ଚାଷୀ ବିକାଶର ସାରଥୀ ହେଉ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର- ‘କୃଷି ଓଡ଼ିଶା-୨୦୨୦’ ସୋମବାରଠାରୁ ଜନତା ମଇଦାନରେ ଆରମ୍ଭ ହୋଇଛି। ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାର ସବୁବେଳେ ଚାଷୀଙ୍କ ସହ ଅଛନ୍ତି। ନୂଆ କୃଷି ନୀତି ଚାଷୀ ବିକାଶର ଲକ୍ଷ୍ୟ । ଏଥିସହ ରାଜ୍ୟ କୃଷି ନୀତି ଉନ୍ମୋଚନ କରିଛନ୍ତି । ପାରମ୍ପରିକ ଧାରାକୁ ଛାଡ଼ି ଚାଷୀମାନେ କିଭଳି ନୂତନ ଜ୍ଞାନକୌଶଳ ବଳରେ ଲାଭଜନକ ଚାଷ କରିପାରିବେ ସେଥିପାଇଁ ଏହି ମେଗା ପ୍ରଦର୍ଶନୀ ଆରମ୍ଭ ହୋଇଛି । ସ୍ବାଭିମାନ ସହ ଚାଷୀ ବଞ୍ଚୁ ଏବଂ ନୂଆ ଟେକ୍ନୋଲୋଜି ବ୍ୟବହାର କରୁ। ଚାଷୀ ବିକାଶର ସାରଥୀ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କୃଷିମନ୍ତ୍ରୀ ଡ.ଅରୁଣ ସାହୁ ନିଜ ବକ୍ତବ୍ୟରେ କହିଛନ୍ତି, ରାଜ୍ୟର ଚାଷୀମାନଙ୍କ ଆୟ ବଢ଼ିଛି। ୨୦୦୨ ଓ ୨୦୦୩ରେ ଚାଷୀଙ୍କ ଆୟ ଯେତିକି ଥିଲା ତାହା ଏବେ ୭ ଗୁଣା ବୃଦ୍ଧି ପାଇଛି । ରାଜ୍ୟର ୧୪ ଟି ଜିଲ୍ଲାରେ ୭୦ଟି ବ୍ଲକରେ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦିଆଯାଉଛି । ପ୍ରଥମ ଥର ପାଇଁ ମାଣ୍ଡିଆ ମଣ୍ଡି ପ୍ରସ୍ତୁତ କରାଯାଇଛି ।କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରଦର୍ଶନ ଲକ୍ଷ୍ୟରେ ‘କୃଷି ଓଡ଼ିଶା-୨୦୨୦’ ପ୍ରଦର୍ଶନୀରେ ୨୨୮ଟି ଷ୍ଟଲ୍ ନିର୍ମିାଣ କରାଯାଇଛି । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ୧୧୨ଟି କମ୍ପାନି ଯୋଗଦେଛନ୍ତି ।


