ଚିକିତ୍ସାରେ ଅର୍ଥ ସାଜିଛି ବାଧକ ; ଭଗବାନଙ୍କ ଭରସାରେ ଲିଭର ରୋଗୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ସେ ଥିଲେ ପରିବାର ଚଳାଇବାର ଏକମାତ୍ର ସାହା ଭରସା। ଦିନ ମଜୁରୀ ଲାଗି ଯାହା ପାରିଶ୍ରମିକ ଆଣନ୍ତି ସେଥିରେ ୫ ଜଣିଆ ପରିବାରର ପେଟର ଜ୍ୱାଳା ମେଣ୍ଟ ଥିଲା। ହେଲେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ବର୍ତମାନ ଲିଭର ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇ ରହିଥିବାରୁ ପରିବାର ଲୋକେ ଭୋକ ଉପାସରେ ଦିନ ବିତାଉଛନ୍ତି। ରୋଗାଗ୍ରସ୍ତ ବ୍ୟକ୍ତିଙ୍କର ଚିକିତ୍ସା ପାଇଁ ପରିବାର ସଦସ୍ୟ ଧାର କରଜ କରିବାଠାରୁ ଆରମ୍ଭ କରି ଘରର ଜିନିଷପତ୍ର ବିକ୍ରି କରି ଚିକିତ୍ସା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଅପରେସନ୍ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ କରିବାକୁ ଅସମର୍ଥ ହେବାରୁ ତାଙ୍କୁ ଘରକୁ ଫେରାଇ ଆଣିବା ପାଇଁ ବାଧ୍ୟ ହୋଇଛନ୍ତି। ଯାହାଫଳରେ ଲିଭର ରୋଗୀ ବର୍ତ୍ତମାନ ମୃତ୍ୟ ସହିତ ସଂଗ୍ରାମ କରୁଥିବା ବେଳେ ପରିବାରବର୍ଗ ଚିନ୍ତାରେ ରହିଛନ୍ତି। ଏହିଭଳି ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟୀ ପଞ୍ଚାୟତର ନାହୁଡିସର ଗ୍ରାମର ରିପୁନ ପ୍ରଧାନଙ୍କ କ୍ଷେତ୍ରରେ।ରିପୁନ ଗତ ତିନିମାସ ହେବ ରୋଗାଗ୍ରସ୍ତ ଅବସ୍ଥାରେ ଶଯ୍ୟାଶାୟୀ ହୋଇ ବିଛଣାରେ ପଡ଼ିରହିଥିବା ବେଳେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ତାଙ୍କର ଲିଭର ଖରାପ ହୋଇ ଯାଇଥିବାରୁ ଗତ ୩ମାସ ହେବ ତାଙ୍କର ପେଟ ଫୁଲିବାକୁ ଲାଗିଥିବା ବେଳେ  ଧିରେଧିରେ ଦେହ,ହାତ ଓ ଗୋଡ଼ ଗୁଡ଼ିକ ଶୁଖି ହାଡ଼ କଙ୍କାଳ ପରି ଦେଖାଗଲାଣି। ରିପୁନଙ୍କ ପରିବାରରେ  ୫ଜଣ ସଦସ୍ୟ ସ୍ତ୍ରୀ ରଂଜିତା ଓ ତିନି ସନ୍ତାନ ରହିଥିବା ବେଳେ ରିପୁନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ଯୋଗୁଁ ବର୍ତ୍ତମାନ ରଂଜିତା  ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଯେଉଁଦିନ ସେ କାମ କରିବାକୁ ଯାଇପାରନ୍ତି ନାହିଁ। ସେହିଦିନ ସାରା ପରିବାର ଭୋକ ଉପାସରେ ରହିଥାନ୍ତି ତ କେଉଁଦିନ ଗୋଟିଏ ଓଳି ଖାଇଲେ ଆର ଓଳି ପେଟରେ ଓଦା କନା ପକାଇ ଶୋଇଥାନ୍ତି। ଅନ୍ୟପକ୍ଷରେ ରୋଗାଗ୍ରସ୍ତ ରିପୁନ ଅନ୍ୟର ସହାୟତା ବିନା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରୁନଥିବା ଦେଖିବାକୁ ମିଳିଛି।ସୂଚନାଯୋଗ୍ୟ, ରିପୁନଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ ୩ମାସ ତଳେ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ହେଉଥିବା ବେଳେ ପାଖରେ ଥିବା ଟଙ୍କା ସରିଯିବାରୁ ନିଜ ଭାଗ୍ୟକୁ ଆଦରି ରିପୁନଙ୍କୁ  ସ୍ତ୍ରୀ ରଂଜିତା ନିଜ ଘରକୁ ନେଇ ଫେରି ଆସିଥିଲେ। ବର୍ତ୍ତମାନ ପରିବାର ସଦସ୍ୟ ସର୍ବସ୍ୱ ହରାଇ ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ରିପୁନଙ୍କୁ ଯଦି ରାଜ୍ୟ ସରକାରଙ୍କ ତରଫରୁ ଯଦି ଚିକିତ୍ସାପାଇଁ ସହାୟତା ମିଳିପାରନ୍ତା ତେବେ ସେ ପୁର୍ନବାର ସୁସ୍ଥ ହୋଇ ନିଜର ପରିବାର ପ୍ରତିପୋଷଣ କରିପାରିଥାନ୍ତେ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ତେଣୁ ଜିଲ୍ଲାପ୍ରଶାସନ ଏବଂ ରାଜ୍ୟ ସରକାର ରିପୁନଙ୍କ ଚିକିତ୍ସାପାଇଁ ସହାୟତାର ହାତ ବଢ଼ାଇବା ପାଇଁ ରିପୁନଙ୍କ ପରିବାର ବର୍ଗ ସମେତ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ