ଚନ୍ଦ୍ରଶେଖର ମହାବିଦ୍ୟାଳୟ ୪୮ତମବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):ନିଜ କଲେଜ ଓ ନିଜ ଶିକ୍ଷକ ମାନଙ୍କୁ ନେଇ ଆପଣ ମାନେ ଗର୍ବ ଅନୁଭବ କରିବା ଉଚିତ ଏବଂ ଭବିଷ୍ୟତରେ ଏହି ମହାବିଦ୍ୟାଳୟର ଶୋଭା ବର୍ଦ୍ଧନ କରିବା ଉଚିତ। ଏହି ମହାବିଦ୍ୟାଳୟର ପୁରାତନ ଛାତ୍ର ଭାବେ ମୋର ମଧ୍ୟ କର୍ତ୍ତବ୍ୟ ଏବଂ ଦାୟିତ୍ୱ ରହିଛି। ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କରି ମୋ କଲେଜକୁ ମୁଁ ଆସିଛି ଏଣୁ ଏହି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ଓ ଉନ୍ନତିକରଣ ନିମନ୍ତେ ଏକ ୩ ମହଲା ବିଶିଷ୍ଟ ବିଲଡିଂ ନିର୍ମାଣ ପାଇଁ ୪ କୋଟି ଟଙ୍କା ମଂଜୁର ପାଇଁ ମୁଁ ପ୍ରସ୍ତାବ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟର ୪୮ ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଘୋଷଣା କରିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ ପବିତ୍ର ବୈତରଣୀ କୂଳରେ ଅବସ୍ଥିତ ଏହି ସୁନାମଧନ୍ୟ ଶିକ୍ଷାନୁଷ୍ଠାନରେ ଯୁକ୍ତ ତିନି ବାଣିଜ୍ୟ, ଯୁକ୍ତ ତିନି ଭୁତତ୍ତ୍ୱ ବିଜ୍ଞାନ, ଏବଂ କଳା ପାଠ୍ୟକ୍ରମରେ ସଂସ୍କୃତ ଏବଂ ସାମାଜିକ ଶାସ୍ତ୍ର ସହିତ ଇଣ୍ଡିଗ୍ରେଟେଡ଼ ବି. ଏଡ଼ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରୁଛି।କୌଣସି ଶିକ୍ଷାନୁଷ୍ଠାନ ଛୋଟ ହୋଇନଥାଏ କେବଳ ଆତ୍ମ ବିଶ୍ୱାସ ଥିଲେ ଆପଣ ମାନେ ମଧ୍ୟ ଦିନେ ନା ଦିନେ ସୁଉଚ୍ଚ ପଦବୀରେ ରହିବେ ଏବଂ ଏହି ଧାରାରେ ଆପଣ ନିଜ କଲେଜ ଆଉ ନିଜ ଶିକ୍ଷକଙ୍କୁ ଗର୍ବିତ କରାଇ ପାରିବେ।ଆଜିଏହିମହାବିଦ୍ୟାଳୟକୁ National Excellence Centre ଭାବେ ପରିଗଣିତ କରିବା ପାଇଁ ଏବଂ ସ୍ୱାୟଂଶାସିତ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ। ଏହି ପରିପ୍ରେକ୍ଷୀରେ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଏହାଜ ମହାବିଦ୍ୟାଳୟର ଉନ୍ନତିକରଣ ପାଇଁ ୩ କୋଟି ୩୦ ଲକ୍ଷ ଟଙ୍କା ର ରାଶି ଘୋଷଣା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ପ୍ରାକୃତିକ ସମ୍ପଦରେ ଭରପୁର କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡରେ ପୁଣ୍ୟତୋୟା ବୈତରଣୀ ତଟରେ ଚନ୍ଦ୍ରଶେଖର ମହାଦେବଙ୍କ ନାମରେ ନାମିତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ୧୯୭୭ ମସିହା ଜୁଲାଇ ୨୫ ତାରିଖରେ ପ୍ରତିଷ୍ଠିତ ହୋଇ ନିରନ୍ତର ଭାବେ ଆଜି ପର୍ଯ୍ୟନ୍ତ ଚମ୍ପୁଆ ଉପଖଣ୍ଡ, ନିକଟବର୍ତ୍ତୀ ଜିଲ୍ଲା ସୁନ୍ଦରଗଡ଼, ମୟୁରଭଞ୍ଜ ଓ ସୀମାନ୍ତ ଝାଡ଼ଖଣ୍ଡ ଅଞ୍ଚଳର ବହୁ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାର ଆଲୋକଵର୍ତ୍ତିକା ସାଜି ଆଜି ପର୍ଯ୍ୟନ୍ତ ସମୟକୁ ପ୍ରତିହତ କରି ଗୌରବର ସହିତ ମୁଣ୍ଡ ଟେକି ଛିଡ଼ା ହୋଇଛି । ପ୍ରାୟତଃ ସବୁ ଅନୁଷ୍ଠାନ ମହତ୍ ଉଦ୍ଦେଶ୍ୟ ନେଇ ଛୋଟିଆ ପ୍ରୟାସରୁ ହିଁ ଆରମ୍ଭ ହୋଇଥାଏ । ଆଉ ଆଜି ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଏହି କଲେଜରେ ଉପଲବ୍ଧ ଅଛି ଏବଂ ଆଗକୁ ମଧ୍ୟ ଏହି କଲେଜର ସମସ୍ତ ବିକାଶ ହେବ ବୋଲି ସେ ନିଜ ଅଭିଭାଷଣରେ କହିଥିଲେ।ସେ କହିଥିଲେ ଏହି କଲେଜ ପ୍ରତିଷ୍ଠା ପାଇଁ, ସ୍ୱର୍ଗତ କ୍ଷେତ୍ରବାସୀ କର, ବ୍ରଜ ସୁନ୍ଦର ପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସହରାଇ ଓରାମ୍ଙ୍କ ପରି ଅନେକ ମହତ ସମାଜ କଲ୍ୟାଣକାରୀ ଲୋକଙ୍କ ଯଥେଷ୍ଟ ଅବଦାନ ରହିଛି । ଏପରି ଏକ ଅନୁଷ୍ଠାନରେ ମୋର ଶିକ୍ଷା ଗ୍ରହଣ କରିଥିବାରୁ ମୁଁ ନିଜକୁ ଭାଗ୍ଯବାନ ମନେ କରୁଛି ଏବଂ ଏଠାରେ ପଢ଼ୁଥିବା ସମସ୍ତ ଛାତ୍ର ଛାତ୍ରୀ ନିଜକୁ ଭାଗ୍ୟବାନ ମନେ କରିବା ଉଚିତ। ସେ ପୁଣି କହିଥିଲେଯେ ନୂତନ ଶିକ୍ଷାନୀତିରେ ଦକ୍ଷତା ବିକାଶ, ବହୁବିଧ ଶିକ୍ଷା ଏବଂ ବୃତ୍ତିଗତ ତାଲିମ ଉପରେ ଗୁରୁତ୍ୱ ଦିଆଯାଇଛି। ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମହାବିଦ୍ୟାଳୟ ସ୍ତରରେ ପି.ଏମ୍. ଉଷା ଯୋଜନା ଲାଗୁ କରାଯାଉଛି ଏହିଯୋଜନାରେ ଗୁଣାତ୍ମକ ଶିକ୍ଷାଦାନ, ଆଇ.ସି.ଟି. ଆଧାରିତଭିତ୍ତିଭୂମିଏବଂଛାତ୍ରଛାତ୍ରୀମାନଙ୍କ ନିଯୁକ୍ତି ସୁଯୋଗ ରହିଛି । ବର୍ତ୍ତମାନର ଯୁଗ ହେଉଛି ଦକ୍ଷତାର ଯୁଗ ।ଏସବୁସୁଯୋଗରସଦୁପଯୋଗ କରିବା ପାଇଁ ଶିକ୍ଷା ସହିତ ଉପଯୁକ୍ତ Skill Training ର ଆବଶ୍ୟକତା ରହିଛି । ମୋର ଆପଣମାନଙ୍କୁ କହିବାର ଉଦ୍ଦେଶ୍ୟ ଯାହାକୁ ଯେଉଁ କ୍ଷେତ୍ର ଅଧିକ ଭଲ ଲାଗୁଛି ସେ କ୍ଷେତ୍ରରେ ମନୋନିବେଶ କରନ୍ତୁ, ସେ କ୍ଷେତ୍ରରେ ଦକ୍ଷତା ଅର୍ଜନ କରନ୍ତୁ । ଦେଖିବେ ସଫଳତା ନିଶ୍ଚୟ ମିଳିବ । ଦକ୍ଷତା ବିକାଶ ପାଇଁ ସରକାରୀ ସ୍ତରରେ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ନିଯୁକ୍ତି କ୍ଷେତ୍ରକୁ ଆମ ସରକାର ଗୁରୁତ୍ୱ ଦେଉଛନ୍ତି । ସରକାରୀ ସ୍ତରରେ ୫ ବର୍ଷ ମଧ୍ୟରେ ୧.୫୦ ଲକ୍ଷ ପଦବୀ ପୂରଣ କରିବା ପାଇଁ ଆମେ ଯୋଜନା ରଖିଛୁ । କେନ୍ଦୁଝର ଜିଲ୍ଲାରେ ମଧ୍ୟ ଅନେକ ଶିଳ୍ପ ପ୍ରତିଷ୍ଠା ହେବାକୁ ଯାଉଛି ଏବଂ ହଜାର ହଜାର ନିଯୁକ୍ତି ସୃଷ୍ଟି ହେବାକୁ ଯାଉଛି। ବର୍ତ୍ତମାନ ସମୟରେ ଯୁବବର୍ଗଙ୍କ ପାଇଁ ଶିକ୍ଷା ସହିତ ଆଉ ଏକ ମୁଖ୍ୟ ଆଭିମୁଖ୍ୟ ରହିଛି କ୍ରୀଡ଼ା କ୍ଷେତ୍ର । ଏଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉଛି । କ୍ରୀଡ଼ା କ୍ଷେତ୍ରରେ ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ବ୍ଲକରେ କ୍ରିକେଟ୍, ଭଲିବଲ, ଫୁଟବଲ ଓ ଆଥଲେଟିକ୍ସ ସମେତ ବିଭିନ୍ନ କ୍ରୀଡ଼ା ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗ ସୃଷ୍ଟି କରିବା ପାଇଁ ଆମେ ଯୋଜନା ରଖିଛୁ । କ୍ରୀଡ଼ାର ବିକାଶ ପାଇଁ ପ୍ରତି ବ୍ଲକରେ ଷ୍ଟାଡିୟମ ନିର୍ମାଣ ହେବ ବୋଲି ସେ କହି ଥିଲେ।ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ “Yes We Can” ର ନାରା ଦେଇ କହିଥିଲେ ଯେ ନିଜର ଦୃଢ଼ ଆତ୍ମବିଶ୍ଵାସ ଓ କଠିନ ପରିଶ୍ରମ ବଳରେ ତୁମେ ମାନେ ସଫଳତା ପାଇବ ଏବଂଏହିମହାବିଦ୍ୟାଳୟରେ ପାଠ ପଢ଼ୁଥିବା ଏକ ସାଧାରଣ ଛାତ୍ର ମୋହନ ମାଝୀ ଭଳି ଦିନେ ନା ଦିନେ ଜୀବନରେ ସଫଳତାର ପାହାଚର ଶିଖରରେ ରହିବ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୯୯୩ ମସିହା ବ୍ୟାଚର ତାଙ୍କ ସ୍ନାତକ ପାଠ୍ୟକ୍ରମର ବନ୍ଧୁ ମାନଙ୍କ ସହିତ ମିଶିବା ସହିତ ସେମାନଙ୍କ ସହିତ କଥା ହୋଇ ପୁରୁଣା ଦିନର ସ୍ମୃତି ମନେ ପକାଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ଼, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାଏକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଚମ୍ପୁଆ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର କର ସ୍ୱାଗତଭାଷଣ ଦେଇଥିଲେ ଓ ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ ଧନ୍ୟବାଦ ଦେଇଥିଲେ।