ଜମିବାଡିକୁ କେନ୍ଦ୍ର କରି ମହିଳାଙ୍କୁ ଦୁର୍ବ୍ୟବହାର
ଯୋଡ଼ା , (ଯୁଗାଦ୍ଦ ନ୍ୟୁଜ) : କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜରିବାହାଲ ଠାରେ ରହୁଥିବା ଜଣେ ମହିଳାଙ୍କୁ ଜମି ବାଡିକୁ କେନ୍ଦ୍ର କରି ଦୁର୍ବ୍ୟବହାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ଜରିବାହାଳ ଅଂଚଳର ହେଁସାବେଡା ଛକ ନିକଟରେ ରହୁଥିବା ମମତା ବାରିକ ନାମ୍ନୀ ମହିଳାଙ୍କ ସହିତ ତାଙ୍କ ଦେଢସୁର କେଶବ ବାରିକ ଗତ ନଭେମ୍ବର ଦୁଇ ତାରିଖ ଶୁକ୍ରବାର ଦିନ ଜମିବାଡିକୁ କେନ୍ଦ୍ର କରି ଝଗଡା କରିଥିଲେ । ଝଗଡା କାରଣ ସମ୍ପର୍କରେ ମହିଳା ମମତା ବାରିକ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଖାତା ନଂ ୨୪ ଜରିବାହାଳ ମୌଜାର ହେଁସାବେଡା ଛକଠାରେ ସେ ଓ ତାଙ୍କ ସ୍ୱାମୀ ଦୈତାରୀ ବାରିକ ପୈତୃକ ଜମିରେ ଘର କରି ରହିଆସୁଛନ୍ତି । ତାଙ୍କ ଘରକୁ ଯିବା ରାସ୍ତାକୁ ତାଙ୍କ ଦେଢସୁର କେଶବ ବାରିକ ଜବରଦଖଲ କରିଥିବା ବେଳେ ତାଙ୍କ ଘର ସମୁଖରେ ଥିବା ଜାଗାର ମଝି ରାସ୍ତାରେ ପାଚେରୀ ନିର୍ମାଣ କରିବାକୁ ମଧ୍ୟ ଉଦ୍ୟମ କରୁଛନ୍ତି । ଏହାକୁ ମମତା ବାରିକ ଓ ତାଙ୍କ ସ୍ୱାମୀ ଦୈତାରୀ ବାରିକ ଦୁହେଁ ବିରୋଧ କରିବାରୁ ଦେଢସୁର କେଶବ ବାରିକ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ମହିଳା ମମତା ବାରିକ ମଙ୍ଗଳବାର ବାମେବାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଥାନାରେ ଷ୍ଟେସନ ଡାଏରୀ ହୋଇଛି , ଜମିବାଡି ମାମଲା ହୋଇଥିବାରୁ ଏହାର ତଦନ୍ତ ପାଇଁ ବଡବିଲ ତହସିଲଦାରଙ୍କୁ ସୂଚନା ଦିଆଯିବ ବୋଲି ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।


