ଚାନ୍ଦିପୁର ସମୁଦ୍ର ବେଳାଭୂମି ପ୍ରଧାନମନ୍ତ୍ରୀଙ୍କ “ସ୍ବଚ୍ଛ ସାଗର ସୁରକ୍ଷିତ ସାଗର” ଯୋଜନାରେ ସାମିଲ ହେଲା
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ବାଧିନତାର ଅମୃତ କାଳରେ ଦେଶ ପାଳନ କରୁଥିବା ଅମୃତ ମହୋତ୍ସବକୁ ଅଧିକ ରୁ ଅଧିକ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଜନକଲ୍ଯାଣକାରୀ ସ୍ଥାୟୀ ଯୋଜନା ମାନ ହାତକୁ ନେଇଛନ୍ତି। ତନ୍ମଧ୍ୟରୁ “ସ୍ବଚ୍ଛ ସାଗର ସୁରକ୍ଷିତ ସାଗର” ଏକ ଦୂରଦୃଷ୍ଟି ସମ୍ପର୍ଣ୍ଣ ଯୋଜନା। ଏହି ଯୋଜନାରେ ଭାରତର ବଛାବଛା ୭୫ଟି ସମୁଦ୍ର ତଟକୁ ଅନ୍ତର୍ଗତ କରି ଏହାର ସାମଗ୍ରିକ ବିକାଶ ପାଇଁ ଭିତ୍ତିଭୂମିର ବିକାଶ କରାଯିବ। ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ଦ୍ବାରା ଚୟନ କରାଯାଇଥିବା ୭୫ଟି ସମୁଦ୍ର ତଟ ମଧ୍ୟରେ ବାଲେଶ୍ଵରର କୌଣସି ସମୁଦ୍ର ତଟ ନଥିବା ଜାଣିବା ପରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପୃଥିବୀ ବିଜ୍ଞାନ ମନ୍ତ୍ରୀ ଡାଃ ଜିତେନ୍ଦ୍ର ସିଂଙ୍କୁ ପତ୍ର ମାଧ୍ୟମରେ ଚାନ୍ଦିପୁର ବେଳାଭୂମିକୁ ଉକ୍ତ ଯୋଜନାରେ ସାମିଲ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ। ସେହି କ୍ରମରେ ମନ୍ତ୍ରାଳୟ ନିର୍ଦ୍ଧାରିତ ସୂଚିରୁ ଗୋଟିଏ ସମୁଦ୍ର ତଟକୁ ବାଦ୍ ଦେଇ ଚାନ୍ଦିପୁରକୁ ସାମିଲ କରିଥିଲେ। ଉକ୍ତ ଯୋଜନାର ଶୁଭାରମ୍ଭ ଆସନ୍ତା ୧୭-୦୯-୨୨ ତାରିଖ ସକାଳ ୬ଟାରେ ଚାନ୍ଦିପୁର ବେଳାଭୂମିଠାରେ ଆରମ୍ଭ ହେଵ, ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ବିପୁଳ ସଂଖ୍ୟାରେ ଯୋଗ ଦେବାପାଇଁ ସାଂସଦ ନିବେଦନ କରିଛନ୍ତି। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସାଂସଦ ମହୋଦୟ ଇତି ମଧ୍ୟରେ ଜିଲ୍ଲାପାଳଙ୍କ ସମେତ ସଂଶ୍ଳିଷ୍ଟ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଯୋଜନା ଫଳରେ ପର୍ଯ୍ୟଟନ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ଅନେକ ବିକାଶ ହେବା ସହିତ ଅନେକ ରୋଜଗାର ପନ୍ଥା ସୃଷ୍ଟି କରିବ ବୋଲି ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ କହିଛନ୍ତି


