ଚକ୍ଷୁରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର, (ଅନିଲ କୁମାର):ପ୍ରାତଃ ହରିହର ନଗର ପ୍ରଥମ ସାରଣୀ ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ନେତ୍ରାଭିଷ୍ୟନ୍ଦି ବା ଆକ୍ଷିଧାରା ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ବର୍ତ୍ତମାନ ଗାଁ ସହରରେ ବଢୁଥିବା ଚକ୍ଷୁ ଧରାରୋଗ ସମ୍ବନ୍ଧରେ କହିଥିଲେ ଗ୍ରୀଷ୍ମ ଓ ବର୍ଷାରୁତୁ ଆରମ୍ଭରେ ଭୂତାଣୁ ସଂକ୍ରମଣ ପରେ ଷ୍ଟେଫିଲୋକୋକି ଜିବାଣୁ ସଂକ୍ରମଣ ହୋଇ ଚକ୍ଷୁ ଲାଲ ବର୍ଣ୍ଣ ହୋଇ ଯାଏ। ଜଳେ, କୁଣ୍ଡାଇ ହୁଏ, ବ୍ୟଥା ହୁଏ,ନାସିକରୁ ପାଣି ବାହାରେ, ଆଖିରୁ ଲେଞ୍ଜେରା ବାହାରେ। ଚକ୍ଷୁର ରକ୍ତ ବାହିନୀ ସବୁ ଭରି ଯାଏ।ଏହାକୁ ଆକ୍ଷିଧରା କୁହାଯାଏ। ସାହିରେ ଆରମ୍ଭ ଦେଖିଲେ, ରାଶି ଫୁଲ ଦଶଟି ଧୋଇ ଖାଇଦେଲେ ଵର୍ଷେ ପର୍ଯ୍ୟନ୍ତ ଏହି ରୋଗ ହେବନାହିଁ। ଆକ୍ଷି ଧରିଲେ ହାତ ନଲଗାଇ ନିଜେ ଘୋରି ଥିବା ହଳଦୀ ପାଣିରେ ସଫା କନା ବୁଡାଇ ପୋଛନ୍ତୁ l ରାଶିଖଜା ବା ରାଶିଭଜା ଖାଆନ୍ତୁ। ଶୁଦ୍ଧ ମା’କ୍ଷୀର ପକାନ୍ତୁ। ତ୍ରିଫଳା କ୍ୱାଥ ଭଲଭାବେ ଛାଣି ଆଖିକୁ ଧୁଅନ୍ତୁ। ରସାଞ୍ଜନ ବର୍ତ୍ତି ଆଖିରେ ଦିନରେ ତିନିଥର ଲଗାନ୍ତୁ।ଅଜୀର୍ଣ କାରକ ଗରିଷ୍ଠ ଭୋଜନ, ଖଟା, ଦହି, ଅଧିକ ମିଠା ଖୁଆନ୍ତୁ ନାହିଁ। କଲରାପତ୍ର ରସ,କଲରା ଭଜା ଖାଆନ୍ତୁ।ମୋବାଇଲ,ଟିଭି ବହୁଳ ବ୍ୟବହାର ଦ୍ଵାରା ଦୃଷ୍ଟିଶକ୍ତି କମୁଛି, ପ୍ରତିଦିନ ଶୋଇବା ପୂର୍ବରୁ ତ୍ରିଫଳାଘୃତ ଲଗାଇ ଶୋଇବେ ଦୃଷ୍ଟି ଶକ୍ତି ଭଲ ରହିବ ଓ ଭବିଷ୍ୟତରେ ମୋତିଆବିନ୍ଦୁ ପାକହେବନାହିଁ। ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ ଓ ମନ୍ଦିର କମିଟି ସଭ୍ଯ ସଭ୍ୟା l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ମନ୍ଦିର କମିଟି ଅନୁରୋଧ କରିଛନ୍ତି l


