ଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ନାବାର୍ଡ-ଜେଏସ୍ଏଫ୍ ଏକାଠିକ ଉପକୃତ ହେବେ ୪ଲକ୍ଷ ଚାଷୀ
ନୂଆଦିଲ୍ଲୀ, (ଏଜେନ୍ସି): ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ରକ୍ଷା ଲକ୍ଷ୍ୟରେ ଜିନ୍ଦଲ୍ ଷ୍ଟେନ୍ଲେସ୍ ଫାଉଣ୍ଡେସନ୍(ଜେଏସ୍ଏଫ୍) ଜାତୀୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ(ନାବାର୍ଡ) ସହ (ଏମ୍ଓୟୁ) ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଜିନ୍ଦଲ ଷ୍ଟେନ୍ଲେସ୍ ଫାଉଣ୍ଡେସନ୍ ଲକ୍ଷ୍ୟ ରଖିଥିବା ବେଳେ ଏହାର ସିଏସ୍ଆର୍ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ‘ପ୍ରୋଜେକ୍ଟ କୃଷି ଉନ୍ନତି’ ଯୋଜନା ଏହି ବୁଝାମଣା ଦ୍ୱାରା ତ୍ୱରାନ୍ୱିତ ହୋଇପାରିବ ବୋଲି କୁହାଯାଇଛି । ଆଗାମୀ ୫ ବର୍ଷ ମଧ୍ୟରେ ଏବଂ ଦୁଇଟି ପର୍ଯ୍ୟାୟରେ ଏହି ଏମ୍ଓୟୁ ଦ୍ୱାରା ନିଶ୍ଚିତ ଭାବେ ୪ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ଆଶା କରାଯାଉଛି । ଏହି ବୁଝାମଣାର ଏକ ଅଂଶ ସ୍ୱରୂପ ଜେଏସ୍ଏଫ୍ ଆଂଶିକ ଭାବେ ପାଣ୍ଠି ଯୋଗାଇ ଦେବା ସହିତ ନାବାର୍ଡ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ସହାୟତା ଦିଆଯିବ । ଲକ୍ଷ୍ୟ ଧାର୍ଯ୍ୟ ଥିବା ରାଜ୍ୟର ଚାଷୀମାନଙ୍କୁ ଫାଉଣ୍ଡେସନ୍ ପକ୍ଷରୁ ଆବଶ୍ୟକ ବଜାର ଏବଂ ଆର୍ଥିକସ୍ତରରେ ସୁବିଧା ଉପଲବ୍ଧତା ପାଇଁ ପଥ ପ୍ରସ୍ତୁତ କରାଯିବ । ଏହି ବୁଝାମଣା ସ୍ୱାକ୍ଷର ଅବସରରେ ଅଧ୍ୟକ୍ଷତା କରି ଜିନ୍ଦଲ୍ ଷ୍ଟେନ୍ଲେସ୍ ଫାଉଣ୍ଡେସନ୍ର ଅଧ୍ୟକ୍ଷା ଦୀପିକା ଜିନ୍ଦଲ କହିଛନ୍ତି ଯେ ନାବାର୍ଡ ସହ କରାଯାଇଥିବା ଏହି ସହଭାଗିତା ଗତବର୍ଷ ରାଜ୍ୟ ସରକାରଙ୍କ ସହିତ ହୋଇଥିବା ବୁଝାମଣାର ଏକ ସଂପ୍ରସାରିତ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୦,୦୦୦ଚାଷୀଙ୍କ ନିକଟରେ ପହଞ୍ôଚପାରିଥିବା ସେ ଉଲ୍ଲେଖ କରିଛନ୍ତି । ଏହି ସହଭାଗିତା ମାଧ୍ୟମରେ ଚାଷୀମାନଙ୍କ ମୌଳିକ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ସହ ସେମାନଙ୍କୁ ମୃତିକା ପରୀକ୍ଷା ଏବଂ ଶସ୍ୟ ପରିଚାଳନା ଠାରୁ ଆରମ୍ଭ କରି ବିପଣନ ବ୍ୟବସ୍ଥା ଓ ପାଣିପାଗ ସମ୍ବନ୍ଧୀୟ ବୈଷୟିକ ପରାମର୍ଶ ଦେବା କ୍ଷେତ୍ରରେ ସହଯୋଗ କରାଯାଉଛି । ସ୍ୱାକ୍ଷରିତ ହୋଇଥିବା ଏହି ଏମ୍ଓୟୁ ହରିୟାଣା, ଓଡ଼ିଶା ଏବଂ ଅନ୍ୟାନ୍ୟ ଆଗ୍ରହୀ ରାଜ୍ୟର ଚାଷୀଙ୍କ ପାଇଁ ଉପଯୋଗୀ ହେବ । ଏଭଳି ଉଦ୍ୟମକୁ ତ୍ୱରାନ୍ୱିତ କରି ଜେଏସ୍ଏଫ୍ ଚାଷୀମାନଙ୍କ ପାଇଁ ରହିଥିବା ବିଭିନ୍ନ ଅନୁଷ୍ଠାନ ଯଥା ଚାଷୀ ଉତ୍ପାଦନକାରୀ ସଂଗଠନ, ଚାଷୀ କ୍ଲବ୍ ଏବଂ ଉନ୍ନତ ବଜାର ସୃଷ୍ଟି ସହ ଇନ୍ପୁଟ୍ ଓ ଆର୍ଥିକ ବ୍ୟବସ୍ଥା କରିବା ପାଇଁ ନାବାର୍ଡ ଦ୍ୱାରା ପ୍ରୋତ୍ସାହିତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଶକ୍ତିଶାଳୀ କରିବ । ପରୋକ୍ଷରେ ନାବାର୍ଡ ଏହାର ବିଭିନ୍ନ ଯୋଜନା ମାଧ୍ୟମରେ ଜେଏସ୍ଏଫ୍ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଉଦ୍ଯୋଗ ପ୍ରତି ସହାୟତା ଯୋଗାଇବ । ଏଭଳି ସହଭାଗିତା ଦ୍ୱାରା ଏକ ବୃହତ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ସହ ରିହାତି ମୂଲ୍ୟରେ ଉନ୍ନତ ବିହନ ସୃଷ୍ଟି ଏବଂ ଅନ୍ୟାନ୍ୟ କୃଷିଭିତିକ ବୈଷୟିକ କୌଶଳ ଆପଣାଇବାରେ ଚାଷୀମାନଙ୍କୁ ସହାୟତା କରିବ । ଏହି ମିଳିତ ଉଦ୍ୟମ ଦ୍ୱାରା ଶସ୍ୟ ନିର୍ଦ୍ଧାରଣ, ବୈଷୟିକ କୌଶଳ ଏବଂ ସର୍ବୋତମ କୌଶଳ ବ୍ୟବହାର ପାଇଁ ନିଷ୍ପତି, ଇନ୍ପୁଟ୍ ବ୍ୟବସ୍ଥା ସହ ସଂଯୋଗୀକରଣ, ସରକାରୀ ଯୋଜନାଗୁଡିକ ସମ୍ପର୍କରେ ଜ୍ଞାନ ଆହରଣ ଏବଂ ଶେଷରେ ବିପଣନ ବ୍ୟବସ୍ଥା ସହ ସଂଯୋଗ ସ୍ଥାପନ ପାଇଁ ଚାଷୀମାନଙ୍କୁ ସହାୟତା ମିଳିବ ।