ଚକ ବଦଳାଇବା ବେଳେ ଚାଲିଗଲା ଚାଳକର ଜୀବନ
ହାଟଡିହି, (ବିକାଶ ବିଶ୍ୱାଳ) :-ଆଜି ଅପରାହ୍ନରେ ଛେନାପଦିଛକ ନିକଟ ଏକ ଗ୍ୟାରେଜରେ ଘଟିଯାିଛି ଏକ ଅଭାବନୀୟ ଦୁର୍ଘଟଣା । ଟ୍ରାକ୍ଟର ଚକ ବଦଳାଇବାକୁ ଯାଇ ଚାଳକର ଜୀବନ ଯାଇଥିବାବେଳେ ମାଲିକ ଗୁରୁତର ଆହତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ଆଜି ଅପରାହ୍ନ ୪ଟାବେଳେ ତରଭା ଗ୍ରାମର ଟ୍ରାକ୍ଟର ମାଲିକ ସଞ୍ଜିବ ସେଠୀ ତାଙ୍କ ଟ୍ରାକ୍ଟର ଚକର କିଛି ନଟ ଭାଙ୍ଗି ଯାିଥିବାରୁ ଏହାକୁ ଓଲଡିଂ କରିବାକୁ ଏକ ଗ୍ୟାରେଜକୁ ଆଣିଥିଲେ । ଟ୍ରାକ୍ଟର ଚାଳକ ମାଧବ ଯେନା(୨୩) ଗ୍ୟାରେଜରୁ ଜଗ ଆଣି ନିଜେ ଖୋଲାଖୋଲି କରିବାକୁ ଆରମ୍ଭ କରିଥିଲା । ଗ୍ୟାରେଜ ମାଲିକ ଓ ଟ୍ରାକ୍ଟର ମାଲିକ ଚକର ପମ୍ପ ଖୋଲି ଚକ ଖୋଲିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ମାଧବ ଚକର ପମ୍ପ ନଖୋଲି କେତୋଟି ଚକ ନଟ ଖୋଲିଦେବାରୁ ହଠାତ ଚକଟି ଫାଟି ଯିବା ସହିତ ଚକର ଲୁହା ଡିସଟି ମାଧବର ମୁଣ୍ଡରେ ପିଟି ହୋଇ ଆସି ସଞ୍ଜିବଙ୍କ ଗୋଡରେ ଖୁବ ଜୋରରେ ଆଘାତ କରିଥିଲା । ଏତେ ଯୋରରେ ଆବାଜ ହେଲା ଯେ ଆଖ ପାଖରେ ଥିବା ଲୋକମାନେ କଣ ଫାଟିଲା ବୋଲି ଦଉଡି ଘଟଣାସ୍ଥଳକୁ ଆସିଥିଲେ । ରକ୍ତ ଯୁଡୁବୁଡ ଅବସ୍ଥାରେ ପଡିଥିବା ମାଧବ ଓ ସଞ୍ଜିବ ସେଠୀଙ୍କୁ ଆମ୍ବୁଲାନସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ସେଠାରେ ଡାକ୍ତର ମାଧବକୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ସଞ୍ଜିବଙ୍କ ଚିକିତ୍ସା ଜାରି ରହିଛି । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


