ଚାଷୀ ସମ୍ମିଳନୀରେ କମ୍ପିଲା ବରମୁଣ୍ଡା ପଡ଼ିଆ

ଚାଷୀ ସମ୍ମିଳନୀରେ କମ୍ପିଲା ବରମୁଣ୍ଡା ପଡ଼ିଆ
ଚାଷୀ ସମ୍ମିଳନୀରେ କମ୍ପିଲା ବରମୁଣ୍ଡା ପଡ଼ିଆ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନବ ନିର୍ମାଣ କୃଷକ ସଂଗଠନର ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀରେ ବୁଧବାର କମ୍ପି ଉଠିଥିଲା ବରମୁଣ୍ଡା ପଡ଼ିଆ । ଦେଶର ବିଭିନ୍ନ ରାଜ୍ୟରୁ ଓ ତମାମ ରାଜ୍ୟରୁ ପାଖାପାଖି ୫୦ରୁ ୬୦ ହଜାର ଚାଷୀ ରାଷ୍ଟ୍ରୀୟ ସମ୍ମିଳନୀର ଖୋଲା ଅଧିବେଶନରେ ଭାଗ ନେଇଥିଲେ । ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ହରିୟାଣା, କଲିକତା ଓ ଅନ୍ୟାନ୍ୟ ପ୍ରଦେଶରୁ ଆସିଥିବା ଚାଷୀନେତାମାନେ କେନ୍ଦ୍ର ଓ ରାଜ୍ୟ ସରକାରମାନେ କିଭଳି ଭାବରେ ଚାଷୀ ମାରଣ ନୀତି ଚଳାଇ ଥିବାରୁ ଦେଶର ଅନ୍ନଦାତା ଚାଷୀ ଆତ୍ମହତ୍ୟାର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ । ବିକେୟୁ (ଈଶ୍ୱର) ସଭାପତି ଈଶ୍ୱର ଚନ୍ଦ୍ର ତ୍ରିପାଠୀ, ରାକେଶ ରଫିକ୍ ପ୍ରମୁଖ ଉଦ୍‌ବୋଧନ ଦେଇ କହିଲେ ଯେ, ଗୋଟିଏ କୃଷି ପ୍ରଧାନ ଦେଶରେ ଓ କୃଷି ପ୍ରଧାନ ରାଜ୍ୟରେ କୃଷକମାନଙ୍କୁ ଜାଣିଶୁଣି ଦରିଦ୍ର କରି ରଖାଯାଉଛି । ସେମାନେ ହାଡ଼ଭଙ୍ଗା ପରିଶ୍ରମ କରି ଦରିଦ୍ର ହେଲା ବେଳେ ପୁଞ୍ଜିପତି ଓ ସରକାରୀ କର୍ମଚାରୀମାନେ କିଭଳି ଘିଅ ମହୁରେ ଭାସିବେ ସେହି ଯୋଜନା କରାଯାଉଛି । ଚାଷୀମାନେ ଦେଶରେ ରାଜ୍ୟ ଓ କେନ୍ଦ୍ର ସରକାର ଦ୍ୱାରା ବାଛ ବିଚାରର ଶିକାର ହୋଇ ବିପିଏଲ୍ ତାଲିକାରେ ନାମ ଲେଖାଉଛନ୍ତି । ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ତାଙ୍କ ଭାଷଣରେ କହିଲେ ଯେ, ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ ବଦଳିଗଲେ ବ୍ୟବସ୍ଥା ବଦଳିବ ନାହିଁ, ବରଂ ଚାଷୀମାନଙ୍କର ଜୀବନ ଜୀବିକା ରକ୍ଷା ପାଇଁ ସମ୍ବିଧାନ ଯେଉଁ ପ୍ରତିବଦ୍ଧତା ୨୧ ଧାରାରେ ଉଲ୍ଲିଖିତ ଅଛି, ସେହି ଆଧାରରେ ୨୦ ବର୍ଷ ବୟସ ପ୍ରତ୍ୟେକ ଚାଷୀ ମାସକୁ ୫ ହଜାର ଲେଖାଏଁ ଦେଇ ଚାଷୀ ଓ ଚାଷକୁ ବଞ୍ଚାଇବା ସହ ଚାଷୀର ଜିଡ଼ିପିକୁ ବଢାଇବା ପାଇଁ ଚାଷୀ ସୁରକ୍ଷା ଭତ୍ତା ଦାବି କରାଯାଉଛି । ଚାଷୀ ସୁରକ୍ଷା ଭତ୍ତା ଆନ୍ଦୋଳନ କେବଳ ଓଡ଼ିଶାରେ ନ ହୋଇ ଏହା ତମାମ ଦେଶରେ କରାଯିବ । ଦେଶବ୍ୟାପୀ ସମ୍ମିଳିତ ଚାଷୀ ଆନ୍ଦୋଳନରେ ଚାଷୀମାନଙ୍କୁ ଉପେକ୍ଷା କରିବାକୁ ରାଜନେତା ଓ ଅମଲାତନ୍ତ୍ରି ସାହସ କୁଳାଇବେ ନାହିଁ । ଆଜିର ବିଶାଳ ସମାବେଶ ପ୍ରମାଣ କରୁଛି ଯେ, ଓଡ଼ିଶାର ଚାଷୀ ତମାମ ଦେଶରେ ସବୁଠୁ ସଂଗଠିତ ବର୍ଗ ଭାବରେ ଆତ୍ମପ୍ରକାଶ କଲେଣି । ଚାଷୀମାନେ ଅସଂଗଠିତ ଓ ସେମାନଙ୍କୁ ଉପେକ୍ଷା କଲେ କିଛି କ୍ଷତି ହେବ ନାହିଁ ଭାବୁଥିବା ନେତାମାନଙ୍କୁ ସେମାନଙ୍କର ମନୋବୃତ୍ତିରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ନଚେତ୍ କୃଷକମାନେ ସେମାନଙ୍କୁ କୃଷିରୁ ଓହ୍ଲାଇଦେବେ । ଚାଷୀମାନେ ଦେଶର ଜନସଂଖ୍ୟାର ୭୦ ଭାଗ ହୋଇଥିବାରୁ ଶାସନ ପ୍ରଶାସନ ଚାଷୀ ମନସ୍କ ହେବାକଥା । କିନ୍ତୁ ୭୦ ବର୍ଷ ପରେ ସବୁ ଓଲଟା ଚାଲିଛି । ଏଣିକି ଏହି ଦୁଇଭାଗ ନେତା ଅମଲାଙ୍କ ମନମାନିକୁ ଚାଷୀମାନେ ବିରୋଧ କରିବେ । ସଂଗଠନର ଉପଦେଷ୍ଟା ରବି ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ, ବିଗତ ତିନି ଦଶନ୍ଧିରେ ଚାଷୀମାନେ ଯେଭଳି ଅସଂଗଠିତ ଥିଲେ ଏବେ ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । ଓଡ଼ିଶାରେ ଚାଷୀମାନଙ୍କର ସାଂଗଠନିକ ଶକ୍ତି ବୃଦ୍ଧି ହେଉଥିବାରୁ ଅନେକ ଯୋଜନା ସରକାର ଚାଷୀମାନଙ୍କ ଭୟରେ କରିଛନ୍ତି । ଚାଷୀ ସଂଗଠନର ଯେତେ ଶକ୍ତି ବୃଦ୍ଧି ହେବ ଓ ଚାଷୀମାନେ ଦଳମତ ନିର୍ବିଶେଷରେ ଅଧିକରୁ ଅଧିକ ସଂଗଠିତ ହେବେ, ସେତେବେଳେ ସରକାର ନିଶ୍ଚିତ ଭାବରେ ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବେ । ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ବକ୍ତବ୍ୟରେ ନବୀନ ସରକାରଙ୍କୁ ଶାଣିତ ଆକ୍ରମଣ କରି କହିଲେ ଯେ, ଓଡ଼ିଶାରେ ୨୦ ବର୍ଷ ହେଲା ଗୋଟିଏ ଚାଷୀ ବିରୋଧୀ ସରକାର ଚାଲିଛି । ଏଠାରେ ଚାଲୁଥିବା ସରକାର କେତେବେଳେ ଚାଷୀଙ୍କର ଆୟ ବୃଦ୍ଧି, ସୁରକ୍ଷା ଓ ସମ୍ମାନ ପାଇଁ ଉଦ୍ୟମ କରୁନଥିବା କେବଳ ଚାଷୀଙ୍କ ଭୋଟ ମ୍ୟାନେଜ ପାଇଁ ବହୁବିଧ ଉଦ୍ୟମ ହେଉଛି ଯାହାର ନମୂନା ହେଲା କାଳିଆ ଯୋଜନା । କାଳିଆ ଯୋଜନା ସଂକ୍ରାନ୍ତରେ ନବୀନ ପଟ୍ଟନାୟକ ଯେଉଁ ଦୁଇଟି କଠୋର ପ୍ରତିଜ୍ଞା କରିଥିଲେ ତାହା ପାଳନ କରିନାହାଁନ୍ତି । ୭୦ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ୍ କରାଯିବ ବୋଲି କହି ନବୀନ ପାଖାପାଖି ୩୦ ଲକ୍ଷ ଚାଷୀଙ୍କୁ ଧୋକା ଦେଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ସବୁ ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟରେ ଅର୍ଥ ପହଞ୍ଚିବ ବୋଲି ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲା ବେଳେ ୬ ମାସରେ ଗୋଟିଏ ଟଙ୍କା ପହଞ୍ଚି ନାହିଁ । ଏହି ସମାବେଶରେ ଅନ୍ୟ ରାଜ୍ୟରୁ ଯଥାକ୍ରମେ ହିମାଂଶୁ ତିୱାରୀ, କୁମାର ଗୌରବ, ପୁତୁଲ ବେହେନ, ପମ୍ପା ଦାସ, ଗୌତମ ଦା ପ୍ରମୁଖ ଯୋଗ ଦେଇଥିଲା ବେଳେ ପ୍ରଭାତ କୁମାର, ବିବେକାନନ୍ଦ ମାଥନେ, ହେମନ୍ତ ପ୍ରତାପ ବେହତି ପ୍ରମୁଖ ଯୋଗ ଦେଇଥିଲା ବେଳେ ଓଡ଼ିଶାରୁ ସର୍ବଶ୍ରୀ ଯୁବଛାତ୍ର ସଂଗଠନ ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀ, ସୁରେନ୍ଦ୍ରନାଥ ମହାରଣା, ରବୀନ୍ଦ୍ର ସାହୁ, ଭରତ ସ୍ୱାଇଁ, ଦୀନେଶ ଦାଶ, ତ୍ରିଲୋଚନ ପଣ୍ଡା, ସାଇପ୍ରସାଦ ପଲାଇ, ମହେଶ୍ୱର ଜେନା, ଲୋକନାଥ ପାଳ, ରାଜେନ୍ଦ୍ର ମିଶ୍ର, ରଞ୍ଜିତ ପଟ୍ଟନାୟକ, ବିଳାସିନୀ ମହନ୍ତ, ମମତା ନାଥ, କାଶିନାଥ, ଅକ୍ରୁର ପଲାଇ, ସୁରେଶ ଚନ୍ଦ୍ର ମାନସିଂ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଦେବୀ ପ୍ରସାଦ ମହାରଣା ଓ ରବୀନ୍ଦ୍ର ସାହୁ ବୈପ୍ଲବିକ ସଙ୍ଗୀତ ଗାନ କରିଥିଲେ । ଶେଷରେ ପୁରୀ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ