ଚାନ୍ଦିପୁର ବେଳାଭୂମିକୁ ନୂଆ ପରିଚୟ ଦେଇଛି’

ବାଲେଶ୍ୱର, (ସରୋଜ ପଣ୍ଡା):ଦୀର୍ଘ ଦୁଇବର୍ଷର କୋଭିଡ କଟକଣା ଉଠିବା ପରେ ଗୁରୁବାର ସଂଧ୍ୟାରେ ବେଶ ଧୂମଧାମରେ ଆରମ୍ଭ ହୋଇଛି ଚଳିତବର୍ଷର ତ୍ରୟୋବିଂଶତମ ‘ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବ-୨୦୨୩’ । ବେଳାଭୂମିରେ ଆୟୋଜିତ ଏହି ମହୋତ୍ସବକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍‌ଘାଟନ କରିଥିଲେ । ସମ୍ପର୍କର ସେତୁ ଭାବେ ଏହି ମହୋତ୍ସବ ସୁବର୍ଣ୍ଣ ଚାନ୍ଦିପୁର ବେଳାଭୂମି ପାଇଁ ନୂତନ ପରିଚୟ ଆଣିପାରିଛି ବୋଲି ସେ କହିଥିଲେ । ସାମ୍ପ୍ରତିକ ସ୍ଥିତିରେ ଶିକ୍ଷା, ସଂସ୍କୃତି ଓ ପର୍ଯ୍ୟଟନର ବିକାଶକୁ ସରକାର ଗୁରୁତ୍ୱ ଦେଉଥିବା ବେଳେ ଆଗାମୀ ଦିନରେ ଏହି ବେଳାଭୂମିର ରୂପରେଖ ବଦଳିବା ସହ ସମସ୍ତଙ୍କ ପାଇଁ ସର୍ବାଧିକ ଆକର୍ଷଣୀୟ କ୍ଷେତ୍ର ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ ମତ ପ୍ରକାଶ କରିଥିଲେ । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ, ପୂର୍ବାଞ୍ଚଳ ଜୋନ ପୁଲିସ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ ଦତାତ୍ର୍ରୟ ଭାଉସାହେବ ଶିନ୍ଦେ, ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ମଧୁସୂଦନ ଦାସ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାନ୍ଦିପୁର ବେଳାଭୂମି ମହୋତ୍ସବ ଉତ୍କଳୀୟ କଳା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିଛି ବୋଲି ମତ ପ୍ରକାଶ କରିଥିଲେ । ଚାନ୍ଦିପୁରର ଅନନ୍ୟ ସୌନ୍ଦର୍ଯ୍ୟ ସାରା ବିଶ୍ୱ ପାଇଁ ଆକର୍ଷଣୀୟ ହୋଇଥିବା ବେଳେ ଏହି ମହୋତ୍ସବ ବେଳାଭୂମିର ଗୁରୁତ୍ୱ ବୃଦ୍ଧିରେ ବେଶ ସହାୟକ ହୋଇପାରିଛି ବୋଲି ଅତିଥିମାନେ କହିଥିଲେ । ପୂର୍ବତନ ବିଧାୟକ ତଥା ବେଳାଭୂମି ମହୋତ୍ସବ କମିଟିର ସଭାପତି ଜୀବନ ପ୍ରଦୀପ ଦାଶ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ଆଇନଜୀବୀ ହରେକୃଷ୍ଣ ଦାଶ ବିବରଣୀ ପାଠ କରିଥିଲେ । ସମ୍ପାଦକ କିଶୋର ଦାସ, ସମରେନ୍ଦ୍ର ନାଥ ଦାସ, ଭାବଗ୍ରାହୀ ମହାନ୍ତି ଓ ଭାଗବତ ସାହୁ, କୋଷାଧକ୍ଷ ମାଧବାନନ୍ଦ ମିଶ୍ର, ସୁକୁମାର ରଣା, ଆରତୀ ଦାସ, ସଂଧ୍ୟା ରାଣୀ ଭୂୟାଁ ପ୍ରମୁଖ ଏଥିରେ ମଞ୍ଚାସୀନ ଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅମୃତାଂଶୁ ପଟ୍ଟନାୟକ ଓ ସାଥୀମାନେ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ଯୁଗ୍ମ ସଂପାଦକ ଡକ୍ଟର ଶ୍ରୀମାନ ଶ୍ରୀଚନ୍ଦନ ମହାନ୍ତି ସଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହୋତ୍ସବ କମିଟିର ଉପ-ସଭାପତି ତଥା ‘ଆମ ନ୍ୟୁଜ’ର ନିର୍ଦ୍ଦେଶକ ବିପ୍ଳବ କୁମାର ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ