ଚାଷୀ ଆତ୍ମହତ୍ୟା ପାଇଁ ରାଜ୍ୟ ସରକାର ଦାୟୀ: ଶେଷଦେବ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ରାଜ୍ୟରେ ଆରମ୍ଭ ହୋଇଥିବା ଚାଷୀ ଆତ୍ମହତ୍ୟା ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣଭାବେ ଦାୟୀ ବୋଲି ଅଭିଯୋଗ କରିଛନ୍ତି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ । ଶ୍ରୀ ନନ୍ଦ ପ୍ରେସ୍ ବିବୃତ୍ତି ମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ କୃଷିକ୍ଷେତ୍ର ପ୍ରତି ଚରମ ଅବହେଳା କରାଯାଇଛି । ସରକାର ଅଣ ଉତ୍ପାଦନଭିତ୍ତିକ ପ୍ରକଳ୍ପରେ ଓ ଭିତ୍ତିଭୂମି ଉନ୍ନତି ନାମରେ ହଜାର ହଜାର କୋଟି ଟଙ୍କା ପାଣି ଭଳି ଉଡ଼ାଉଥିଲା ବେଳେ ଯେଉଁ କ୍ଷେତ୍ରରେ ସର୍ବନିମ୍ନ ଅର୍ଥ ଖର୍ଚ୍ଚ କଲେ ଚାଷୀଙ୍କ ଜୀବନଶୈଳୀ ଓ ଜୀବିକାରେ ପରିବର୍ତ୍ତନ ଆସିବ ସେ ନେଇ ଗତ ୫ ଦଫା ଶାସନରେ ଆଦୌ ଧ୍ୟାନ ଦିଆଯାଇନାହିଁ । ଯେତେବେଳେ ମରୁଡ଼ି ସ୍ଥିତି ଉପୁଜୁଛି ଓ ଚାଷୀ ଆତ୍ମହତ୍ୟା ଘଟୁଛି ସେତେବେଳେ ସରକାରକୁ ସୁରକ୍ଷା ଦେବା ପାଇଁ ନାନା କୃଷି ବୈଜ୍ଞାନିକ ବାହାରିପଡ଼ି ନାନା ବୟାନବାଜି କରୁଛନ୍ତି । ମରୁଡିର ସମାଧାନ କ’ଣ ମିଲେଟ୍ ମିଶନ? ମରୁଡ଼ିର ସମାଧାନ ସ୍ଥାୟୀ ଜଳସେଚନ । ଅତଏବ ଏ ୨୩ ବର୍ଷରେ ସରକାର କେତେ ଜଳସେଚନ କରିଛନ୍ତିି । ବିଗତ ଦିନରେ ଚାଷୀ ଆତ୍ମହତ୍ୟା ବ୍ୟାପକ ପରେ ସରକାର କେବେ ବି ଆଗ୍ରହ ପ୍ରକାଶ କରିନାହାନ୍ତି ଚାଷୀ ଆତ୍ମହତ୍ୟା ଭଳି ଘଟଣା କେବେ ବି ଓଡ଼ିଶାରେ ନଘଟୁ । ୭ମ ବେତନ କମିଶନ ଲାଗୁ କଲାବେଳେ ବର୍ଷକୁ ୫,୦୦୦ କୋଟି ଅଧିକ ଅର୍ଥ କୁଆଡ଼ୁ ଆସିବ ସରକାର ଚିନ୍ତା କଲେ ନାହିଁ । ଅଥଚ ଚାଷୀ ପେନସନ୍ ପ୍ରସଙ୍ଗରେ ସରକାର ଅର୍ଥାଭାବ କଥା କହୁଛନ୍ତି । ପଡୋଶୀ ଛତିଶଗଡ଼ ଧାନ ଉପରେ ବ୍ୟାପକ ଅର୍ଥ ବୋନସ୍ ଦେଲା ବେଳେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ୍ ଦେବା କଥା କହି ଭୁଲିଗଲେ ରାଜ୍ୟ ସରକାର । ଧାନ ଓ କ୍ଷୀର ଦର ବଢ଼ାଇବା ପାଇଁ ସରକାର କେବେ ବି ତତ୍ପରତା ପ୍ରକାଶ କରୁନାହାନ୍ତି । ଶୀତଳ ଭଣ୍ଡାର ଲସ୍ ଆଇଟମ୍ କୁହାଯାଇ ନିର୍ମାଣ କରାଯାଉନି । ରାଜ୍ୟରେ ଚିନିକଳ ବନ୍ଦ ହେଲା, ସୁତାକଳ, ତେଲ କଳ ସବୁ ବନ୍ଦ ହେଲା ପରେ ବି ଏଥିରୁ ଗୋଟିଏ ସଚଳ କରିବା ପାଇଁ ସରକାର ଚିନ୍ତା କରିନାହାନ୍ତି । ଚାଷ ଉତ୍ପାଦକୁ ମୂଲ୍ୟଯୁକ୍ତ କରାଯାଇ ସେଥିରୁ ଚାଷୀ ହାତକୁ ୨ ପଇସା ଆସିବା ପାଇଁ ଚଳିତ ଲମ୍ବା ମିଆଦି ଶାସନରେ ସବୁଠୁ ଅବହେଳା କରାଯାଇଛି । କମ୍ପାନୀ ହାତକୁ ଇନସ୍ୟୁରାନ୍ସ ଗଲା ପରେ ସେମାନେ କୋଟି କୋଟି ଟଙ୍କା ଲାଞ୍ଚ ଦେଇ ଆଦୌ ମରୁଡି ଘୋଷଣା କରିବେ ନାହିଁ । ଏବେ ରାଜନେତାଙ୍କୁ ଏ ସୁଯୋଗ ମିଳିଗଲା । ଅଦା, ହଳଦୀ, ପିଆଜ, କପା, ମକା କେଉଁ ଚାଷୀଙ୍କୁ ରୋଜଗାରର ସୁରକ୍ଷା ଓ ସମୃଦ୍ଧି ଦିଆଯାଇଛି ସରକାର କୁହନ୍ତୁ । ନବରଙ୍ଗପୁରରୁ ଜଗତସିଂହପୁର ଯାଏ ସାର ସଙ୍କଟ ଲାଗିଛି । ପ୍ରତିବର୍ଷ ମଣ୍ଡିରେ ଧାନ ବିକ୍ରି ସମୟରେ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି । ସରକାର ପିଠିରେ ପଡ଼ୁନାହାନ୍ତି । ବର୍ଷ ବର୍ଷ ଧରି କୃଷିକ୍ଷେତ୍ରରେ ଅପୂରଣୀୟ କ୍ଷତି ସହି ଚାଷୀ ଦାଦନ ଭାବେ ଗଣ ପଳାୟନ କଲାବେଳେ ସରକାର ଦିନେ ଏ ନେଇ ସଚିବାଳୟରେ ବୈଠକ ଡାକିନାହାନ୍ତି । ତୁରନ୍ତ ସରକାର ବଲାଙ୍ଗୀରର ଚାଷୀ ଆତ୍ମହତ୍ୟାର ଶିକାର ରୁଚିକା ବନଛୋର୍ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ସରକାରୀ ଚାକିରୀ ଦେବାକୁ ଶେଷଦେବ ନନ୍ଦ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ