ଚିକିତ୍ସା ସେବାରେ ବିଳମ୍ବରୁ ମେଡିକାଲ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ମାଡ, ଜଣେ ଗିରଫ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଚିକିତ୍ସା ସେବା ଯୋଗାଇବାରେ ବିଳମ୍ବ ହେବାରୁ ୨ ଯୁବକ ମେଡିକାଲ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ମାଡ ମାରିବା ସହ ମେଡିକାଲ ପରିସରରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ମଙ୍ଗଳବାର ଭୋର ସକାଳୁ ଆଡପଡା ଗ୍ରାମରେ ଦେଖିବାକୁ ମିଳିଛି । ୨ ଯୁବକଙ୍କ ମାଡରେ ମେଡିକାଲ ଆଟେଣ୍ଡାଣ୍ଟ ଓ ସୁରକ୍ଷା କର୍ମୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଟେଣ୍ଡାଣ୍ଟ ତଥା ପାଟପୁର ଥାନା ବଡିଓସ୍ତା ଗ୍ରାମର ସୁକାନ୍ତ କୁମାର ଆଚାରୀ ଓ ସୁରକ୍ଷାକର୍ମୀ ତଥା ପାଟପୁର ଥାନା ଗୌତୁମୀ ଗ୍ରାମର ନିରଞ୍ଜନ ସେଠି । ଘଟଣା ନେଇ ମଙ୍ଗଳବାର ରାତିରେ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସକ ଡାକ୍ରର ଶୁଭ୍ରାଂଶୁ ମୋହନ ସାହୁ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନା କେସ ନଂ- ୯୯୦/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣଶର ତଦନ୍ତ କରି ଆକ୍ରମକାରୀ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଫେରାର ହୋଇ ଯାଇଛନ୍ତି । ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ଆଡପଡା ଫାଣ୍ଡି ପେଣ୍ଡୁରାଲୁଣ୍ଡି ଗ୍ରାମର ଶୁଭମ ନାୟକ ଓ ଫେରାର ଯୁବକ ଜଣଙ୍କ ହେଲେ ପାଟପୁର ଥାନା କଙ୍କୋରଡା ଗ୍ରାମର ଭୋଳାଶଙ୍କର ବରଡ । ଗିରଫ ଯୁବକଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ଥାନା ଏସ.ଆଇ. ସୁନିଳ କଣ୍ଡାଗୋରିଙ୍କ ସୂତ୍ରରୁ ପ୍ରକାଶ । ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଙ୍ଗଳବାର ଭୋରରେ ଭୋଳା ମୋଟର ସାଇକେଲ ଦୂର୍ଘଟଣାରେ ଆହତ ହୋଇଥିଲେ । ଶୁଭମ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସା ସେବା ଯୋଗାଇବାରେ ସାମାନ୍ୟ ବିଳମ୍ବ ଘଟିବାରୁ ଦୁହେଁ ଉତ୍ୟକ୍ତ ହୋଇ ମେଡିକାଲ ଆଟେଣ୍ଡାଣ୍ଟ ସୁକାନ୍ତଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ । ନିକଟରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ନିରଞ୍ଜନ ଏତିରେ ହସ୍ତକ୍ଷେପ କରିବାରୁ ଦୁହେଁ ମିଶି ତାଙ୍କୁ ମଧ୍ୟ ମାଡ ମାରିବା ସହ ମେଡିକାଲ ଝରକା କାଚ ଓ ଅନ୍ୟାନ ସାମଗ୍ରୀ ଭଙ୍ଗାରୁଜା କରି ଘଟଣଶ ସ୍ଥଳରୁ ଫେରାର ହୋଇ ଯାଇଥିଲେ ।