ଚତୁର୍ଥ ଦିନ : ଛତ୍ରପୁର ଏନଏସିର ୧୪ ନମ୍ବର ୱାର୍ଡ ପାଇଁ ରଞ୍ଜିତା ପାଣିଙ୍କ ନାମାଙ୍କନ ପତ୍ର ଦାଖଲ
ଛତ୍ରପୁର, (ଦେବଦତ୍ତ ମହାରଣା) :ପୌର ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିବା ନିମନ୍ତେ ଆଜି ଚତୁର୍ଥ ଦିନରେ ଛତ୍ରପୁର ଏନଏସି କାର୍ଯ୍ୟାଳୟରେ ଏନଏସିର ୧୪ ନମ୍ବର ୱାର୍ଡ ପାଇଁ ରଞ୍ଜିତା ପାଣି ନିଜ ନିଜ ସମର୍ଥକ ମାନଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ନିର୍ବାଚନ ଅଧିକାରୀ ଭାବେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁ ରହିଛନ୍ତି । ଆସନ୍ତା ୯ ତାରିଖରେ ନାମାଙ୍କନ ପତ୍ର ଯାଂଚ ହେବ । ମାର୍ଚ୍ଚ ମାସ ୨୪ ତାରିଖରେ ନିର୍ବାଚନ ହେବ ଓ ୨୬ ତାରିଖରେ ଭୋଟ ଗଣତି ଅନୁଷ୍ଠିତ ହେବ । ଏଥି ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଜାରି ରହିଛି । ଚଳିତ ବର୍ଷ ଛତ୍ରପୁର ଏନଏସିର ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବାକୁ ଥିବା ବେଳେ ଏନଏସିର ୧୪ ଟି ୱାର୍ଡ ର ୧୪ ଜଣ ୱାର୍ଡ ସଭ୍ୟ ପଦବୀ ପାଇଁ ମଧ୍ୟ ନିର୍ବାଚନ ହେବ । ଛତ୍ରପୁର ଏନଏସି ରେ ମୋଟ ୧୮୭୩୪ ଜଣ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେଥି ମଧ୍ୟରୁ ୯୩୭୨ ଜଣ ମହିଳା ଭୋଟର ରହିଥିବା ବେଳେ ୯୩୬୦ ଜଣ ପୁରୁଷ ଭୋଟର ଏବଂ ୨ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ।