ଚଳଚ୍ଚିତ୍ର ନିର୍ମାଣ ପାଇଁ ଆସିବ ଏସଓପି
ନୂଆଦିଲ୍ଲୀ: ସରକାର ଖୁବ୍ ଶୀଘ୍ର ଦେଶରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡୁ୍ୟର (ଏସଓପି) ଜାରି କରିବେ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଏହି ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭେଡକର କହିଛନ୍ତି ଯେ, କରୋନା ମହାମାରୀ କାରଣରୁ ଦେଶର ଚଳଚ୍ଚିତ୍ର ଉଦ୍ୟୋଗ ଏକ ପ୍ରକାର ଅଚଳ ହୋଇପଡ଼ିଛି । ଏହାକୁ ପୁନର୍ବାର ଗତିଶୀଳ କରାଇବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ଏଥିପାଇଁ ଚଳଚ୍ଚିତ୍ର ନିର୍ମାଣ ସହିତ ଟିଭି ଧାରାବାହିକ ଓ ପ୍ରଡକ୍ସନ, ଆନିମେସନ ଓ ଗେମିଂ ଆଦିକୁ ପୁନର୍ବାର ଆରମ୍ଭ କରିବା ସହ ଏହାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସରକାର କେତେକ ପ୍ରୋତ୍ସାହନ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଖୁବ୍ଶୀଘ୍ର ଏସବୁ ଘୋଷଣା କରାଯିବ ବୋଲି ‘ଫିକି ଫ୍ରେମ୍ସ’ର ଏକବିଂଶ ସଂସ୍କରଣରେ ଉଦବୋଧନ ଦେବା ଅବସରରେ ଶ୍ରୀ ଜାଭେଡକର ଏହା କହିଛନ୍ତି । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଗଣମାଧ୍ୟମ ଓ ମନୋରଞ୍ଜନ ଉଦ୍ୟୋଗର ବାର୍ଷିକ ସମାବେଶ ଭର୍ଚୁଆଲ ଢ଼ଙ୍ଗରେ ଆୟୋଜିତ ହୋଇଛି । ପ୍ରତିବର୍ଷ ଏହା ତାହାର ନିର୍ଦ୍ଧାରିତ ସ୍ଥାନ ମୁମ୍ବାଇର ପୋୱାଇ ଲେକରେ ଅନୁଷ୍ଠିତ ହୋଇଥାଏ । ଏହି ସମ୍ମଳନୀ ଚଳିତ ମାସ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଗଣାମଧ୍ୟମ ଓ ମନୋରଞ୍ଜନ ଉଦ୍ୟୋଗର ପ୍ରମୁଖ ବ୍ୟକ୍ତିବିଶେଷ ତଥା ବିଶେଷଜ୍ଞମାନେ ବିଭିନ୍ନ ପ୍ରସଙ୍ଗରେ ନିଜ ନିଜର ପ୍ରସ୍ତାବ ଓ ମତାମତ ରଖିବେ ।


