ଚାଷୀଙ୍କ ମୁଣ୍ଡରେ ଅଦିନିଆ ବର୍ଷା ଚଡକ
ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷାରେ ଚାଷୀଙ୍କ ଧାନ ଭିଜୁଥିବା ଦେଖାଯାଇଛି । କ୍ଷେତ, ଖଳା ଓ ମଣ୍ଡିରେ ଏହି ଧାନ ସବୁ ଭିଜୁଛି । ଗତ ୪ ଦିନ ଧରି ଅଦିନିଆ ବର୍ଷା ହେବା ଫଳରେ ଏଭଳି ସମସ୍ୟା ଦେଖାଯାଇଛି । ଏବର୍ଷ ଉତ୍ପାଦନ କମ୍ ହୋଇଥିବା ବେଳେ ଅଦିନିଆ ବର୍ଷା ଚାଷୀଙ୍କ ବର୍ଷକର ଖୋରାକ୍ ନଷ୍ଟ କରି ଦେଇଛି । ବ୍ଲକର କେତେକ ସ୍ଥାନରେ ମଣ୍ଡି ଖୋଲିଥିବା ବେଳେ ମିଲର ମାନେ ଆସୁନାହାନ୍ତି । ଫଳରେ ଚାଷୀ ମାନେ ଧାନ ବିକ୍ରୟ କରିପାରୁନାହାନ୍ତି । ଗତ ୫ ତାରିଖ ଠାରୁ ଚାଷୀ ମାନେ ମଣ୍ଡିରେ ଧାନ ପକାଇ ଜଗି ରହିଛନ୍ତି । କେତେକ ସ୍ଥାନରେ ଚାଷୀ ମାନେ ସୁନାଖଳାରେ ଧାନ ପକାଇ ଥିବା ବେଳେ ଗୋରୁ, ଗାଈ, ଷଣ୍ଢ ଆଦି ଧାନକୁ ଖାଇ ଯାଉଥିବାର ଦେଖାଯାଉଛି । ଚାଷୀ ମାନେ ଋଣ କରି ଚାଷ କରିଥିବା ବେଳେ ଏବେ କିପରି ଋଣ ପରିଶୋଧ କରିବେ ସେନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଗତ ବର୍ଷ ଠାରୁ ଚଳିତ ବର୍ଷ ୫୦ ପ୍ରତିଶତ ଧାନ ଉତ୍ପାଦନ କମ୍ ରହିଛି । ରାଜ୍ୟ ସରକାର ଚାଷୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଋଣ ଛାଡ କରିବା ପାଇଁ ଚାଷୀ ମାନେ ଦାବୀ କରିଛନ୍ତି ।


