ଘୁମୁସର ଜିଲ୍ଲା ଦାବିରେ ନଭେମ୍ବର ୮ ତାରିଖରେ ବୁଗୁଡା ବନ୍ଦ
ବୁଗୁଡ଼ା, (ଅନିଲ କୁମାର ମହାରଣା) : ଘୁମୁସର ଜିଲା ଦାବୀ ଆନ୍ଦୋଳନ ପରିପ୍ରେକ୍ଷୀରେ ଆସନ୍ତା ନଭେମ୍ବର ୮ ତାରିଖରେ ବୁଗୁଡ଼ା ଏନଏସି ଓ ବୁଗୁଡା ବ୍ଲକରେ ବନ୍ଦ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ବୁଗୁଡା ବନ୍ଦକୁ ସଫଳ କରିବା ପାଇଁ ନଭେମ୍ବର ୩ ତାରିଖ ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହନ୍ତ ଭକ୍ତରାମ ଦାସ ମହାରାଜାଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା। ୧୫ ଜଣଙ୍କୁ ନେଇ ଏକ ସବକମିଟି ଗଠିତ ହୋଇଥିଲା। ଏହି ବୈଠକ ପୂର୍ବରୁ ମିଳିତ କ୍ରିୟାନୁଷ୍ଠାନ କମିଟି, ବୁଗୁଡ଼ାର ସ୍ଵର୍ଗୀୟ ଜନନେତା ମଦନମୋହନ ପାଣି ଓ ଉମାଚରଣ ଦାଶଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରି ସେମାନଙ୍କ ଅବଦାନ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ। ବୈଠକରେ ଘୁମୁସର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ବରିଷ୍ଠ ଆଡଭୋକେଟ ସୋମନାଥ ନାୟକ, ବାର ଆସୋସିଏସନ ସଭାପତି ହରପ୍ରସାଦ ଦାଶ, ରଘୁନାଥ ସାହୁ, କମ୍ବୁପାଣି ରଥ, ସଂଘମିତ୍ରା ରଥ, ସତ୍ୟନାରାୟଣ ଦାସ, ସୁରେଶ ଚନ୍ଦ୍ର ଦାଶ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ବନ୍ଦକୁ ସଫଳ କରିବାକୁ ନିଷ୍ପତ୍ତି ଗ୍ରହଣ କରିବା ସହ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। କ୍ରିୟାନୁଷ୍ଠାନ କମିଟି ବୁଗୁଡ଼ାର ଦିବଂଗତ ନେତା ମାନଙ୍କୁ ମନେ ପକାଇ ସମ୍ମାନିତ କରୁଥିବାରୁ ପ୍ରଶଂସିତ ହୋଇଛନ୍ତି।


