ଚାଲିଗଲା ଫାନି, ଉଜାଡ଼ି ଦେଲା ଜୀବନ-ଜୀବିକା
ବାଲପାଟଣା (ଜୁଗାବ୍ଦ ନ୍ୟୁଜ୍): ଅତ୍ୟୁତ୍ ବଚନ ନହେବ ଆନ, ବାଇଶି ପାହାଚେ ଖେଳିବ ମୀନ । ଏହି ମାଳିକା ବଚନ ପ୍ରଳୟର ଭୟ ସମ୍ପର୍କ ଆମକୁ ଆତଙ୍କିତ କରାଏ । ଇତିହାସ କୁହେ କେବେ ବି ସରେନି ପ୍ରଳୟର ଭବିଷ୍ୟବାଣୀ । ଆଗରୁ ଓଡ଼ିଶା ଫାଇଲିନ୍, ତିତିଲି, ହୁଡହୁଡ ବାତ୍ୟା ସାମ୍ନା କରିଥିବାବେଳେ କୌଣସି ବାତ୍ୟା ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରକୁ କ୍ଷତି ପହଞ୍ଚାଇ ନଥିଲା, ଯାହା ଏହି ଫାନି ଦ୍ୱାରା ହୋଇଛି ।
ଫାନି ପୁରୀ ସମେତ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଓ ବାଲିଅନ୍ତା ବ୍ଲକ୍ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ବିଶେଷକରି ବାଲିପାଟଣା ବ୍ଲକ୍ର ଲକ୍ଷାଧିକ ଲୋକ ଏହି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏଠାରେ ଟେଲି ଯୋଗାଯୋଗ, ବିଦ୍ୟୁତ୍ ସେବା ପୁରାପୁରି ଠପ୍ । ଏହାର ପୁନଃରୁଦ୍ଧାର ନେଇ ସଠିକ୍ ଭାବେ କୁହାଯାଇପାରିବ ନାହିଁ । ଯେତେବେଳେ ରାଜଧାନୀ ଅବସ୍ଥା ୧୦ ଦିନ ପରେ ବି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇପାରୁନି ସେଠି ରାଜଧାନୀ ଉପକଣ୍ଠ କଥା କିଏ ପଚାରେ । ବାତ୍ୟାରେ ବିଭିନ୍ନ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କାର୍ଯ୍ୟ ଚାଲିଛି । ବଜାର, ରାସ୍ତାଘାଟ ଶୁନଶାନ୍ । ଫାନି ପ୍ରଭାବରେ ୫ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେସରକାରୀ ଭାବେ ଜଣାପଡ଼ିଥିଲେ ମଧ୍ୟ ସରକାରୀ ଭାବେ କୌଣସି ସୂଚନା ମିଳିନାହିଁ । ଏଥିରେ ହଜାର ହଜାର ଆଜବେଷ୍ଟସ, ଟିଣ ଓ ଚାଳଛପର ଘର ଓ ଗୁହାଳ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ବିପନ୍ନଙ୍କୁ ବାତ୍ୟା ଆଶ୍ରୟସ୍ଥଳ ଓ ବିଭିନ୍ନ ସ୍କୁଲ୍ ଗୃହରେ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଉଛି । ଏହାମଧ୍ୟରେ ସରକାରଙ୍କ ପକ୍ଷରୁ ପ୍ରତି ରେସନକାର୍ଡ ଧାରୀଙ୍କୁ ୨ ହଜାର ଟଙ୍କା ସମେତ ପଲିଥିନ ଯୋଗାଇ ଦିଆଯାଇଥିବାବେଳ ୨୦ କେଜି ଚାଲୁ ମଧ୍ୟ ଦିଆଯାଇଛି । ଫାନିରେ ବାଲିପାଟଣାର ୧୭ ପଞ୍ଚାୟତ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଚି । ଏଠାରେ ଉଦ୍ୟାନ କୃଷି ସମେତ ରବି ଫସଲ ତଥା ବାଡ଼ିବଗିଚା ଓ ରାସ୍ତାକଡ଼ରେ ଥିବା ବଡ଼ ବଡ଼ ଗଛ ଉପୁଡ଼ି ପଡିବାସହ ଅନେକ ଗଛର ଡାଳପତ୍ର ଭାଙ୍ଗି ପରିବେଶକୁ ପୁରା ସଫା କରିଦେଇଛି ।
ଅନୁମାନଠାରୁ ଅଧିକ ଭୟାନକ ଥିଲା ଫାନି ।ଘଣ୍ଟା ପ୍ରତି ୨ଶହରୁ ୨୪୦ କିମି ବେଗରେ ପବନ ବହିଥିଲା । ଧ୍ୱସ୍ତବିଧ୍ୱସ୍ତ କଲା ଉପକୂଳ ଓଡ଼ିଶାକୁ । ୪ଘଣ୍ଟାର ତାଣ୍ଡବରେ ଛାରଖାର କରିଦେଲା ସବୁ । ବାତ୍ୟା ପରଦିନଠାରୁ ଉଦ୍ଧାର କାର୍ଯ୍ୟ ଚାଲିଲା । ବାଲିପାଟଣାରେ ଥିବା ଓଡ୍ରାଫ୍ ଟିମ୍ ମୁଖ୍ୟ ରାସ୍ତା ସହ ଅନ୍ୟ ଅଞ୍ଚଳର ରାସ୍ତା ସଫା କାର୍ଯ୍ୟ ଜାରି ରହିଲା । ହେଲେ ଏହାମଧ୍ୟରେ ବାତ୍ୟାକୁ ୧୦ ଦିନ ହେବ । କିନ୍ତୁ ବାଲିପାଟଣା ହେଡ୍ କ୍ୱାର୍ଟର ଅନ୍ଧାର । ବିଦ୍ୟୁତ୍ ନଥିବା ଯୋଗୁଁ ବ୍ୟାଙ୍କ ତଥ୍ୟ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ହୋଇପାରୁନାହିଁ । ବ୍ୟାଙ୍କ ସେବା ଅଚଳ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜେନେରେଟର ଓ ଇନଭର୍ଟରର ଚାହିଦା ବଢ଼ିଛି । ସୋଲାର ଲାଇଟ୍ ୨୫୦ରୁ ୪୫୦ ଟଙ୍କାରେ ବିକ୍ରି ହେଉଛି । ଏବେ ମଧ୍ୟ ବାଳକାଟୀ, ବାଲିପାଟଣା, ବନମାଳିପୁର ଓ ଭିଙ୍ଗାରପୁର ଆଦି ବଜାରଗୁଡ଼ିକରେ ଅଧା ଦୋକାନ ଖୋଲୁନାହିଁ । ରାଜନୀତି ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଦା ଚଳଚଞ୍ଚଳ ଥିବା ଏହି ଅଞ୍ଚଳ ସତେଯେପରି ସ୍ଥାଣୁ ପାଲଟି ଯାଇଛି । ଫାନି ପ୍ରଭାବରେ ଉଜୁଡ଼ି ଯାଇଛି ପର୍ଯ୍ୟଟନ ପୀଠ ଶିଶୁ ଅନନ୍ତ ପୀଠ ଓ ଜୟଦେବ ପୀଠ । ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛି ଚଉଷଠୀ ଯୋଗିନୀ ପୀଠ । ଏଥିସହ କୁଶଭଦ୍ରା ନଦୀ ଉପରେ ଥିବା ଏକ ବସ୍ ଓ ବାଲିପାଟଣା ଛକରେ ଥିବା ଏକ ଟ୍ରକ୍ ପବନରେ ଓଲଟି ପଡ଼ିଥିଲା । ପ୍ରଶାସନିକ ସ୍ତରେ ପୁନଃରୁଦ୍ଧାର ଓ ଥଇଥାନ କାର୍ଯ୍ୟ ଚାଲିଥିବାବେଳ ରିଲିଫ୍ ପ୍ରଦାନ ଓ ବିଦ୍ୟୁତ୍ ସେବା ଯୋଗାଇବାରେ ଅବହେଳା ପ୍ରତିବାଦରେ ରାସ୍ତାରୋକ ହୋଇଥିଲା । ତୁରନ୍ତ ପ୍ରଶାସନ କୁଶଳୀ କାରିଗର ଆଣି ପରିସ୍ଥିତ ସ୍ୱାଭାବିକ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।