ଚାଷୀକୂଳ ହତାଶ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗର୍ଭଣା ସଂକ୍ରାନ୍ତି ପର ଠାରୁ ଧାନଗଛରୁ ଥୋଡ଼ ବାହାରିବା ଆରମ୍ଭ ହେଲାଣି । ହେଲେ ବର୍ତମାନ ସମୟରେ ଧାନଗଛରେ ବିଭିନ୍ନ ପ୍ରକାର ରୋଗ, ପୋକ ଆକ୍ରମଣ ଯୋଗୁଁ ଚାଷୀକୂଳ ହତାଶ ହୋଇପଡ଼ିଛି । ଧାନକ୍ଷେତରେ ପୋକଙ୍କ ଉପଦ୍ରବ ଦେଖି ଆବାକ୍ ହୋଇପଡ଼ିଛନ୍ତି ଚାଷୀ । ଚଳିତ ବର୍ଷ ବର୍ଷାଋତୁ ଆରମ୍ଭରୁ ବର୍ଷା ଅଭାବରୁ ବିଳମ୍ବରେ ଧାନଚାଷ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ଧାନଗଛରେ ରୋଗ ଏବଂ ପୋକ ଆକ୍ରମଣ ଚାଷୀଙ୍କ ପାଇଁ ଦାଉ ସାଧିଛି ।ସ୍ୱଣ୍ଣ ଧାନରେ ମୂଳଷଢା ରୋଗ ହେଉଥିବା ବେଳେ ମାଟିଆଗୁଣ୍ଡି ପୋକ ଓ କାଣ୍ଡବିନ୍ଧା ପୋକ ମଧ୍ୟ ସ୍ଥାନୀୟ ଅଂଚଳର ବହୁ ଧାନକ୍ଷେତରେ ଉପଦ୍ରବ ଆରମ୍ଭ କରି ଦେଇଛନ୍ତି ।ଏହି ରୋଗ ପୋକ ନିୟନ୍ତ୍ରଣ ପାଇଁ ଚାଷୀ ବିଭିନ୍ନ ପ୍ରକାର କୀଟନାଶକ ଔଷଧ ପ୍ରୟୋଗ କଲେ ମଧ୍ୟ କୌଣସି ପ୍ରକାର ଉପଶମ ମିଳୁନାହିଁ ବୋଲି ଚାଷୀ ମାନେ କହିଛନ୍ତି । ହିଂଜିଳିକାଟୁ ବ୍ଳକର ଖରିଫ ଧାନ ଏବେ କ୍ଷତିଗ୍ରସ୍ତ ହେବାକୁ ବସିଛି ।ବହୁ ପରିଶ୍ରମରେ ଅଂଚଳର ଚାଷୀ କୂଳ ଧାନ ଚାଷ କରିଚଢା ଦାମରେ ବିହନ, ଔଷଧ, ସାର, କୀଟନାଶକ ଓ ମଜୁରୀ ଖର୍ଚ୍ଚ କରି ନୟାନ୍ତ ହୋଇଥିବା ଚାଷୀକୂଳ ପାଇଁ ରୋଗ ଓ ପୋକ ଉପଦ୍ରବ ଚିନ୍ତାର କାରଣ ସାଜିଛି । ପ୍ରତିକୂଳ ପାଣିପାଗରେ ଚଳିତ ଥର ଧାନଚାଷ ହୋଇଥିବା ବେଳେ ସ୍ଥାନୀୟ ଅଂଚଳ ପାଇଁ ଧାନଚାଷରେ ପୋକ ଲାଗିବା ଚାରିଆଡ଼େ ଆତଙ୍କ ଖେଳାଇଦେଇଛି । ସେପ୍ଟେମ୍ବର ମାସରେ ଲଗାଣ ବର୍ଷା ଯୋଗୁଁ ଚାଷଜମିରେ ଦୀର୍ଘ ଦିନ ଧରି ବର୍ଷାଜଳ ଜମି ରହିବା ଯୋଗୁଁ ଧାନଗଛର ଚେର ପଚିଯିବା ସହ ପତ୍ରସବୁ ଝଡ଼ିପଡ଼ି ଗଛ ହଳଦିଆ ହୋଇ ମୁଣ୍ଡମାରି ରହିଥିବାରୁ ଚାଷୀକୂଳ ହତାସ ହୋଇପଡ଼ିଛନ୍ତି । ହିଂଜିଳିକାଟୁ ବ୍ଳକର ପୋଚିଲିମା, ସାରୁ, ସମରଝୋଳ, ବଡ଼ଖଣ୍ଡି, ସିକିରି, ରାଳବ, ଖରିଡ଼ା, ନନ୍ଦିକ, ପୁଟିଆପଦର, ଶାସନଆମ୍ବଗାଁ, ବୁରୁପୋଡ଼ା ଭାବନ୍ଦ, ଶିଖରପୁର, ଡ଼ି. ପାଟପୁର ଆଦି ଅଂଚଳରେ ସ୍ୱର୍ଣ୍ଣ, ୧୦୦୧, ରାଣୀ, ୧୦୦୯, ମସୁରୀ ଆଦି କିସମର ଧାନରେ ଥୋଡ଼ ବାହାରିବା ସମୟରେ ଏହି ରୋଗ, ପୋକ ଆକ୍ରମଣ ଦେଖାଦେଇଛି । ଏସବୁ ପ୍ରତି ସ୍ଥାନୀୟ କୃଷି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥାନୀୟ ଅଂଚଳର ଚାଷୀ ମାନେ ଦାବି କରିଛନ୍ତି ।