ଘୁମୁସର ଜିଲ୍ଲା ଦାବିରେ ବୁଗୁଡ଼ା ବନ୍ଦ ସମ୍ପୂର୍ଣ୍ଣ ସଫଳ
ବୁଗୁଡ଼ା, ( ସ୍ୱରୂପ ସୁମନ ମହାରଣା ) : ଘୁମୁସର ଜିଲ୍ଲା ଗଠନ ଦାବିରେ ଆଜି ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଅଞ୍ଚଳ ରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି l ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ଏହି ବନ୍ଦ ପାଳନ ହେଉଥିବା ବେଳେ ବାଲିପଦର, କରସିଙ୍ଗ ଓ ବୁଗୁଡ଼ା ସହରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି l ଅତ୍ୟାବଶକୀୟ ସେବାକୁ ଛାଡି ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ଯାନବାହାନ ସମ୍ପୂର୍ଣ ଭାବେ ବନ୍ଦ ରହିଛି l ଏହି ବନ୍ଦକୁ ସ୍ଥାନୀୟ ଜନସାଧାରଣ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନକୁ ବିପୁଳ ସମର୍ଥନ ଜଣାଇ ଶାନ୍ତିପୂର୍ଣ ପ୍ରତିବାଦ କରିଛନ୍ତି l ଯଦି ଏହି ଦାବି ସରକାର ନଶୁଣନ୍ତି ତେବେ ଆନ୍ଦୋଳନ ତୀବ୍ରତର କରାଯିବା ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ପ୍ରକାଶ କରିଛି l ବୁଗୁଡ଼ାରେ ବାରଆସୋସିଏସନ ସଭାପତି ହରପ୍ରସାଦ ଦାସ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଠାନ କମିଟି ସଭାପତି ସୋମନାଥ ନାୟକ, ସଦସ୍ୟ ଅରଖିତ ପରିଛା, ରଘୁନାଥ ସାହୁ, ସୁରେଶ ଚନ୍ଦ୍ର ଦାସ, ଆଇନଜୀବୀ ପ୍ରଭାତ ଜେନା, ମଦନମୋହନ ପାଠାଗାର ସାହିତ୍ୟ ସଂସଦ ପ୍ରତିଷ୍ଠାତା ତ୍ରିଲୋଚନ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ। ବାଲିପଦର ଠାରେ ବାଲିପଦର ମହୋତ୍ସବ କମିଟି ସଭାପତି ଇଂ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ତତ୍ତ୍ୱାବଧାନରେ ଉତ୍କଳ କଳା ପରିଷଦ, ଯୁବକ ସଙ୍ଘ, ଶ୍ରୀରାମ ପରିବା ବ୍ୟବସାୟୀ, ବରିଷ୍ଠ ନାଗରିକ ମଞ୍ଚ, ଫ୍ରେଣ୍ଡସ କ୍ଲବ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ପ୍ରକାଶ ଚନ୍ଦ୍ର ପାତ୍ର, ଇଂ ବିପ୍ରଚରଣ ପାତ୍ର, ଜି ରାଜେଶ୍ବର ପାତ୍ର, କୈଳାସ ଚନ୍ଦ୍ର ପ୍ରଧାନ ସମେତ ବହୁ ସଦସ୍ୟ ସାମିଲ ହୋଇଥିଲେ। କରସିଙ୍ଗ ଠାରେ ମଧ୍ୟ ସେଠାର ଜନସାଧାରଣ ବୁଗୁଡା ବନ୍ଦକୁ ସମର୍ଥନ ଜଣାଇ ବନ୍ଦକୁ ସଫଳ କରିଥିଲେ।


