ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରି ରାଜବୀରଙ୍କ ପରିବାରକୁ ହସ୍ତାନ୍ତର କଲେ
ଛତ୍ରପୁର, (ଦେବଦତ୍ତ ମହାରଣା) :-୨୨ ମାସର ପୁଅ ରାଜବୀରର ଚିକିତ୍ସା ପାଇଁ ଘରକୁ ଘର ବୁଲି ଅର୍ଥ ସଂଗ୍ରହ କରି ଆଜି ରାଜବୀରଙ୍କ ପରିବାରକୁ ୧ ଲକ୍ଷ ୧୫ହଜାର ଟଙ୍କା ହସ୍ତାନ୍ତର କରିଛନ୍ତି ଛତ୍ରପୁର ଅଂଚଳର ବିଭିନ୍ନ ସଂଗଠନ । ରାଜବୀରର ଚିକିତ୍ସା ପାଇଁ ୧୬ କୋଟି ଟଙ୍କା ଆବଶ୍ୟକ ପଡୁଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୭୦ ଲକ୍ଷ୍ୟ ଟଙ୍କା ଯୋଗାଡ ହୋଇଛି । ତେବେ ଆଉ ବଳକା ଟଙ୍କା ଯୋଗାଡ କରିବାରେ ସାହାର୍ଯ୍ୟ କରିବା ପାଇଁ ରାଜବୀରଙ୍କ ମା ତମଲିକା ରଣା ଅନୁରୋଧ କରିଛନ୍ତି । କନ୍ଧମାଳ ଜିଲ୍ଲା ଫୁଲବାଣୀ ଗଂଜୁଗୁଡା ପଞ୍ଚାୟତର ଆମ୍ବପଡା ଗ୍ରାମର କୁଳମଣି ରଣା ଓ ତମଲିକା ରଣାଙ୍କ ୨୨ ମାସର ପୁଅ ରାଜବୀର ସ୍ପାଇନାଲ ମସକ୍ୟୁଲାର ଆଟ୍ରୋଫି ଟାଇପ – ୨ ନାମକ ଦୂରାରୋଗରେ ପିଡିତ ହୋଇଛନ୍ତି । ତାଙ୍କୁ ଖାଇବା, ବସିବା ଓ ନିଶ୍ୱାସ ନେବାରେ କଷ୍ଟ ହେଉଛି । ତୁରନ୍ତ ଚିକିତ୍ସା ନକଲେ ଜୀବନ ଚାଲିଯିବ । ଦୁନିଆ କଣ ଜାଣିବା ପୂର୍ବରୁ ଏହି ଶିଶୂପୁତ୍ର ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଇଞ୍ଜେକସନ୍ ର ଦାମ ୧୬ କୋଟି । ରାଜବୀରଙ୍କ ବାପାଙ୍କ ପାଖରେ ଏତେ ଟଙ୍କ ଯୋଗାଡ କରିବା ସମ୍ଭବପର ହେଉନଥିଲା । ଏଣୁ ସେ ପୂର୍ବରୁ ସୋନୁ ସୁଦଙ୍କ ନିକଟରେ ନିଜ ପୁତ୍ର ର ଜୀବନ ଭିକ୍ଷା କରିଥିଲେ । ସନୁ ସୁଦ୍ ନିଜେ ୭ ଲକ୍ଷ ଟଙ୍କା ଦେବା ସହିତ ଏକ ଭିଡିଓ ଜାରି କରି ରାଜବୀରଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଏହା ବ୍ୟତୀତ ବିଭିନ୍ନ ସଂଗଠନ ପକ୍ଷରୁ ରାଜବୀରଙ୍କ ସହାୟତା ପାଇଁ ଅର୍ଥ ଯୋଗାଡ କରାଯାଉଥିବା ବେଳେ ଛତ୍ରପୁର ରକ୍ତଦାତା ସଂଘ ଓ ଆର୍ଯ୍ୟପଲ୍ଲୀ ଅଂଚଳ ମହାବୀର ଯୁବକ ସଂଘ ପକ୍ଷରୁ ମଧ୍ୟ ଛତ୍ରପୁର ଓ ଆଖପାଖ ଅଂଚଳରେ ବୁଲି ବୁଲି କିଛି ଅର୍ଥ ସଂଗ୍ରହ କରାଯାଇଥିଲା । ରାଜବୀରଙ୍କ ପରିବାରକୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଉଥିବା ଖବର ପାଇ ଯୁବ ନେତା ବାପି ଦାସ ପହଂଚି ୧୫ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଏହି ସଂଗ୍ରହ ଅର୍ଥକୁ ଆଜି ସ୍ଥାନୀୟ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍ ପରିସରରେ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଆରକ୍ଷୀ କାର୍ଯ୍ୟାଳୟର ବରିଷ୍ଠ କିରାଣି ଏ.ରାବଣା ରାଓ, ମହାବୀର ଯୁବକ ସଂଘର ଏସ.ରାମକ୍ରିଷ୍ଣା, ଯୁବ ଆଇନଜିବୀ ବି.ଶ୍ରୀନିବାସ ରାଓ, କ୍ୟାଡର ଏପିପି ରାଜେଶ କୁମାର ମିଶ୍ର, ଛତ୍ରପୁର ରକ୍ତଦାତା ସେବକ ସଂଘର ମୁଖ୍ୟ ମାଧବ କାୟା, ଛାତ୍ର ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଛତ୍ରପୁର ବିଜେପି ମଣ୍ଡଳ ସଭାପତି ସଂଜିତ ରାଉଳ ପ୍ରମୁଖଙ୍କ ଉପସ୍ଥିତିରେ ରାଜବୀରଙ୍କ ପରିବାରକୁ ୧ ଲକ୍ଷ ୧୫ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ସହାୟତା ପ୍ରଦାନ ବେଳେ ଛତ୍ରପୁର ରକ୍ତଦାତା ସେବକ ସଂଘର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।