ସମସ୍ତ ଆବାସ ଗୁଡି଼କୁ ମାର୍ଚ୍ଚ ସୁଦ୍ଧା ପୂର୍ଣ୍ଣାଙ୍ଗ କର : ନିର୍ଦ୍ଧେଶକ ଶ୍ରୀ ପାଟିଲ
ଯାଜପୁର: ଚଳିତ ମାର୍ଚ୍ଚ ସୁଦ୍ଧା ଯାଜପୁର ଜିଲ୍ଲାରେ ୧୧ହଜାର ଆବାସ ପୂର୍ଣ୍ଣାଙ୍ଗ କରିବାକୁ ପଂଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଧେଶକ ରାଜେଶ ପ୍ରଭାକର ପାଟିଲ ନିର୍ଦ୍ଧେଶ ଦେଇଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ବିଭିନ୍ନ ଆବାସ ଯୋଜନାର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପାଟିଲ ପୁରୁଣା ଆବାସ ଯୋଜନାଗୁଡି଼କ ପୂର୍ଣ୍ଣାଙ୍ଗ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ବିଗତ ବର୍ଷ ମାନଙ୍କରେ ଆବାସ ଯୋଜନାରେ ଘର ପାଇ ଅର୍ଥ କିସ୍ତି ଆକାରରେ ନେଇଥିଲେ ମଧ୍ୟ ସଂପୃକ୍ତ ହିତାଧିକାରୀ ଘର ପୂର୍ଣ୍ଣାଙ୍ଗ କରିନାହାଁନ୍ତି । ତେଣୁ ସେହି ଅସଂପୂର୍ଣ୍ଣ ବା ପୁରୁଣା ଘରକୁ ସଂପୂର୍ଣ୍ଣ କରିପାରିଲେ ଆବାସ ଯୋଜନାରେ ଉନ୍ନତି ଆସିପାରିବ ବୋଲି କହିଥିଲେ । ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ଦୈନିକ ହିତାଧିକାରୀଙ୍କ ସହ ଯୋଗାଯୋଗ ରଖିବା, କ୍ଷେତ୍ରପରିଦର୍ଶନ କରିବା, ଦୈନିକ ସମୀକ୍ଷା କରିବା, ବିଡି଼ଓମାନେ ପ୍ରତ୍ୟହ ସକାଳବେଳା କ୍ଷେତ୍ରପରିଦର୍ଶନ କରି ଅପରାହ୍ନରେ ଅଗ୍ରଗତିର ସମୀକ୍ଷା କରିବା, ସହକାରୀଯନ୍ତ୍ରୀ ଓ ଅନ୍ୟାନ୍ୟ ଯନ୍ତ୍ରୀମାନେ ସମସ୍ତ ଆବାସ ବ୍ୟବସ୍ଥାରେ ନିଜକୁ ସଂପୂର୍ଣ୍ଣ ସାମିଲ କରି ନିରନ୍ତର ହିତାଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଶ୍ରୀ ପାଟିଲ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ରଂଜନ କୁମାର ଦାସ ଆବାସ ନିର୍ମାଣ ତ୍ୱାରାନ୍ୱିତରେ ସମସ୍ତ ଯନ୍ତ୍ରୀ ଓ କର୍ମଚାରୀଙ୍କର ସମ୍ମିଳିତ ଉଦ୍ୟମ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଯେଉଁ କର୍ମଚାରୀମାନେ ଏଥିରେ ଅବହେଳା କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ । ଜିଲ୍ଲାଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରତ୍ୟେକ ନିଜ ନିଜ ଦାୟିତ୍ୱ ପ୍ରତି ସଚେତନ ହୋଇ କାର୍ଯ୍ୟକଲେ ସଫଳତା ମିଳିବ ବୋଲି କହିଥିଲେ । ଚଳିତ ମାସ ୧୦ତାରିଖ ସୁଦ୍ଧା ୨୦୧୯-୨୦ବର୍ଷର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରଥମ କିସ୍ତି ସମସ୍ତ ହିତାଧିକାରୀଙ୍କୁ ପ୍ରଦାନ, ୧୫.୧.୨୦ରିଖ ସୁଦ୍ଧା ଦ୍ୱିତୀୟ କିସ୍ତି ପ୍ରଦାନ, ଯେଉଁ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ମିଳୁଛି ସେମାନଙ୍କ ନାମ ୧୨.୧.୨୦ରିଖ ସୁ୍ଦ୍ଧା ଅପଡ଼େଟ କରିବାକୁ ନିର୍ଦ୍ଦେଶକ ଶ୍ରୀ ପାଟିଲ ପରାମର୍ଶ ଦେଇଥିଲେ । ଉପସଚିବ କୁଳମଣି ମିଶ୍ର ଯୋଗଦେଇ ସରକାର ଆବାସ ଯୋଜନା ମାଧ୍ୟମରେ ସମସ୍ତ ହିତାଧିକାରୀକୁ ପକ୍କାଘର ଦେବାର ବ୍ୟବସ୍ଥା କରୁଥିବା ବେଳେ ଯେଉଁମାନଙ୍କ ପାଇଁ ଏହା ବିଳମ୍ବିତ ହେଉଛି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଇ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏ.ପି.ଡି. ସୋହନା ବେଗମ ଓ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନାର ସଂଯୋଜକ ଚିନ୍ମୟ ସିଂ ଉପସ୍ଥିତ ରହି ସମୀକ୍ଷା କାର୍ଯ୍ୟରେ ସହଯୋଗ କରିଥିଲେ । ଏଥିରେ ସମସ୍ତ ବିଡିଓ, ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।


