ଚାଷୀଙ୍କୁ ରାଜଧାନୀ ମନା ଜବାବରେ ବିଜେଡ଼ିକୁ ଭୋଟ ନାଁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀକୁ ସମସ୍ତେ ନିଜ ନିଜର ଅଧିକାର ଓ ଦାବି ଜଣାଇବାକୁ ଆସୁଛନ୍ତି । ସେମାନଙ୍କୁ ସରକାର ଡ଼କାଇ ଆଲୋଚନା କରୁଛନ୍ତି । ହେଲେ ଚାଷୀଙ୍କୁ ରାଜଧାନୀ ଆଦୌ ମଡ଼ାଇ ଦେଉନାହାଁନ୍ତି । ଥରେ କି ଦୁଇଥର ନୁହେଁ, ଚାରି ଚାରିଥର ଏହି ଘଟଣା ଘଟିଲାଣି । ୨୦୧୬, ୨୦୧୮, ୨୦୧୯ ଓ ୨୦୨୨ରେ କ୍ରମାଗତ ଭାବରେ ସରକାର ଚାଷୀମାନଙ୍କୁ ଭୁବନେଶ୍ୱର ଆସିବାକୁ ବାରଣ କରୁଛନ୍ତି । ଗୋଟିଏ ଅହିଂସକ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନକୁ ସରକାର କହିଁକି ଏତେ ଡରୁଛନ୍ତି ଓ ଦବାଇ ଦେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ସମସ୍ତେ ଜାଣନ୍ତି ଯେ, ନବନିର୍ମାଣ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ବିଚାରଧାରାରେ କାମ କରି ଆସୁଛି । କେବେବି ଆନ୍ଦୋଳନରେ ହିଂସାର ସ୍ଥାନ ନାହିଁ । ଏଥର କିନ୍ତୁ ଓଡ଼ିଶା ପୋଲିସ୍ ବର୍ବର ଓ ବେଲଗାଁ ବାଲା ମହିଳାଙ୍କ ଛାତିଙ୍କୁ ଗୋଇଠା ମାରିଲା ଓ ଚାଷୀଙ୍କ ହାତ ଭାଙ୍ଗିଲା । ଏଥର ଆମର ସହିବାର ସବୁ ସୀମା ଟପିଛି । ପୋଲିସ୍‌ର ଏଭଳି କାର୍ଯ୍ୟଧାରାକୁ ଆମେ କଠୋର ଭାଷାରେ ନିନ୍ଦା କରୁଛୁ । କାରଣ ଅହିଂସକ ଓ ପୁଣି କୃଷକ ଆନ୍ଦୋଳନ ଓ ମହିଳାଙ୍କ ଉପରେ ଶାରୀରିକ ଅତ୍ୟାଚାର ଅତ୍ୟନ୍ତ ନିନ୍ଦନୀୟ । ଏ ତ ଗଲା ଦମନଲୀଳାର କାହାଣି, ଆମ ପ୍ରଶ୍ନ ଆମେ କାହିଁକି ଭୁବନେଶ୍ୱର ମାଟି ମାଡ଼ିପାରିବୁ ନାହିଁ? ଆମେ କଣ ଦେଶରେ ରୋହିଙ୍ଗା ଶରଣାର୍ଥୀ ନା ଭଡାଟିଆ । ଏ ନେଇ ନବନିର୍ମାଣ ସଂଗଠନ ନ୍ୟାୟାଳୟକୁ ଯିବ । ଗୋଟିଏ କୃଷିପ୍ରଧାନ ଦେଶରେ ଓ କୃଷିପ୍ରଧାନ ରାଜ୍ୟରେ କୃଷିକେନ୍ଦ୍ର ରହିବା କଥା । ହେଲେ ଶାସକ ବିଜୁ ଜନତା ଦଳର ଅଭ୍ୟାସ ହୋଇଯାଇଛି ଯେ, କେବଳ ଭାଗେ ଚାକିରୀଆ ଶିଳ୍ପପତିଙ୍କୁ ହଜାର ହଜାର କୋଟି ଟଙ୍କାରେ ତୁଷ୍ଟ କରି ଚାଷୀଙ୍କୁ ଏଡ଼ାଇ ଯାଉଛନ୍ତି । ପଡ଼ୋଶୀ ଛତିଶଗଡ଼ରେ ଧାନ କୁଇଣ୍ଟାଲ ୨୬୦୦ ଟଙ୍କା ଥିଲାବେଳେ ଆନ୍ଧ୍ରରେ ଭତ୍ତା ୨୫୦୦ରୁ ୩୦୦୦ ଟଙ୍କା ଧରିଲାଣି । ଏଠି ମାଙ୍କଡ଼ ଅଇଁଠା ଭଳି ୫୦୦ ଟଙ୍କା ଲୋକଙ୍କୁ ପକାଇ ଦେଇ ଢେର ପ୍ରଚାର ଚାଲିଛି । ଧାନ ଉପରେ ୧୦୦ ଟଙ୍କା ବୋନସ କଥା ନବୀନ କେବେଠୁ ଭୁଲିଗଲେଣି । ଚାରିଅଣା ପଇସା ବି ଧାନ ଉପରେ ବୋନସ ଦିଆଯାଉ ନାହିଁ । ଏଭଳି ଭେଳିକୁ ନବନିର୍ମାଣ କୃଷକ ସଂଗଠନ ଏଥର କଡ଼ା ବିରୋଧ କରିବ, ଭୋଟ କି ଚୋଟ ନୀତି ଆପଣାଇବ । ଭାରତୀୟ ଗଣତନ୍ତ୍ରରେ ଭୋଟରୂପୀ ବ୍ରହ୍ମାସ୍ତ୍ରକୁ ଏଥର ଇସ୍ତମାଲ କରିବୁ । ରାଜନୈତିକ ଲୋକ ଧରି ନେଇଛନ୍ତି ଯେ, ଆମେ କେବଳ ଆମ ଲଢେଇକୁ ଜନ ଆନ୍ଦୋଳନରେ ସୀମିତ ରଖିବୁ ଆଉ ସେମାନେ ନା ଆମକୁ ଆମର ଦାବି ନେଇ ସାକ୍ଷାତ ଆଲୋଚନା କରିବେ କିମ୍ବା ରାଜରାସ୍ତାରେ ଭେଟିବେ । ଆମେ କୌଣସି ରାଜନୈତିକ ହସ୍ତକ୍ଷେପ କରିବୁ ନାହିଁ । ବିଜେଡ଼ି ସରକାର ଗଣତନ୍ତ୍ର, ସାମ୍ବିଧାନିକ ବିଧି ବ୍ୟବସ୍ଥା ଆମର ୭୦ ଭାଗ ଲୋକଙ୍କ ଅଧିକାରକୁ ନେଇ ସମ୍ବେଦନ ନଥିବାରୁ ଏଥରକ ଭୋଟ କି ଚୋଟ ନୀତି ଆପଣାଇବାକୁ ବାଧ୍ୟ ହେବୁ । ଆମର ଧାମନଗର ଚାଷୀମାନଙ୍କୁ ନିବେଦନ, ସେମାନେ ବିଜେଡ଼ିର କାର୍ଯ୍ୟଧାରା ସମୀକ୍ଷା କରନ୍ତୁ । ଗତ ୨୨ ବର୍ଷ ଭିତରେ ବିଜେଡ଼ି ବିଭିନ୍ନ ଶିଳ୍ପପତି ଓ ସରକାରୀ କର୍ମଚାରୀଙ୍କୁ ବଜେଟରୁ କେତେ ଅର୍ଥ ଦେଇଛି ଓ ଚାଷୀମାନଙ୍କୁ ସେମାନଙ୍କର ଆୟ ବୃଦ୍ଧି ଓ ଜୀବନ ଧାରଣର ମାନ ବୃଦ୍ଧି କରିବାରେ କେତେ ସହାୟକ ହୋଇଛି, ଏକଥା ମୂଲ୍ୟାଙ୍କନ କରନ୍ତୁ । ଭୋଟ ହେଉଛି ଏକମାତ୍ର ସୁଯୋଗ, ଯେତେବେଳେ ଲୋକମାନେ ଅନେକ ଲୋକ ସମସ୍ୟା ପ୍ରସଙ୍ଗ ଉଠାଇ ଦଳମାନଙ୍କୁ ପଚାରି ପାରିବେ । ଆମେ ଧାମନଗର ନିର୍ବାଚନରେ ଶାସକ ଦଳର ଅପାରଗ ଅମଲାତନ୍ତ୍ର କଥା ଉଠାଇବୁ । ହୁଡ୍‌ହୁଡ୍‌, ଫାଇଲିନ୍‌, ଜୱାଦ ଅର୍ଥ ମାସ ମାସ ଧରି ତହସିଲ୍‌ରେ ପଡିରହୁଛି । ଧାମନଗର ଭଳି ବନ୍ୟାଞ୍ଚଳରେ ବନ୍ୟାର ସ୍ଥାୟୀ ସମାଧାନ କଣ କରିଛନ୍ତି ରାଜ୍ୟ ସରକାର । ଉତ୍କଳମଣିଙ୍କ ଅମଳରୁ ଆଜି ପର୍ଯ୍ୟନ୍ତ ବଢି ମରୁଡ଼ିର ସ୍ଥାୟୀ ପ୍ରତିକାର କାହିଁକି ହୋଇପାରୁନାହିଁ? ଆମ ଚାଷୀମାନଙ୍କୁ ରାଜଧାନୀକୁ ଆସିବାକୁ ଚାରି ଚାରିଥର ରାଜ୍ୟ ସରକାର ବାରଣ କଲେଣି । ଆମେ ଧାମନଗର ଉପନିର୍ବାଚନରେ ଚାଷୀଙ୍କୁ କହି ବାଲାଟରେ ଏହାର କଡ଼ା ଜବାବ ଦେବୁ । ସେହିଭଳି ନଭେମ୍ବରରେ ବରଗଡ଼ରେ ଧାନକିଣା ଆରମ୍ଭ ନେଇ ଜିଲ୍ଲାପାଳଙ୍କ ପାଖରେ ଚାଷୀମାନେ ଦାବି କଲାବେଳେ ଜିଲ୍ଲାପାଳ ସେମାନଙ୍କୁ ଦୁର୍ବ୍ୟବହାର କରିବା ନିନ୍ଦନୀୟ ବୋଲି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆୟୋଜିିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜ ନିମାଇଁ ରାୟ, ଉମାକାନ୍ତ ଭାରତ, ରଶ୍ମୀରଞ୍ଜନ ସ୍ୱାଇଁ, ଯୁବଛାତ୍ର ସଂଯୋଜକ ମନୱର ଅଲ୍ଲୀ, ଡ କୁଳମଣି, ତ୍ରିଲୋଚନ ପଣ୍ଡା, ଗୋବିନ୍ଦ ମହାପାତ୍ର, ଅକ୍ରୁର ପଲାଇ, ଅଶ୍ୱିନୀ ଜେନା, ସତ୍ୟ ନାୟକ, ରଣଜିତ ଦଳବେହେରା, ଦିନେଶ ଦାସ, ଖଗେଶ୍ୱର ମହନ୍ତ ଓ ପ୍ରାଣବନ୍ଧୁ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ