେ, ଏଠାରେ ରହିବା ପରେ କୌଣସି ଦମ୍ପତି ଯଦି ସନ୍ତାନସନ୍ତତି ଜନ୍ମ କରନ୍ତି, ତା’ହେଲେ ସେମାନଙ୍କୁ ନଗଦ କ୍ୟାଶ୍ ବୋନସ୍ ଭାବେ ୮୬୫ ପାଉଣ୍ଡ୍ ମିଳିବ ବୋଲି ମେୟର୍ ଘୋଷଣା କରିଛନ୍ତି। କେମରାମେଟା ସହରର ସମୃଦ୍ଧ ଐତିହ୍ୟ ଥିବାରୁ ଏହାକୁ ସେ କଦାପି ପରିତ୍ୟକ୍ତ ହେବାକୁ ଦେବେ ନାହିଁ ବୋଲି ମେୟର୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।