ଘିକୁଆଁରିର ଉପକାରିତା
ଆମର ବାଡ଼ିବଗିଚାରେ ଘିକୁଆଁରି ଗଛ ପ୍ରାୟତଃ ଦେଖିବାକୁ ମିଳିଥାଏ । ଏହା ଏକ ଅଦରକାରୀ ଗଛ ବୋଲି ଅନେକ ଲୋକ ମନେକରନ୍ତି । ହେଲେ ଆପଣ କ’ଣ ଜାଣନ୍ତି ଯେ ଏହା ଖୁବ୍ ଉପକାରୀ । ଏହା ଆମ ପାଇଁ ବିଭିନ୍ନ ପ୍ରକାର ରୋଗର ଔଷଧ ଭାବେ କାମ କରିଥାଏ ବା ଉପଚାରରେ ଲାଗିଥାଏ । ଆସନ୍ତୁ ଜାଣିବା ଘିକୁଆଁରି ଆମର କେଉଁ କାମରେ ଆସେ । ପ୍ରଥମତଃ ତ୍ୱଚାରେ କୌଣସି ପ୍ରତିକ୍ରିୟା ଦେଖା ଦେଉଥିଲେ ଏହାକୁ ଘଷିଲେ ଭଲ ହୋଇଥାଏ । ଶୁଷ୍କ ତ୍ୱଚା ଲାଗି ଏହା ମଏଶ୍ଚରାଇଜର ଭଳି କାମ କରିଥାଏ । ମୁହଁରେ ବ୍ରଣ ଉଠୁଥିଲେ ବି ଘିକୁଆଁରି ପତ୍ର ବା ତା’ର ରସ ଲଗାଇଲେ ସେଥିରୁ ମୁକ୍ତି ମିଳିଥାଏ । ମୁହଁରେ ଦାଗ ଦେଖାଗଲେ ସେଥିରୁ ବି ମୁକ୍ତି ଦେଇଥାଏ । ଖାଲି ସେତିକି ନୁହେଁ, ଘିକୁଆଁରୀ ମୁଖର ଏବଂ ତ୍ୱଚାର ଉଜ୍ଜ୍ୱଳତା ଆଣିବାରେ ମଧ୍ୟ ସହାୟକ ହୋଇଥାଏ । ଏକ୍ଜିମା ହୋଇଥିଲେ ବି ଏହା କାମରେ ଆସିଥାଏ । ଏହା ସାଧାରଣତଃ ଜଳାପୋଡ଼ାରେ ମଲମର କାମ କରିଥାଏ । ରୋଷେଇ ଘରେ କାମ କରୁଥିବାବେଳେ ଶରୀରରେ କୌଣସି ଚେଙ୍କ ଲାଗିଗଲେ ବି ପ୍ରଥମେ ଖୋଜାପଡ଼େ ଘିକୁଆଁରି ପତ୍ର । କୌଣସି କୀଟ ଯଦି ଶରୀରରେ କ୍ଷତ ସୃଷ୍ଟି କରେ ତାହା ହେଲେ ଘିକୁଆଁରି ପତ୍ର କାମରେ ଆସେ । ଖେଳାଳିଙ୍କ ପାଦରେ ଏହାକୁ ଘଷିଲେ ତାହା ଅଧିକ ଶକ୍ତ ହୋଇଥାଏ ।


