ଚାଷୀଙ୍କ ଋଣ ଛାଡ଼ ପାଇଁ ସମାଜବାଦୀ ପାର୍ଟିର ଦାବି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଜୱାଦ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କର କ୍ଷତଚିହ୍ନ ନଲିଭୁଣୁ ଗତ ୪ଦିନ ଧରି ଲଗାଣ ବର୍ଷା ଯୋଗୁ କ୍ଷେତରେ ପାଚିଲା ଧାନ, ଆଖୁ, କପା, ପନିପରିବା ଓ ମଣ୍ଡିକୁ ଯାଇଥିବା ଧାନ ସମ୍ପୂର୍ଣ୍ଣ ଓଦା ହୋଇ ନଷ୍ଟ ହୋଇଯାଇଛି । ଯାହାକିଛି ଜୱାଦ ବାତ୍ୟାରେ ଉପକୂଳ ୧୨ଟି ଜିଲ୍ଲାର ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଏବର ଲଗାଣ ବର୍ଷାରେ ନବରଙ୍ଗପୁର, ରାୟଗଡ଼ା, ଗଜପତି ଠାରୁ ଆରମ୍ଭ କରି କଳାହାଣ୍ଡି, ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ ସମେତ ଅନ୍ୟାନ୍ୟ ଜିଲ୍ଲାର ଚାଷୀମାନଙ୍କର ଫସଲ ଉଜୁଡ଼ି ଯାଇଛି । ଫଳରେ ଚାଷୀମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ଯାହାକିଛି ଉପାର୍ଜନ କରିଥିଲେ, ବର୍ଷକ ଭିତରେ ଦୁଇ ଦୁଇଟି ଦୈବୀଦୁର୍ବିପାକରେ ତାହା ସବୁ ମାଟିରେ ମିିଶିଯାଇଛି । ଗୋଟିଏ ପଟେ ଘରେ ଖାଇବା ପାଇଁ ଆହାର ନାହିଁ, ଦ୍ୱିତୀୟତଃ ଋଣ ଶୁଝିବା ପାଇଁ ଅଣ୍ଟାରେ ବଳ ନାହିଁ । ତେଣୁ ତୁରନ୍ତ ସରକାର ଚାଷୀମାନଙ୍କୁ କ୍ଷତିପୂରଣ ଦେବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଦାବି କରାଯାଇଛି । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଯୋଗୁ ଆଦର୍ଶ ଆଚାରଣ ବିଧି ପ୍ରଚଳିତ ଥିବାରୁ ନିର୍ବାଚନ କମିଶନଙ୍କ ବିଶେଷ ଅନୁମତି ନେଇ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏ ଦିଗରେ ଏକ ଚିଠି ଲେଖି ଦାବି କରିଛନ୍ତି । ଏହି ଚିଠିରେ ଶ୍ରୀ ବେହେରା ଚାଷୀମାନଙ୍କୁ ଏକର ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ ଦେବା ସଙ୍ଗେ ସଙ୍ଗେ ଗତ ଖରିଫ ଋତୁରେ ଚାଷୀମାନେ ସମବାୟ ବ୍ୟାଙ୍କରୁ ଆଣିଥିବା ଋଣ ଛାଡ଼ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି । ଜୱାଦ କ୍ଷତିଗ୍ରସ୍ତ ଉପକୂଳ ଜିଲ୍ଲା ସମେତ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀପରିବାରର ପିଲାମାନଙ୍କର ଦରମା ଓ ପରୀକ୍ଷା ଫି ଛାଡ଼ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ରାଜ୍ୟ ସରକାର ରବି ଋଣ ପାଇଁ ଚାଷୀମାନଙ୍କୁ ବିନା ସୁଧରେ ବ୍ୟାଙ୍କ ଋଣ ଯୋଗାଇଦେବା, ମାଗଣାରେ ପନିପରିବା ମଞ୍ଜି, ସାର ପ୍ରଭୃତି ପ୍ରଦାନ କରିବାକୁ ମଧ୍ୟ ସେ ନିଜର ଦାବି ଓହରାଇଛନ୍ତି । ତାହା ନହେଲେ ରାଜ୍ୟର ଚାଷୀକୂଳ ଅଣ୍ଟା ସଳଖି ଠିଆ ହେବା କଷ୍ଟକର ହୋଇପଡ଼ିବ ଏବଂ ଦାଦନ ଯିବା ବ୍ୟତୀତ ତା ପାଖରେ ଅନ୍ୟ କୌଣସି ବାଟ ନଥିବ ବୋଲି ଶ୍ରୀ ବେହେରା ଆଶଙ୍କା ପ୍ରକାଶ କରିଛନ୍ତି । ତେଣୁ ଚାଷୀମାନଙ୍କର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସମୟୋଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଏହି ଚିଠିରେ ଆଶାପ୍ରକାଶ କରାଯାଇଛି ।


