ଘରୋଇ ହସ୍ପିଟାଲର ଶତକଡା ୬୦ଭାଗ ଶଯ୍ୟା କରୋନା ପାଇଁ ବେବେହର ହେବ : ଅମିତ

ନୂଆଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମଣ ରୋକିବା ସହ ଦେଶର ରାଜଧାନୀକୁ ସୁରକ୍ଷିତ ରଖିବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ ବୋଲି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଦିଲ୍ଲୀ ମହାନଗରବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ହସ୍ପିଟାଲଗୁଡିକରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ଅଭାବ ଯୋଗୁଁ କେନ୍ଦ୍ର ସରକାର ଦିଲ୍ଲୀ ସରକାରଙ୍କୁ ୫୦୦ରେଳ କୋଚ ପ୍ରଦାନ କରିବେ ଯଦ୍ୱାରା ଦିଲ୍ଲୀକୁ ୮୦୦୦ ଅଧିକ ଶଯ୍ୟା ମିଳିବା ସହ ରୋଗୀମାନଙ୍କ ଚିକିତ୍ସା ପାଇଁ ଆନୁସଙ୍ଗିକ ସୁବିଧା ମଧ୍ୟ ମିଳିବ । ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଆବଦ୍ଧ ଅଞ୍ଚଳଗୁଡିକର ଘରକୁ ଘର ବୁଲି ସର୍ବେକ୍ଷଣ କରାଯାଇ ସପ୍ତାହକ ମଧ୍ୟରେ ତଥ୍ୟ ସଂଗ୍ରହ କରାଯିବ । ସମସ୍ତ ନଗରବାସୀଙ୍କୁ ତଥ୍ୟ ପର୍ଯ୍ୟବେକ୍ଷଣ ପାଇଁ ଆରୋଗ୍ୟ ସେତୁ ଆପ ନିଜ ମୋବାଇଲରେ ଡାଉନଲୋଡ କରିବାକୁ କୁହାଯିବ । ଦିଲ୍ଲୀରେ ନମୁନା ପରୀକ୍ଷଣ ଆସନ୍ତା ଦୁଇ ଦିନ ମଧ୍ୟରେ ଦୁଇଗୁଣ ଓ ଛଅ ଦିନ ମଧ୍ୟରେ ତିନିଗୁଣ କରାଯିବ । ଆବଦ୍ଧାଞ୍ଚଳଗୁଡିକରେ ନମୁନା ପରୀକ୍ଷଣ ବ୍ୟବସ୍ଥା ପ୍ରତ୍ୟେକ ପୋଲିଂ ଷ୍ଟେସନରେ ଉପଲବ୍ଧ ହେବ । ଦିଲ୍ଲୀର ଛୋଟ ଛୋଟ ହସ୍ପିଟାଲ ଓ କ୍ଲିନିକରେ ସଂକ୍ରମଣଜନିତ ନିୟମାବଳୀଗୁଡିକର କଡାକଡି ଅନୁପାଳନ ପାଇଁ ଏକ କମିଟି ଗଠନ କରାଯିବ । ଏମ୍ସର ବରିଷ୍ଠ ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏହି କମିଟି ଅନ୍ୟାନ୍ୟ ଚିକିତ୍ସା ସମ୍ପର୍କରେ ପରାମର୍ଶ ଦେବେ । ଦୂରଭାଷ ପରାମର୍ଶ ନିମନ୍ତେ ଆସନ୍ତାକାଲି ୧୫.୦୬.୨୦୨୦ ଠାରୁ ଏକ ହେଲ୍ପଲାଇନ ନମ୍ବର କାର୍ଯ୍ୟ କରିବ । ନୀତି ଆୟୋଗର ସଦସ୍ୟ ଡଃ ଭି. କେ. ପଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଘରୋଇ ହସ୍ପିଟାଲଗୁଡିକରେ ଥିବା ଶତକଡା ୬୦ଭାଗ ଶଯ୍ୟାକୁ କମ ମୂଲ୍ୟରେ କରୋନା ସଂକ୍ରମଣ ନମୁନା ପରୀକ୍ଷା ଓ ଚିକିତ୍ସା ପାଇଁ ହସ୍ତାନ୍ତର କରିବାକୁ ଅନୁରୋଧ କରିବେ । କରୋନା ବୈଶ୍ଵିକ ମହାମାରୀର ମୁକାବିଲା କରିବା ସହ ଯେଉଁ ପରିବାରଗୁଡିକ ସେମାନଙ୍କର ଆତ୍ମୀୟଙ୍କୁ ହରାଇଛନ୍ତି, ସେମାନଙ୍କ କଷ୍ଟ ଲାଘବ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କରିଛନ୍ତି । କରୋନା ଯୋଗୁଁ ପ୍ରାଣ ହରାଉଥିବା ଲୋକମାନଙ୍କ ଶେଷକୃତ୍ୟ ସମ୍ପନ୍ନ ନେଇ ସରକାର ସଦ୍ୟତମ ମାର୍ଗଦର୍ଶିକା ପ୍ରକାଶ କରିବେ, ଯାହାଫଳରେ ମୃତବ୍ୟକ୍ତିଙ୍କ ଆତ୍ମୀୟଙ୍କୁ ଅନ୍ତିମ କାର୍ଯ୍ୟ ସମାପନ କରିବା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ସମଗ୍ର ଦେଶ କରୋନା ବୈଶ୍ଵିକ ମହାମାରୀ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଛି । ପରିସ୍ଥିତିର ସାମନା କରୁଥିବା କେତେକ ସ୍ଵେଚ୍ଛାସେବୀ ସଂଗଠନଗୁଡିକର ଦୃଷ୍ଟାନ୍ତମୂଳକ କର୍ତ୍ତବ୍ୟନିଷ୍ଠା ପାଇଁ ଦେଶ ସେମାନଙ୍କ ନିକଟରେ କୃତଜ୍ଞ । ସରକାର ସ୍କାଉଟ ଓ ଗାଇଡ, ଏନସିସି ଓ ଏନଏସଏସ ଓ ଅନ୍ୟାନ୍ୟ ସ୍ଵୟଂଶାସିତ ସଂଗଠନଗୁଡିକର ସେବା ନେବା ପାଇଁ ମଧ୍ୟ ସ୍ଥିର କରିଛନ୍ତି । କରୋନା ଭୂତାଣୁ ବିରୁଦ୍ଧରେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ୫ ଜଣ ବରିଷ୍ଠ ଅଧିକାରୀଙ୍କୁ ଦିଲ୍ଲୀକୁ ପଠାଇବାକୁ ସ୍ଥିର କରିଥିବା କରିଛନ୍ତି । ବୈଠକ କାଳରେ ଆଉ କେତେକ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତର ଦଳ, ଦିଲ୍ଲୀ ସରକାର ଏବଂ ଏମ୍ସ ଓ ୩ଟି ପୌର ମହାନଗର ନିଗମର ଅଧିକାରିଗଣ, ଦିଲ୍ଲୀର ସମସ୍ତ କରୋନା ହସ୍ପିଟାଲ ବୁଲି ଏହାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଉପଚାର ଦକ୍ଷତାର ନିରୀକ୍ଷଣ କରିବେ । ଆଜି ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତିଗୁଡିକ ଯେପରି ତୃଣମୂଳ ସ୍ତରରେ ଲାଗୁ ହେବ, ତାହାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭାରତ ସରକାର ଦିଲ୍ଲୀ ସରକାରଙ୍କୁ ଅମ୍ଳଜାନ ସିଲିଣ୍ଡର, ଭେଣ୍ଟିଲେଟର ଓ ନାଡି ପରୀକ୍ଷଣ ଯନ୍ତ୍ର ଇତ୍ୟାଦି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ, ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଏମ୍ସର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ