ଘରେ ପ୍ରସ୍ତୁତ କରନ୍ତୁ ସ୍ୱାସ୍ଥ୍ୟପ୍ରଦ ପାନୀୟ

ଆମ ଭାରତୀୟଙ୍କ ରୋଷେଇ ଘରେ ମହଜୁଦ ଥିବା କେତୋଟି ସାମ୍ରଗୀକୁ ନିୟମିତ ଭୋଜନରେ ସାମିଲ କଲେ ହିଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ବିଶେଷଜ୍ଞ ରୁଜୁତା ଦିୱେକରଙ୍କ ମତରେ ବିଦେଶୀ ଫଳ, ପାନୀୟ ଖାଇବା ପରିବର୍ତ୍ତେ ବରଂ ଦେଶୀ ଖାଦ୍ୟର ଗୁରୁତ୍ୱ ବୁଝିବା ଉଚିତ । ନିକଟରେ ସେ ଏକ ଇନଷ୍ଟାଗ୍ରାମରେ ଏକ ଭିଡିଓ ଅପଲୋଡ଼କରି ଭାରତୀୟଙ୍କୁ ୩ଟି ସୁପର ଡ୍ରିଙ୍କ ବାବଦରେ ଅବଗତ କରାଇଛନ୍ତି । ପିଲାଠାରୁ ବୟସ୍କ ସମସ୍ତେ ଏହି ପାନୀୟ ପିଇପାରିବେ ବୋଲି ତାଙ୍କ ମତ । ଅବଶ୍ୟ ମଧୁମେହ ରୋଗୀ ଓ ରକ୍ତଚାପ ରୋଗୀ ବିଶେଷଙ୍କ ପରାମର୍ଶ ନେବା ଜରୁରୀ ।
ପ୍ରଥମ ପାନୀୟ ହେଉଛି ଲେମ୍ବୁ ପାଣି, ପ୍ରତ୍ୟେକ ଭାରତୀୟଙ୍କ ଘରେ ଘରେ ଏହି ପାନୀୟର ଆଦର ରହିଛି । ଖରାଦିନେ ଅତିଥି ଅଭ୍ୟାଗତ ଆସିଲେ ତାଙ୍କୁ ପ୍ରଥମେ ଲେମ୍ବୁ ପାଣି ଦିଆଯାଇଥାଏ । ଭିଟାମିନ ସି ଯୁକ୍ତ ଲେମ୍ବୁ ପାଣି ପିଇବାର ପ୍ରକୃଷ୍ଟ ସମୟ ଦିନ ୧୦ଟାରୁ ୧୨ଟା ମଧ୍ୟରେ, ଏହା ସହ ଲେମ୍ବୁ ପାଣି ପ୍ରସ୍ତୁତି ସମୟରେ ସେଥିରେ ଚିମୁଟାଏ କଳା ଲୁଣ, ଚିନି, ଅଳ୍ପ ଅଦା ରସ ମିଶାଇବା ଉଚିତ ।
ଦ୍ୱିତୀୟ ପାନୀୟ ଦହି ପାଣି । ଦ୍ୱିପହର ଭୋଜନ ପରେ ପ୍ରତିଦିନ ଏଇ ପାନୀୟ ଯୁବପିଢ଼ି ପିଇବା ଆବଶ୍ୟକ । ୨ ଚାମଚ ଦହିରେ ଅଧ କପ ପାଣି ମିଶାଇ ଭଲରେ ଫେଣ୍ଟି ନେବେ । ସେଥିରେ ଚିମୁଟାଏ ହେଙ୍ଗୁ, କଳା ଲୁଣ ମିଶାଇ ପିଅନ୍ତୁ । ଏହା ଶରୀର ପାଇଁ ମହୌଷଧି ଭାବେ କାମ କରେ । ଦହି ପାଣିକୁ ଫ୍ରିଜରେ ଆଦୌ ରଖନ୍ତୁ ନାହିଁ ବୋଲି ରୁଜୁତା ପରାମର୍ଶ ଦେଇଛନ୍ତି ।
ଅନ୍ୟ ଏକ ସ୍ୱାସ୍ଥ୍ୟପ୍ରଦ ପାନୀୟ ହେଉଛି ହଳଦୀ ଖିର । ରାତିରେ ଶୋଇବାର ୩୦ ମିନିଟ ପୂର୍ବରୁ ଏହି ପାନୀୟ ପିଇବା ଉଚିତ । ଏହି ୩ ପ୍ରକାର ପାନୀୟ ପ୍ରତ୍ୟହ ପିଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ସଂକ୍ରମଣ ଜନିତ ରୋଗ ମଧ୍ୟ ହୋଇନଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ