ଚିତ୍ରଶିଳ୍ପୀଙ୍କ ନିଆରା ପ୍ରୟାସ
ଭୁବନେଶ୍ୱର : ବିବାହ ହେଉ କି ବ୍ରତୋପନୟନ । ଜନ୍ମଦିନ ପାଳନ ହେଉକି ବିବାହ ବାର୍ଷିକୀ ସାମାଜିକ ଜୀବନରେ ଉପହାର ଦିଆନିଆ ପରମ୍ପରା ଆମର ବେଶ୍ ସମୃଦ୍ଧ । କିନ୍ତୁ ଏହି ଉପହାର ଦିଆନିଆ ଭିତରେ ଆମେ ମାଟି ମା’କୁ କିଭଳି ରଙ୍ଗୀନ ଜରି ମାଧ୍ୟମରେ ପ୍ରଦୂଷିତ କରି ଚାଲିଛୁ ତାହା ସଚେତିତ କରାଇ ଦେଇଛନ୍ତି ପୋଖରୀପୁଟ ଇନ୍ଦ୍ରପସ୍ଥ କଲୋନୀରେ ପ୍ରତିଷ୍ଠିତ ଚିତ୍ରଶିକ୍ଷା ଅନୁଷ୍ଠାନ ଚିତ୍ରଶାଳା । ଚିତ୍ରଶାଳାର ପ୍ରତିଷ୍ଠାତା ଚିତ୍ରଶିଳ୍ପୀ ଅନସୂୟା ସାହୁ ଉପହାର ପ୍ୟାକିଂରେ ବ୍ୟବହାର ହେଉଥିବା ଚିକ୍ମିକ୍ ରଙ୍ଗୀନ ଜରି ବିରୁଦ୍ଧରେ କେବଳ ଲୋକଙ୍କୁ ସଚେତିତ କରାଉନାହାଁନ୍ତି ବରଂ ନିଜ ବ୍ୟବସାୟରେ ମଧ୍ୟ ରଙ୍ଗୀନ ଜରିକୁ ବର୍ଜନ ମଧ୍ୟ କରିଛନ୍ତି । ନିକଟରେ ଚିତ୍ରଶାଳା ପକ୍ଷରୁ ଅର୍ଡ଼ର ରଖାଯାଇଥିବା ଉପହାର ବକ୍ସଗୁଡ଼ିକରେ ରଙ୍ଗୀନ ଜରି ପରିବର୍ତ୍ତେ ମୋଟା ରଙ୍ଗ ବେରଙ୍ଗ କାଗଜ ପ୍ୟାକିଂ କରାଯାଇ ଉପଭୋକ୍ତାଙ୍କୁ ଯୋଗାଇ ଦିଆଯାଇଥିଲା । ନୂଆବର୍ଷ ଆରମ୍ଭରୁ ସ୍ମାର୍ଟସିଟିକୁ ପ୍ରଦୂଷଣମୁକ୍ତ କରିବା ଦିଗରେ ଚିତ୍ରଶାଳାର ଏଭଳି ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ସୂଚନାଯୋଗ୍ୟ ଯେ, ଚିତ୍ରଶାଳା ପକ୍ଷରୁ ଅତୀତରେ ଗ୍ରୀନ୍ ହୋଲି, ଗ୍ରୀନ୍ ଦିପାବଳୀ ଆଦି ପର୍ବକୁ ସହରବାସୀ ପସନ୍ଦ କରିଛନ୍ତି ।


