ଚିଟଫଣ୍ଡ ଟଙ୍କା ଫେରସ୍ତ ଦାବିରେ ଜମାକାରୀ ମିଳିତ ମଞ୍ଚର ଡିଜିଟାଲ ଗଣ ସତ୍ୟାଗ୍ରହ
ବାଲେଶ୍ୱର, (ସରୋଜ ପଣ୍ଡା) :ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସେମାନଙ୍କ ଜମାରାଶି ଫେରସ୍ତ ଦାବିରେ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ସମଗ୍ର ରାଜ୍ୟରେ ଆଜି ବିକ୍ଷୋଭ ପ୍ରଦର୍ଶିତ ହୋଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ପରିଲକ୍ଷିତ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ “ଡିଜିଟାଲ ଜମାକାରୀ ଗଣ ସତ୍ୟାଗ୍ରହ’ ବୋଲି ମଞ୍ଚର କର୍ମକର୍ତ୍ତା ମାନେଅଭିହିତ କରିଛନ୍ତିି । ଆର୍ଥିକ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚର ରାଜ୍ୟ ଆବାହକ ତଥା ସଭାପତି ଜୟନ୍ତ ଦାସ, ପ୍ରଦୀପ କୁମାର ସାମଲ, ରଘୁ ନାଥ ପଣ୍ଡା, ସେଖ ସୋନୀ, ସେଖ୍ ଆଲାଉଦ୍ଦିନ, ମହମ୍ଦ ମୁସ୍ତାଫା, ସେଖ୍ ନାସିର, ସେଖ ସର୍ଫୁ, ସେଖ ନିଆଜୁଦ୍ଦିନ ପ୍ରମୁଖ ଏହି ଗଣ ସତ୍ୟାଗ୍ରହରେ ଯୋଗଦେଇ ରାଜ୍ୟ ସରକାରଙ୍କ ଯଙ୍କା ଫେରସ୍ତ ତଞ୍ଚକତାକୁ ତୀବ୍ର ସମାଲୋଚନା କରିଥିଲେ । ଟଙ୍କା ଫେରସ୍ତର ପ୍ରତିଶ୍ରୁତି ଦେଇ ମଧ୍ୟ ଜମକାରୀଙ୍କୁ ଟଙ୍କା ଫେରସ୍ତ ନଦେଇ ଏହି ଅର୍ଥକୁ ସରକାର ଚଳୁ କରିଦେଇଛନ୍ତି ବୋଲି କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି । ତଦନ୍ତ କମିଶନଙ୍କ ୭ ପର୍ଯ୍ୟାୟ ସୁପାରିସ କ୍ରମେ ତହସିଲ ଜରିଆରେ ଯାଞ୍ଚ ପରେ ସମସ୍ତଙ୍କୁ ଅର୍ଥ ଫେରାଇବା ପରିବର୍ତ୍ତେ ସରକାର କେବଳ କେତେକ କ୍ଷୁଦ୍ର ଜମାକାରୀଙ୍କୁ ୨୦୧୯ ନିର୍ବାଚନ ପୂର୍ବରୁ ଟଙ୍କା ଫେରାଇବା ଏକ ଫାର୍ସ ଥିଲା ବୋଲି ମଞ୍ଚର ସଭାପତି ଶ୍ରୀ ଦାସ କହିଛନ୍ତି । ସରକାରୀ ଘୋଷଣା କ୍ରମେ କ୍ଷତିଗ୍ରସ୍ତ ଜମାକାରୀ ଖର୍ଚ୍ଚାନ୍ତ ହୋଇ କୋର୍ଟ’ଫି ଦେଇ ରେଜିଷ୍ଟ୍ରି ଡାକ ଯୋଗେ ସତ୍ୟପାଠ ପଠାଇଲେ, ତଦନ୍ତ କମିଶନ ୭ଟି ପର୍ଯ୍ୟାୟରେ ଆପାତତଃ ୫ଲକ୍ଷ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ସୁପାରିଶ କରିଥିଲେ । ମାତ୍ର ରାଜ୍ୟ ସରକାର ୨୦୧୯ ସାଧାରଣ ନିର୍ବାଚନ ପାରିହେବାକୁ ଅଳ୍ପକିଛି କ୍ଷୁଦ୍ର ଜମାକାରୀଙ୍କୁ ସ୍ୱଳ୍ପ ପରିମାଣର ଅର୍ଥ ଫେରାଇଛନ୍ତି । କମ୍ପାନୀମାନେ ଜମାକାରୀଙ୍କ ଅର୍ଥ ବିନିଯୋଗ କରିଥିବା ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି, ହଜାର ହଜାର ଏକର ମୂଲ୍ୟବାନ ଜମି, ଶହ ଶହ କୋଠା-ବାଡି, ଗାଡ଼ି-ଘୋଡା, ଟିଭି ସଂସ୍ଥା ସମେତ ବିଭିନ୍ନ ଶିଳ୍ପ ସଂସ୍ଥା ଜବତ ସହ ସରକାର ଏହାକୁ ବିକ୍ରି କରି ଅର୍ଥ ମଧ୍ୟ ମହଜୁଦ ରଖିଛନ୍ତି । ମାତ୍ର ଜମାକାରୀଙ୍କୁ ଅର୍ଥ ଫେରାଇବାକୁ କାହିଁକି କଷ୍ଟ ହେଉଛି ବୋଲି ମତ୍ତର କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି । ସମସ୍ତ ଜମାକାରୀଙ୍କୁ ସେମାନଙ୍କ ଜମାର ପରିପକ୍ୱ ରାଶି ସରକାର ଫେରସ୍ତ ନ କରିବା ପର୍ଯ୍ୟନ୍ତ ଏହି ଡିଜିଟାଲ ଗଣସତ୍ୟାଗ୍ରହ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ଅବସରରେ ମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।