ଘର ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର;ହତ୍ୟା ସନ୍ଦେହ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ) : ଶନିବାର ଭୋର ପ୍ରାୟ ୩ଟାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଭେଙ୍କଟରାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ଚିନ୍ନା ଦାସ (୪୬) । ଏ ନେଇ ହିଞ୍ଜିଳି ଥାନାରେ ନଂ-୨୮/୨୦ରେ ଏକ ମାମଲା ରୁଜୁ କରି ଶବକ ଜବତ କରିବା ସହ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛି । ପ୍ରକାଶ ଯେ, ହିଞ୍ଜିଳି ଥାନା ଭେଙ୍କଟରାପଲ୍ଲୀ ଗ୍ରାମର ଚିନ୍ନା ଦାସ ଶୁକ୍ରବାର ରାତ୍ର ଭୋଜନ ପରେ ଭାଇ ସହ କେଉଁଆଡ଼େ ଯାଇଥିଲେ । ରାତି ପ୍ରାୟ ୧୨ଟାରେ ଦୁଇ ଭାଇ ନିଜ ନିଜ ଘରକୁ ଫେରିଥିବା ନେଇ ଯୁବକଙ୍କ ଭାଇ କହିଛନ୍ତି । ତେବେ ଶନିବାର ଭୋର ପ୍ରାୟ ୩ଟାରେ ଯୁବକଙ୍କ ସ୍ତ୍ରୀ ଲକ୍ଷ୍ମୀ ବାହାରକୁ ଆସିଥିବା ବେଳେ ଘର ଠାରୁ ମାତ୍ର ୫୦ମିଟର ଦୁରରେ ସ୍ୱାମୀଙ୍କ ମୃତଦେହ ପଡ଼ିଥିବାର ଦେଖି ପରିବାର ସଦସ୍ୟଙ୍କୁ ଜଣାଇଥିଲେ । ଖବର ପାଇ ଶନିବାର ସକାଳେ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ଶରୀରର କୌଣସି ସ୍ଥାନରେ କ୍ଷତ ଚିହ୍ନ ନଥିବା ବେଳେ ମୃତ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଯୁବକଙ୍କୁ କେହି ଶ୍ୱାସରୁଦ୍ଧ କରି ହତ୍ୟା କରିଥାଇପାରେ ବୋଲି ଗ୍ରାମରେ ଚର୍ଚ୍ଚା ହେଉଛି । ମୃତ୍ୟୁର ସଠିକ କାରଣ ଜଣାପଡ଼ିନଥିବା ବେଳେ ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ