ଚନ୍ଦ୍ରଭାଗାରେ ଅନୁଷ୍ଟିତ ହେବ ସୁଭଦ୍ରା ଶକ୍ତି ମେଳା
କୋଣାର୍କ,(ଗଣେଶ ଚନ୍ଦ୍ରବେହେରା): କୋଣାର୍କ ଉତ୍ସବ ନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥି ନିମନ୍ତେ ଗୁରୁବାର ଅପରାହ୍ନରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କୋଣାର୍କ ଓ ଚନ୍ଦ୍ରଭାଗାରେ ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଆସନ୍ତା ୧ରୁ ୫ଦିନ ବ୍ୟାପି କୋଣାର୍କ ଉତ୍ସବ ଆୟୋଜିତ ହେଉଛି। ମୁକ୍ତାକାଶ ରଙ୍ଗମଞ୍ଚରେ ନୃତ୍ୟ ସଙ୍ଗୀତ , ଚନ୍ଦ୍ରଭାଗା ମେଳାପଡିଆରେ ସୁଭଦ୍ରା ଶକ୍ତି ମେଳା , ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ , ହେଲିପ୍ୟାଡରେ ମୀନା ବଜାର ଆୟୋଜିତ ହେଉଛି । ମେଳା ସମୟରେ ପ୍ରବେଶ, ପ୍ରସ୍ଥାନ , ଯାନବାହାନ ନିୟନ୍ତ୍ରଣ , ଆଲୋକ ବ୍ୟବସ୍ଥା ଓ ସଫେଇକୁ ଅଧିକ ଗୁରୁତ୍ବ ଦିଆଯାଇଛି । ବେଳାଭୂମିରେ ଆନ୍ତର୍ଜାତିୟ ବାଲୁକା କଳା ଉତ୍ସବ ନିମନ୍ତେ ମେସିନ ସାହାଯ୍ୟରେ ବାଲି ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି । ନଭେମ୍ବର ୩୦ ତାରିଖ ସୁଧା ସମସ୍ତ କାର୍ଯ୍ୟ ସଠିକ ଭାବେ ତୁଲାଇବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜକିଶୋର ଜେନା , ପ୍ରକଳ୍ପ ନିର୍ଦ୍ଦେଶକ ପ୍ରୀୟରଞ୍ଜନ ପୃଷ୍ଟି , ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ , ପର୍ଯ୍ୟଟନ ସହ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ , ଓ୍ବାଟକୋ ମହାପ୍ରବନ୍ଧକ ବିକ୍ରମ ରାଉତ , ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ , ବିଡିଓ ଛବିରାଣୀ ସାହୁ , କୋଣାର୍କ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା , ନିମାପଡ଼ା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ , କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


