ଚର୍ଚ୍ଚିତ ନିମାପଡ଼ା ନିର୍ବାଚନ ମଣ୍ଡଳୀ ବିଜେଡ଼ି ରେ ବହୁ ଆଶାୟୀ ପ୍ରାର୍ଥୀ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ନିମାପଡ଼ା ନିର୍ବାଚନମଣ୍ଡଳୀ ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ।ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏଠାରେ ରାଜନୈତିକ ବାତାବରଣ ବେଶ ଉଷ୍ମ ହୋଇଉଠିଛି। ଏଠାରେ ବିଧାୟକ ପ୍ରାର୍ଥୀ ହେବାକୁ ବିଭିନ୍ନ ଦଳ ରେ ଏକାଧିକ ବ୍ୟକ୍ତି ନିଜ ନିଜ ର ରଣ କୌଶଳ ଆରମ୍ଭ କରିଦେଇଛନ୍ତି। ଆଶାୟୀ ପ୍ରାର୍ଥୀ ମାନେ ନୂଆବର୍ଷ ରେ ବିଭିନ୍ନ ସ୍ଥାନରେ ଅଭିନନ୍ଦନ ତୋରଣ ଲଗାଇଥିବାବେଳେ ନିଜ ନିଜ ର ସମର୍ଥକ ମାନଙ୍କୁ ଧରି ବିଭିନ୍ନ ସଭା ସମିତି ର ଆୟୋଜନ କରୁଛନ୍ତି। ଏଠାର ବିଜେଡ଼ି ବିଧାୟକ ଙ୍କୁ ବଦନାମ କରିବାକୁ ବିରୋଧୀ ଦଳ ଯେପରି ତୁହା କୁ ତୁହା ଶାଣିତ ଆକ୍ରମଣ କରି ଚାଲିଛି ତାହା ଶାସକ ଦଳ ମୁଖିଆ ଙ୍କୁ ଚିନ୍ତାରେ ପକାଇଛି। ସାଧାରଣ ନିର୍ବାଚନ ପୂର୍ବରୁ ପ୍ରତିପକ୍ଷ ବିଜେପି ଦଳ ବିଧାୟକ ଙ୍କ ଗୋହି ଖୋଳି ଫାଇଦା ନେବା ଉଦ୍ଦେଶ୍ୟରେ ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ୍ କରିବାରେ ଲାଗିଛି।ଗୁଇନ୍ଦା ସୂଚନା କୁ ଆଧାର କରି ବିଜେଡ଼ି କର୍ତ୍ତୃପକ୍ଷ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ଦଳୀୟ ସଂଗଠନ ଓ ନେତାଙ୍କ ଗତିବିଧି ଉପରେ ଲକ୍ଷ୍ୟ ରଖିଛନ୍ତି।ସାଧାରଣ ଭୋଟରଙ୍କ ମଧ୍ୟରେ ଦଳର ବିଶ୍ୱସନୀୟତା ବଳବତ୍ତର ରଖିବା ପାଇଁ ଦଳ ନୂଆ ରୋଡ ମ୍ୟାପ ପ୍ରସ୍ତୁତ କରିଛି।ନିର୍ବାଚନ ମଣ୍ଡଳୀରେ ବିବାଦୀୟ ନେତା , ଗତ ପଂଚାୟତ ନିର୍ବାଚନରେ ନେତାଙ୍କ ପ୍ରଦର୍ଶନ, ଲୋକଙ୍କ ମଧ୍ୟରେ ଗ୍ରହଣୀୟତା, ଗୋଷ୍ଠି କନ୍ଦଳ ପ୍ରଭୃତିକୁ ଦଳ ବିଚାରକୁ ନେବ। ଷଷ୍ଠ ଥର ପାଇଁ ଦଳ ଶାସନକୁ ଆସିବା ଲାଗି କଠୋର ନିଷ୍ପତି ନେବାକୁ ପଛାଇବ ନାହିଁ।ଜିତିବାର ସମ୍ଭାବନା ଥିବା, ଗୋଷ୍ଠି କନ୍ଦଳରୁ ଉର୍ଦ୍ଧ୍ବରେ ରହି ଦଳ ପାଇଁ କାମ କରୁଥିବା ଓ ନିର୍ବିବାଦୀୟ ବ୍ୟକ୍ତିତ୍ଵ ସମ୍ପନ୍ନ ଯୁବ, ଶିକ୍ଷିତ ଏବଂ ଲୋକଙ୍କ ମଧ୍ୟରେ ଗ୍ରହଣୀୟ ଥିବା ନୂଆ ନେତୃତ୍ବ ଉପରେ ଦଳ ପ୍ରାଧାନ୍ୟ ଦେଇ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ କରାଇବାକୁ ଚିଠା ପ୍ରସ୍ତୁତ କରିଛି ବୋଲି ଶୁଣିବାକୁ ମିଳୁଛି।ଏହି କ୍ରମରେ ନିମାପଡ଼ା – ଗୋପ ନିର୍ବାଚନ ମଣ୍ଡଳୀରେ ଆଗାମୀ ନିର୍ବାଚନ ପାଇଁ କିଏ ଦଳୀୟ ପ୍ରାର୍ଥୀ ହେବ ସେ ନେଇ ଭୋଟରଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଯାଇଛି।ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିବାଦୀୟ ହେବା ସମଗ୍ର ରାଜ୍ୟରେ ଦଳର ଭାବମୂର୍ତ୍ତିକୁ ନିମ୍ନଗାମୀ କରିଥିଲା।ନିମାପଡ଼ା ନିର୍ବାଚନ ମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ଗୋପ ବ୍ଲକର ଜିଲ୍ଲା ପରିଷଦ ସଭ୍ୟ ସ୍ବର୍ଗତ ସାହୁଙ୍କ ଅକାଳ ବିୟୋଗରେ ସମୀରଙ୍କ ଭୂମିକାକୁ ଗୋପ ଅଞ୍ଚଳବାସୀ ଗୁରୁତର ସହ ନେଇ ସେହି ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡିକୁ ପ୍ରତ୍ୟାଖ୍ୟାନ କରି ବିଜେପି ପ୍ରାର୍ଥୀଙ୍କୁ ଜିତାଇଛନ୍ତି। ନିକଟରେ ଜଣେ ମହିଳାଙ୍କ ସହ ବିଧାୟକ ସମୀରଙ୍କ ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ହେବା ଘଟଣା ଲୋକଙ୍କ ନିକଟରେ ତାଙ୍କ ଭାବମୂର୍ତ୍ତି କୁ ମଳିନ କରିଛି।ତେଣୁ ଦଳ ନିମାପଡ଼ାରେ ସମୀରଙ୍କୁ ଆଉଥରେ ପ୍ରାର୍ଥୀ କରି ରିସ୍କ ନେବାକୁ ଚାହୁଁନି ବୋଲି ଚର୍ଚ୍ଚା ହେଉଛି।ଏହା ମଧ୍ୟରେ ନିମାପଡ଼ାରେ ବିଜେଡିରୁ ଅନେକ ଆଶାୟୀ ପ୍ରାର୍ଥୀ ଉଭା ହୋଇଥିବାବେଳେ ଉଚ୍ଚ ଶିକ୍ଷିତ ଶୃଙ୍ଖଳିତ ଯୁବ ସଂଗଠକ ତଥା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦଳୀୟ ସହପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇଙ୍କ ନାମ ଆଗରେ ଥିବା ଚର୍ଚ୍ଚା ହେଉଛି।ସୁବ୍ରତଙ୍କୁ ଦଳ ପକ୍ଷରୁ ନିମାପଡ଼ାରେ ପ୍ରାର୍ଥୀ ହେବାପାଇଁ ସବୁଜ ସଙ୍କେତ ମିଳିସାରିଛି ବୋଲି ବିଧାୟକ ସମୀର ଙ୍କ ବିରୋଧୀ ଙ୍କ ଗୋଷ୍ଠୀ ପ୍ରଚାର କରୁଛନ୍ତି।ଏବେ ସେ ନିମାପଡ଼ା – ଗୋପ ଅଞ୍ଚଳର ପ୍ରତ୍ୟେକ କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ ସଂଗଠନକୁ ଏକ ନୂଆ ରୂପ ଦେବାରେ ଲାଗି ପଡିଛନ୍ତି।ସାଧାରଣରେ ତାଙ୍କର ଗ୍ରହଣୀୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।ନବୀନ ବାବୁଙ୍କ ଲୋକପ୍ରିୟତା ଓ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସହ ସୁବ୍ରତଙ୍କ ନିର୍ବିବାଦୀୟ ଭାବମୂର୍ତ୍ତି ଯୋଗୁଁ ସାମାଜିକ ସ୍ତରରେ ସବୁ ବର୍ଗର ଭୋଟରଙ୍କ ମଧ୍ୟରେ ତାଙ୍କର ଆଦୃତି ବଢୁଛି। ଦଳ ଯଦି ତାଙ୍କୁ ଏଠାରେ ପ୍ରାର୍ଥୀ କରେ ସେ ନିଶ୍ଚୟ ବିଜୟ ଲାଭ କରିବେ ବୋଲି ସୁବ୍ରତ ପ୍ରକାଶ କରିଛନ୍ତି। ରାଜ୍ଯ ବିଜେଡ଼ି ସମ୍ପାଦକ ସତ୍ୟବ୍ରତ ପାତ୍ର (ରମୁ) ବି ପ୍ରାର୍ଥୀ ହେବାକୁ ମନ ବଳାଇ ବିଭିନ୍ନ ପଞ୍ଚାୟତ ଗ୍ରସ୍ତ କରି ନିଜ ନିଜ ସମର୍ଥକ ମାନଙ୍କୁ ଏକାଠି କରୁଛନ୍ତି। ତାଙ୍କ ର ଏହି ନିର୍ବାଚନ ମଣ୍ଡଳୀରେ ଅନେକ ବ୍ୟକ୍ତିଗତ ଭୋଟର, ଶୁଭେଶ୍ଚୁ ରହିଛନ୍ତି। ଦଳ ଯଦି ତାଙ୍କୁ ପ୍ରାର୍ଥୀ କରେ ତେବେ ସେ ବହୁ ଭୋଟ ବ୍ୟବଧାନ ରେ ବିଜୟୀ ଲାଭ କରିବେ ବୋଲି ଆଶାବାଦୀ ଅଛନ୍ତି। ନିମାପଡ଼ା
ଅଞ୍ଚଳ ରେ ଜ୍ୟୋତି ପ୍ରକାଶ ସ୍ଵାଇଁ ନାମକ ସ୍ଵେଚ୍ଛାସେବୀ ମଧ୍ୟ ବିଜେଡ଼ି ରୁ ପ୍ରାର୍ଥୀ ହେବାକୁ ଲବି କରି ବିଭିନ୍ନ ଅଞ୍ଚଳ ରେ ଗରିବ ଅବହେଳିତ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରି ନିଜ ଲୋକପ୍ରୀୟତା କୁ ବୃଦ୍ଧି କରିବାରେ ଲାଗି ପଡ଼ିଛନ୍ତି।ରାଜନୈତିକ ସମୀକ୍ଷକ ଙ୍କ ମତ ରେ ନିମାପଡ଼ା ନିର୍ବାଚନମଣ୍ଡଳୀ ବିଜେଡ଼ି ର ଗଡ଼ ଭାବେ ପରିଚିତ। ତେବେ ଏଠାରେ ଥିବା ବିଧାୟକ ବିଭିନ୍ନ ବିବାଦୀୟ ଘଟଣା ରେ ଛନ୍ଦି ହୋଇ ମନ୍ତ୍ରୀ ପଦ ହରାଇଥିବାରୁ ଦଳ ଯଦିଏଠାରେ ତାଙ୍କ ବଦଳରେ ନୂଆ ମୁହଁ କୁ ପ୍ରାର୍ଥୀ କରେ ତେବେ ବିଜେଡ଼ି ବିଜୟୀ ହେବା ନିଶ୍ଚିତ। କିନ୍ତୁ ପୁଣି ଥରେ ଦଳ ଯଦି ସମୀର ଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ପୁନଃ ପ୍ରାର୍ଥୀ କରେ ତେବେ ଫଳାଫଳ କଣ ହେବ ଆକଳନ କରିବା କଷ୍ଟକର। ଦଳୀୟ ହାଇକମାଣ୍ଡ କାହାକୁ ପ୍ରାର୍ଥୀ କରିବେ ତାହାକୁ ନିର୍ବାଚନମଣ୍ଡଳୀ ବାସୀ ଉତ୍କଣ୍ଠା ର ସହିତ ଅପେକ୍ଷା କରିଛନ୍ତି।


