ଘରୋଇ ସହାୟିକାଙ୍କ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅସହାୟ ଘରୋଇ ମହିଳାମାନେ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ବାବୁ ଭାୟାଙ୍କ ଘରେ ଘରୋଇ ଶ୍ରମିକ ଭାବେ କାର୍ଯର୍୍ୟ କରୁଛନ୍ତି । ପରିସ୍ଥିତିରେ ପଡ଼ି ହେଉ ଅବା ନିଜର ଗୁଜୁରାଣ ମେଣ୍ଟାଇବାକୁ ହେଉ ଅନ୍ୟର ଘରେ ଯାଇ ବାସି ପାଇଟି କରିଥାନ୍ତି । ଏହି ଶ୍ରମଜୀବି ମହିଳାମାନଙ୍କୁ ସର୍ବନିମ୍ନ ଅଧିକାର ମିଳେନାହିଁ । କାମରେ ସାମାନ୍ୟ ବିଳମ୍ବ ଅବା ତୃଟି ହେଲେ ସେମାନଙ୍କ ଉପରେ ଆରମ୍ଭ ହୁଏ ଅକଥନୀୟ ଅତ୍ୟାଚାର, ମନଇଚ୍ଛା ଛଟେଇ, ଦରମା କାଟ୍ ଇତ୍ୟାଦି । ସେମାନଙ୍କର ଅସହାୟତାର ସୁଯୋଗ ନେଇ ତଥାକଥିତ ସଭ୍ୟ ଶିକ୍ଷିତ ସମାଜର ମାଲିକଙ୍କ ଲୋଲୁପ ଦୃଷ୍ଟି, ଅଶାଳୀନ ବ୍ୟବହାର, ଶାରୀରିକ ନିର୍ଯ୍ୟାତନା ଏମାନଙ୍କର ଚିର ସହଚର । ପ୍ରତିବାଦ କରିବାକୁ ମଧ୍ୟ ନାହିଁ । ସାମାଜିକ ନିରାପତ୍ତା ବୋଲି କିଛି ନାହିଁ । ଏମାନେ ଶ୍ରମଜୀବି, କିନ୍ତୁ ଶ୍ରମିକର ଅଧିକାର ନାହିଁ । ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ସରକାର ଏମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେବା ଆବଶ୍ୟକ ବୋଲି ରେଡ଼କ୍ରସ ଭବନରେ ଆୟୋଜିତ ଏକ କର୍ମଶାଳାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।ଏହି କର୍ମଶାଳାରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ, ସରକାର ଆଜି ପର୍ଯ୍ୟନ୍ତ ଘରୋଇ ମହିଳା ଶ୍ରମିକମାନଙ୍କୁ ଶ୍ରମିକର ମାନ୍ୟତା ନଦେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଏହି ବିଷୟକୁ ସରକାର ଗୁରତ୍ୱ ଦେଇ ସେମାନଙ୍କୁ ତୁରନ୍ତ ଶ୍ରମିକର ମାନ୍ୟତା ପ୍ରଦାନ କରିବା ସହିତ ରାଜ୍ୟରେ କେତେ ଘରୋଇ ସହାୟିକା କାର୍ଯ୍ୟ କରୁଛନ୍ତି, ତାହାର ଗଣନା କରିବା ଦରକାର । ଏଆଇସିସିଟିୟୁର ସାଧାରଣ ସମ୍ପାଦକ ତଥା ଅଣସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ଼ର ସଦସ୍ୟ ମହେନ୍ଦ୍ର ପରିଡ଼ା ଯୋଗଦେଇ ଘରୋଇ ଶ୍ରମିକମାନଙ୍କୁ ଶ୍ରମିକର ମାନ୍ୟତା ମିଳିବା, ଘରୋଇ ଶ୍ରମିକମାନଙ୍କ ଲାଗି ରାଜ୍ୟ ସରକାର ଏକ ୱେଲ୍‌ଫେୟାର ବୋର୍ଡ଼ ଗଠନ କରିବା, ରାଜ୍ୟ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇ ଗୃହ ମାଲିକ, ଶ୍ରମିକ ସଂଗଠନ ଓ ଶ୍ରମ କମିଶନରଙ୍କୁ ସଦସ୍ୟ ରଖିବା, ସେମାନଙ୍କର ଉନ୍ନତି ଲାଗି ଅଣ ସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ଼ରେ ରାଜ୍ୟ ସରକାର ୨୦୦ କୋଟି ଟଙ୍କା ପାଣ୍ଠି ପ୍ରଦାନ କରିବା, ସେମାନଙ୍କୁ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରାଯିବା ଏବଂ କାର୍ଯ୍ୟସ୍ଥଳରେ ନିର୍ଯ୍ୟାତନା ବନ୍ଦ କରିବା, ମଜୁରୀ ପ୍ରଦାନରେ ଅବହେଳା, ଛୁଟି ପ୍ରଦାନ ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ଆଣନ୍ତୁ ଓ ତାର ନିୟନ୍ତ୍ରଣ କରିବା ଲାଗି ଇସ୍‌ପେକ୍ଟରମାନଙ୍କୁ ତଦାରଖ କରିବାର ଦାୟିତ୍ୱ ପ୍ରଦାନ କରନ୍ତୁ ବୋଲି କହିଥିଲେ । ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଘରୋଇ ଶ୍ରମିକମାନଙ୍କ ଲାଗି ୨୦୦୯ ମସିହାରୁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ ସୁଦ୍ଧା ସେମାନଙ୍କର ସଠିକ୍ ମଜୁରି ଓ କାର୍ଯ୍ୟକ୍ଷେତ୍ରରେ ସାମାଜିକ ସୁରକ୍ଷା ନ ମିଳିବା ପରିତାପର ବିଷୟ । ସରକାର ତୁରନ୍ତ ରାଜ୍ୟରେ ଏକ ଆଇନ୍ ପ୍ରଣୟନ କରି ଘରୋଇ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଓ କାର୍ଯ୍ୟସ୍ଥଳରେ ଦିଅଯାଉଥିବା ନିର୍ଯ୍ୟାତନାକୁ ରୋକିବା ଦରକାର । ଶ୍ରମ ବିଭାଗର ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ କିଶୋର ପାତ୍ର ଯୋଗଦାନ କରି କହିଲେ ଯେ, ସରକାର ଘରୋଇ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଲାଗି ଚିନ୍ତା କରୁଛନ୍ତି ଓ ରାଜ୍ୟରେ ପ୍ରାୟ ତିନିଲକ୍ଷ ଶ୍ରମିକ ପଞ୍ଜିକରଣ କରିଛନ୍ତି । କିନ୍ତୁ ଘରୋଇ ଶ୍ରମିକମାନେ ରାଜ୍ୟ ସାମାଜିକ ସୁରକ୍ଷା ବୋର୍ଡ଼ରେ ବହୁଳ ସଂଖ୍ୟାରେ ପଞ୍ଜିକରଣ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ରୂପେ ଶିଶୁ ଓ ମହିଳା ବିକାଶ କେନ୍ଦ୍ରର ସମ୍ପାଦକ ସଦାଶିବ ସ୍ୱାଇଁ ଯୋଗଦେଇ କହିଲେ ଯେ, କାର୍ଯ୍ୟକ୍ଷେତ୍ରରେ ଘରୋଇ ମହିଳା ଶ୍ରମିକମାନଙ୍କର ନିର୍ଯ୍ୟାତନା ବନ୍ଦ କରିବା ଲାଗି ସରକାର ଘରୋଇ ମାଲିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦରକାର । ଏହି କର୍ମଶାଳାକୁ ପ୍ରତାପ କୁମାର ସାହୁ ପରିଚାଳନା କରିଥିବା ବେଳେ ସିଷ୍ଟର ସୋଫିଆ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ