ଘାଟିରେ ଓଲଟିଲା  ଅଟୋ : ୪ ଛାତ୍ରୀ ଆହତ, ଜଣେ ଗୁରୁତର

ମୋହନା, (ଅଂଶୁମାନ ପଣ୍ଡା) :-ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟରୁ ଏକ ଅଟୋ ଯୋଗେ କିଛି ଛାତ୍ର ମୋହନା  ଫେରୁଥିବା ବେଳେ ଭାରସାମ୍ୟ ହରାଇ ଅଟୋଟି ଲୁଦୁପଙ୍କା ଘାଟି ନିକଟରେ ଓଲଟି ପଡିଥିଲା । ଯାହାଫଳରେ ୪ ଜଣ ଛାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ  ଵ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନା ଯୋଗ୍ୟ, ଗଜପତି ଜିଲ୍ଲା ମୋହନା ଥାନା ଅଧିନ ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ମୋହନାର ୫ଜଣ ଛାତ୍ରୀ ବିଦ୍ୟାଳୟରୁ ପାଠ ପଢା ସାରି ମୋହନା ଫେରୁଥିବା ବେଳେ ଲୁଦୁପଙ୍କା ବୁଲାଣିରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ତୁରନ୍ତ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ମୋହନା ମେଡ଼ିକାଲରେ ଭର୍ତି କରିଥିଲେ । ମୋହନା ଯୁବକ ସଂଘର ସଭାପତି ଅଜିତ କୁମାର ପାତ୍ର, ଥାନା ଅଧିକାରୀ ସୁଜିତ୍ କୁମାର ନାୟକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଆହତ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । କିଛି ଛାତ୍ରୀଙ୍କର ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ବେଳେ ଗୁରୁତର ଛାତ୍ରୀ ଜଣକୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡାକ୍ତର ନମିତା ପଣ୍ଡା କହିଛନ୍ତି । ଘଟଣା ସ୍ଥଳରେ ମୋହନା ପୁଲିସ ପହଞ୍ଚି ଅଟୋ ଚାଳକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ମୋହନା ଅଞ୍ଚଳରେ ଚଳପ୍ରଚଳ କରୁଥିବା ବହୁ ଅଟୋ ଚାଳକଙ୍କ ବେପାରୁଆ ଗାଡି ଚାଳନା ସାଙ୍ଗକୁ ବିନା ପ୍ରମାଣ ପତ୍ରରେ ଗାଡି ଚଳାଇବା ଯୋଗୁ ଦିନକୁ ଦିନ ସ୍ଥାନୀୟ ବ୍ଲକରେ ଦୁର୍ଘଟଣା ବୃଦ୍ଧି ପାଇବାରେ  ଲାଗିଛି । ଯାହାଦ୍ୱାରା ଦୁର୍ଘଟଣାର ଶିକାର ହେଉଛନ୍ତି ସାଧାରଣ ଜନତା ।  ପରିବହନ ବିଭାଗରର ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ବାରମ୍ଵାର ଦୁର୍ଘଟଣା ଘଟୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଆଦର୍ଶ ବିଦ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବସ ବ୍ୟବସ୍ଥା ଯୋଗାଇ ଦେବାକୁ ଅବିଭାବକ ମାନେ ଦାବି କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ